ଗଦ୍ୟ: କହି-ବୋଲି ପାରିଲା ଯିଏ

ହଠାତ୍ ଏମିତି ଖୋଜୁ ଖୋଜୁ ଆମାଜନ (ଅପନା ଆମାଜନ୍) ରେ ଦେଖିଲି ସେଠି ନଈ ବାଲି ବିକ୍ରି ହେଉଛି । ଦଶ କିଲୋକୁ ସାତଶହ ଟଙ୍କା । ତଳକୁ ସେ ଶୁଦ୍ଧ ନଈ ବାଲିକୁ ଖରିଦ କରି ଆପଣ ତା’ର କ’ଣ କ’ଣ ସଦୁପଯୋଗ କରିପାରିବେ ତା’ର ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯାଇଛି । କିଛି ମାସ ତଳେ ସେଇ ଅପନା ଆମାଜନରେ ଗାଈ ଗୋବରର ଘଷି ବିକ୍ରୀ ହେଉଥିବା ଦେଖି ଚମକି ଥିଲି । ଏବେ ଆଉଥରେ ଚକିତ ହେଲି ।
ବିକ୍ରୀ କରି ଜାଣିଲେ ସବୁ କିଛି ବିକ୍ରି ହୋଇ ପାରିବ । କଥାରେ ଅଛି ପରା; ‘କହି-ବୋଲି ପାରିଲା ଯିଏ, ପଚା ଚିଙ୍ଗୁଡି ବିକି ପାରିଲା ସିଏ’ ।
୧୯୬୧ ମସିହାର କଥା । ଇଟାଲୀୟ ଶିଳ୍ପୀ ପିଏରୋ ମାନଜିନୋ ୯୦ଟି ଛୋଟ ଛୋଟ ଟିଣ କେନ୍ ତିଆରି କଲେ । ୪.୮ ଗୁଣନ ୬.୫ ସେଣ୍ଟିମିଟରର ଏଇ ଛୋଟିଆ ଟିଣ କେନ୍ ର ଭିତରେ ୩୦ ଗ୍ରାମ୍ ର ମଳ ରହିଛି ବୋଲି କେନ୍ ଉପର ଲେବେଲ୍ ଭାବରେ ଇଟାଲୀ, ଇଂରାଜୀ, ଫ୍ରେଞ୍ଚ ଓ ଜର୍ମାନୀ ଭାଷାରେ ଲେଖା ଯାଇଥିଲା । ଲେଖାଥିଲା;
ଆର୍ଟିଷ୍ଟସ୍ ସିଟ୍
କଣ୍ଟେଣ୍ଟ ୩୦ଗ୍ରା ନେଟ୍
ଫ୍ରେସଲି ପ୍ରିଜରଭଡ୍
ପ୍ରଡ୍ୟୁସଡ ଆଣ୍ଡ ଟିନଡ୍ ଇନ୍ ମେ ୧୯୬୧


୨୦୦୭ ମସିହା ମଇ ମାସ ୨୩ ତାରିଖରେ ସୁଥବିସ୍ ର ଏକ ନିଲାମରେ ‘ଆର୍ଟିଷ୍ଟସ୍ ସିଟ୍’ର ଗୋଟେ କେନ୍ ୧୨୪,୦୦୦ ୟୁରୋରେ ବିକ୍ରୀ ହୋଇଥିଲା ଓ ୨୦୧୬ରେ ଖ୍ରୀଷ୍ଟିଜର ନିଲାମରେ ୨୭୫ ହଜାର ୟୁରୋରେ ବିକ୍ରୀ ହୋଇଥିଲା । ଶିଳ୍ପୀ ସମୁଦାୟ ୯୦ଟି ଟିନ୍ କେନ୍ ପ୍ରସ୍ତୁତ କରିଥିଲେ । ଏବେ ଅନେକ କଳା ମ୍ୟୁଜିୟମରେ ଓ ବ୍ୟକ୍ତିଗତ ଭାବରେ କଳାକୃତି ସଂଗ୍ରହ କରୁଥିବା ସଂଗ୍ରାହକ ମାନଙ୍କ ପାଖରେ ‘ଆର୍ଟିଷ୍ଟସ୍ ସିଟ୍’ ସଂଗୃହିତ ହୋଇ ରହିଛି ।

ବିଖ୍ୟାତ ବାମାବାଦୀ ବ୍ରିଟିଶ୍ ଶିଳ୍ପୀ ‘ଟ୍ରେସି ଏମିନ୍’ ୧୯୯୯ ମସିହାରେ ସେ ବ୍ୟବହାର କରୁଥିବା ଅବ୍ୟବସ୍ଥିତ ଖଟ, ବିଛଣା ଓ ତା’ର ଚାରିକତି ଅଳିଆ ମଳିଆ ପରିବେଶ ସୃଷ୍ଟି କରୁଥିବା ଜିନିଷ ପତ୍ରକୁ ନେଇ ‘ମାଇଁ ବେଡ୍’ ନାମରେ ଏକ ଇନଷ୍ଟଲେସନ୍ ତିଆରି କରିଥିଲେ । କଳାକୃତିଟି ୧୫୦,୦୦୦ ଆମେରିକୀୟ ଡଲାରରେ ବିକ୍ରୀ ମଧ୍ୟ ହୋଇଥିଲା । ସେମିତି ୧୯୭୭ ବିଖ୍ୟାତ ପପ୍ ଗାୟକ ‘ଏଲଭିସ୍ ପ୍ରିସଲେଙ୍କ ଅଧା ପିଆ ପାଣି ଗ୍ଲାସକୁ ତାଙ୍କ ବୁଦ୍ଧିଆ ସହକାରୀ ୪୫୫ ଆମେରିକୀୟ ଡଲାରରେ ବିକ୍ରୀ କରିପାରିଥିଲେ । ହଲିଉଡ୍ ସିନେମାର ଚର୍ଚ୍ଚିତ ଯୋଡି ‘ବ୍ରାଡ୍ ପିଟ୍’ ଓ ‘ଆଞ୍ଜେଲିନା ଜୋଲି’ ଥରେ ସାଙ୍ଗ ହୋଇ ରେଡ୍ କାର୍ପେଟ୍ ରେ ଚାଲୁଥିବା ବେଳେ ଜଣେ ସାମ୍ବାଦିକ ସେମାନଙ୍କ ଆଗରେ ମାଇକ୍ରୋଫୋନ୍ ବଦଳରେ ଗୋଟେ ଖୋଲା ଡବା ତୋଳି ଧରିଲେ ଓ ଦୁହିଁଙ୍କ ପ୍ରଶ୍ୱାସକୁ ସେଥିରେ ବନ୍ଦୀ କରିନେଲେ । ପରେ ସେହି ଡବାକୁ ସେ ୫୩୦ ଡଲାର୍ ରେ ନିଲାମ କରିଦେଇଥିଲେ । ଡବା ଉପରେ ଲେଖାଥିଲା ‘ବ୍ରାଞ୍ଜେଲିନା’ସ୍ ବ୍ରେଥ୍’ ।
ଚିତ୍ରଶିଳ୍ପୀ ‘ଜଷ୍ଟିନ୍ ଜିଗ୍ନାକ୍’ ବିଶ୍ୱାସ କରୁଥିଲେ ଯେ, ଆମେ ଭିତରେ ଥିବା ଜିନିଷ ଅପେକ୍ଷା ଉପରର ପ୍ୟାକେଜ୍ ଡିଜାଇନକୁ ହିଁ ଅଧିକ ଗୁରୁତ୍ୱ ଦେଇଥାଉ । ସୁଦୃଶ୍ୟ ପ୍ୟାକେଜିଂ ହିଁ ଆମକୁ ଜିନିଷଟିକୁ କିଣିବା ପାଇଁ ଅଧିକ ପ୍ରରୋଚିତ କରିଥାଏ । ସେଥିପାଇଁ ଜଷ୍ଟିନ୍ ୧୦ ଡଲାର୍ ଲେଖାଏଁ ମୁଦ୍ରା ବିନିମୟରେ ସୁନ୍ଦର କ୍ୟୁବ୍ ମାନଙ୍କରେ ପ୍ୟାକ୍ କରି ନ୍ୟୁୟର୍କ ସହରର ଅଳିଆକୁ ବିକିବା ଆରମ୍ଭ କରିଥିଲେ । ପରେ ଏହାର ଦର ୫୦ ଡଲାର୍ ରୁ ୧୦୦ ଡଲାର୍ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା । ସର୍ବଶେଷ ସୂଚନା ଅନୁସାରେ ଜଷ୍ଟିନ୍ ପ୍ରାୟ ନ୍ୟୁୟର୍କ ସହରର ବିଶୁଦ୍ଧ ଅଳିଆ ଥିବା ୧୩୦୦ ସୁଦୃଶ୍ୟ କ୍ୟୁବ୍ କୁ ପ୍ରାୟ ୩୦ ଦେଶରେ ବିକ୍ରୀ କରିସାରିଲେଣି ।


୨୦୧୧ରେ ନ୍ୟୁୟର୍କ ସହରର ‘ଦ ମ୍ୟୁଜିୟମ୍ ଅଫ୍ ନନ୍ ଭିଜିବଲ୍ ଆର୍ଟ’ ନାମକ ସଂସ୍ଥା ‘ଫ୍ରେସ୍ ଏୟାର୍’ ଶୀରୋନାମା ଥିବା କଳାକୃତିକୁ ୧୦,୦୦୦ ଡଲାରରେ ବିକ୍ରୀ କରିଥିଲା । ମଜା କଥା ହେଲା, ‘ଫ୍ରେସ୍ ଏୟାର୍’ ବୋଲି କଳାକୃତିଟିକୁ ବାସ୍ତବରେ କେହି ସୃଷ୍ଟି କରିନଥିଲେ । ଏହା ଶିଳ୍ପୀଙ୍କ କଳ୍ପନାରେ ଥିଲା ଓ ଜଣେ ସଂଗ୍ରାହକ ଶିଳ୍ପୀଙ୍କର ନିରୋଳା କଳ୍ପନାକୁ ଏତେ ଗୁଡ଼ିଏ ପଇସା ଦେଇ ଖରିଦ୍ କରିଥିଲେ । ପଇସା ଦେଇ ସେଇ ନିରୋଳା ପବନ କିଣିଥିବା କ୍ରେତାଙ୍କ ନାମ ହେଲା ‘ଏମି ଡାଭିସନ୍’ ।

ବିଶିଷ୍ଟ ଆମେରିକୀୟ ପପ୍ ଆର୍ଟିଷ୍ଟ ‘ଆଣ୍ଡି ଓରହାଲ୍’ ତାଙ୍କ କଳାକୃତି ଗୁଡ଼ିକୁ ଏମିତି ବାଗରେ ବିକ୍ରି  ଉପଯୋଗୀ କରୁଥିଲେ ଯେ, ତାଙ୍କୁ ତାଙ୍କ ସମାଲୋଚକମାନେ ବେପାରୀ ଚିତ୍ରଶିଳ୍ପୀ ବୋଲି ପଛରେ କହୁଥିଲେ । ଆଣ୍ଡି କହୁଥିଲେ ଯେ, “Being good in business is the most fascinating kind of art. Making money is art and working is art and good business is the best art.”

ଆଗରୁ ଆମକୁ ଏଠି କୁହାଯାଏ, “କହି-ବୋଲି ପାରିଲା ଯିଏ, ପଚା ଚିଙ୍ଗୁଡ଼ି ବିକି ପାରିଲା ସିଏ ।” ସତ କଥା ।  କରି ଜାଣିଲେ ଦୁନିଆରେ ସବୁ କିଛି ବିକ୍ରି ହୋଇପାରିବ । ସବୁକିଛି ମାନେ ସବୁକିଛି । ଆଜିର ଯୁଗରେ ଆମର ପ୍ରକୃତ ଆବଶ୍ୟକତାକୁ ଆମେ ନୁହେଁ ବରଂ ଆଜିର ବଜାର ନିର୍ଦ୍ଧାରଣ କରୁଛି । ବଜାର ହିଁ କହୁଛି ଏଇଟା କିଣ, ସେଇଟା କିଣ । ମୋତେ ଲାଗେ ଆମ ସମୟର ଆଜିର ବୁଦ୍ଧିଆ ମଣିଷମାନେ କେବଳ ଗୋଟିଏ କାମରେ ଲାଗିଛନ୍ତି । କାମଟି ହେଲା- କେମିତି କେତେ ପ୍ରକାରର ଜିନିଷ ବିକ୍ରୀ ହୋଇପାରିବ, ତା’ ପାଇଁ ସରଳ ସୂତ୍ର ସନ୍ଧାନ କରିବା । ସେଥିପାଇଁ ଆମ ଚାରିକତି ହରେକ୍ ମାଲ୍ ର ପସରା । ପୁଞ୍ଜୀବାଦର ବଜାର ଅନେଇ ବସିଛି, କୋଉ ଛଟକରେ ଆମ ପକେଟ ଖାଲି କରିଦେବ । ଥରେ ଥରେ ମୁଁ ମୋ ଘରେ ବସି ଚାରିକତି ଆଖିପକେଇ ଦେଖେ, କେତେ କେତେ ଅଦରକରୀ ଚିଜକୁ  ଦରକାରୀ  ମନେକରି ମୁଁ ସରାଗ ସହିତ କିଣି ଆଣି ପାଖରେ ରଖିଛି । କିଣିଲା ବେଳେ ଅତି ଆବଶ୍ୟକୀୟ ମନେ ହୋଇଥିବା ଓ ଅଧୁନା ଅଳିଆ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଚିଜ ଗୁଡିକୁ ନା ଘରୁ ଫୋପାଡି ହେଉଛି ନା ଘର ଭିତରେ ରଖି ହେଉଛି । ଇଏ ଗୋଟେ ମାୟା । ଏମିତିକା ମାୟାବର୍ତ୍ତରୁ ମୁକୁଳିବା କିନ୍ତୁ ବଡ଼ ମୁସ୍କିଲ ଏକା ।