Latest Odisha News

BREAKING NEWS

ବିଭେଦ

ବିଭେଦ

ସସ୍ମିତା ରାଉତ

ଧର୍ଷଣକୁ ନେଇ ମୋର
ବିରୋଧ କେତେ ପ୍ରକାରର ?

ତୁମେ କେବଳ “କ” ସ୍ତମ୍ଭ ସହ
“ଖ” ସ୍ତମ୍ଭର ସମ୍ପର୍କକୁ ଦେଖ
ଆଉ ମଜା ନିଅ ।

“କ” ସ୍ତମ୍ଭରେ
କେଣ୍ଡେଲ ମାର୍ଚ୍ଚ,
ଟାୟାର ଗନ୍ଧ, କାଚ ଗୁଣ୍ଡ ,
ବଳତ୍କାରୀ ସାଧାରଣ ବସଚାଳକ ?
କୁହୁଳି ଉଠିବ ଧୂଆଁ, ସୁନିଶ୍ଚିତ !
“ଖ” ସ୍ତମ୍ଭରେ
ଶବ ସହ ମା’
ଏବଂ ଲୋକଙ୍କ ମୁଣ୍ଡରେ ନିଆଁ ।

“କ” ସ୍ତମ୍ଭରେ
ଧର୍ଷଣକାରୀର ଧର୍ମ,
ପୀଡିତାର ଧର୍ମ,
ଧର୍ଷଣ ଘଟୁଥିବା ସ୍ଥାନ ମଧ୍ୟ
ଏଠି ଖୁବ୍ ଗୁରୁତ୍ୱପୂର୍ଣ୍ଣ !
“ଖ” ସ୍ତମ୍ଭରେ
ଶବ ସହ ବାପ
ଏବଂ ତାଙ୍କ ଧର୍ମର ଲୋକ !

“କ”ସ୍ତମ୍ଭରେ
କେତେ ନୃଶଂସ ହୋଇପାରିଛି ହତ୍ୟା ?
ପୋଷାକ କେତେ ମାତ୍ରାରେ ଆବୃତ୍ତ ଥିଲା ?
କମ୍ ବୟସର ଝିଅ ! ଆହା…
“ଖ” ସ୍ତମ୍ଭରେ
ପୀଡିତାର ଭାଇ ସହ
ଦୁନିଆଁଯାକ ଲୋକ ଠିଆ !

“କ” ସ୍ତମ୍ଭରେ
ମନ୍ତ୍ରୀ, ବ୍ୟାପାରୀ ଓ ଅଧିକାରୀ
ଅବା ଏମାନଙ୍କର କେହି ଖାସ !
“ଖ” ସ୍ତମ୍ଭରେ
ପୀଡିତା ଏକା !
ସାଥିରେ କେବଳ ଦୀର୍ଘନିଶ୍ୱାସ।

“କ” ସ୍ତମ୍ଭରେ
ଶାସକ ଦଳର ସାଂସଦ
ପୂର୍ବତନ ଅଥବା ବର୍ତ୍ତମାନର ।
“ଖ” ସ୍ତମ୍ଭରେ
ନା ତର୍କ, ନା ଯୁକ୍ତି
ନା ହେବ ବିଚାର;
ଏଠି ସିଧା ରାୟ !
ଏ ଝିଅ ହିଁ ପ୍ରକୃତ ଅପରାଧୀ,
ୟାକୁ ଠୁଙ୍କିଦିଅ ଜେଲରେ
ଯେପରି ମୁହଁ ଫିଟିବନି
କେବେ ଅନ୍ୟ କାହାର ।

ଧର୍ଷଣକୁ ନେଇ
ମୋ ବିରୋଧ କେତେ ପ୍ରକାର !

ଏ ସବୁ ଘୋଷିନିଅ,
ନିହାତି ବାଜେ କିଛି କଥା,
ଜଣେ କବିର ଗୋଟେ ଅକବିତା !

ନଚେତ ଆଉ କିଛି ମୁହୂର୍ତ୍ତ ପରେ
ସେ ନିଜେ ଭୁଲିଯିବ
କଣ ସବୁ ଲେଖିଥିଲା !
………………………….
ତାଳଚେର, ଅନୁଗୁଳ

Leave A Reply

Your email address will not be published.