ଖେଳ

ଖେଳ

ମୁକୁଲ୍ ମିଶ୍ର

ଘଣ୍ଟା ପ୍ରତି
ଶହେ କିଲୋମିଟର ବେଗ
ଆଉ ନିଜ ଭିତରୁ
ଉଠି ଆସୁଥିବା ଅଇ ସହ
ଯୁଝୁଥିଲା ବେଳେ
ଯେମିତି ଝର୍କା ବାଟେ
ଅଦେଖା ରହିଯାଏ ସାରାଟା ପୃଥିବୀ,
ସେମିତି ହିଁ
ତୁ ତୋ ଭିତରେ ବୁଡିଥିବୁ
ଆଉ ତୋର ମତେ ତୋଳି ପାରିନଥିବା
ଆଖିର ଉହାଡରେ
ଠିକ୍ ଗୋଟେ ଦୃଶ୍ୟ ଭଳି
ଖୁବ୍ ପଛରେ ରହିଯିବି ଦେଖିବୁ !

ଗୋଟେ ରୂପେଲୀ ମୋହରେ
ତୁ ଅନ୍ଧ ହେବା ଯାଏ
ତୋ ଆଗେ ନାଚିଲା ପରେ ବି
ତୋ ଜାଲର ମାଛ ଗନ୍ଧରେ
ମୁଁ ନଥିବି ।

ତୁ ମତେ ଛୁଇଁ ବି
ଛୁଇଁ ପାରି ନଥିବା ହାତ
ଆଉ ବୁନ୍ଦାଏ ପାରଦ ଭଳି
ସ୍ୱଚ୍ଛ ହିଁ ରହିଯିବି ମୁଁ ଦେଖିବୁ!

ଗପ କହୁଥିବୁ,
ହୁ ମାରୁଥିବି
ଗପ ସରୁ ସରୁ ତୋ ଆଖି
ଡୋଳାରୁ ସୁଖର ସୂତ୍ର
ଖୋଜିଲା ବେଳକୁ
ନାଲି ଛକିଚିହ୍ନରେ ସେଇଠି
କିଳିଦେବୁ ମତେ।

ଜାଣେ,
ପୋଖତ୍ ଖେଳାଳି ତୁ
ବାଜିମାତ୍ ଦେଇଯିବୁ
ଆଉ ମୁଁ ମନ୍ତ୍ର ଭଳି
ଜପିଜପି ରହିଯିବି ତତେ!

ବାରମ୍ବାର ଏଇ ନର୍କରେ ପଡିବା ହିଁ
ଏବେ ମୋର ପ୍ରିୟତମ ବିଳାସ।
ଏ ପ୍ରେମ ସିଦ୍ଧ ନା ଅସିଦ୍ଧ
ସିଏ ତ ପର କଥା!
…………………..
ବଲାଙ୍ଗୀର

LEAVE A REPLY

Please enter your comment!
Please enter your name here