ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୨)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

୨: ନିଝୁମ ରାତିରେ ରକି: ଲୁହର କିଛି ରଂଗ ନାହିଁ

ରକି ଜୀବନରେ ଯେ ଦୁଃଖ ଅଛି- ତାହା ଅନ୍ୟ କେହି ବୁଝି ପାରିବେନି । ମଣିଷ ତ ମଣିଷ ଜୀବନର ଦୁଃଖ ବୁଝି ପାରେନି । କୁକୁର ଜୀବନର ଦୁଃଖ କଣ ବୁଝିବ!

ଏମିତିରେ ଦେଖିଲେ ରକିଠୁଁ ସୁଖରେ ଆଉ କେହି ନାହିଁ । ସୁଖମୟ ବାବୁଙ୍କ ଭରତପୁର ଘରେ ବଡ଼ ଆଦରରେ ଅଛି ସେ । ତାର ରହିବାର, ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା । ତା ପାଇଁ ସପ୍ତାହରେ ପାଞ୍ଚ ଦିନ ମାଂସ ଆସେ । ତାକୁ ପୁଣି ହଳଦି, ଲୁଣ ଦେଇ ସିଝେଇ ଅଲଗା ରୋଷେଇ କରାଯାଏ । ସପ୍ତାହର ବାକି ଦୁଇଦିନ ସୋମବାର ଗୁରୁବାର- ଦୁଇଦିନ ସେ ପ୍ୟାକେଟ୍ର ଖାଦ୍ୟ ଖାଏ । ସେ ଶୀତ ତାପ ନିୟନ୍ତ୍ରିତ ଘରେ ଶୁଏ । ମାସରେ ଥରେ ତାର ନଖ କଟାହୁଏ, କୁକୁରମାନଂକ ପାଇଁ ବିଶେଷ ଭାବେ ତିଆରି ଶ୍ୟାମ୍ପୁରେ ଦେହ ଧୁଆ ହୁଏ । ଘରେ ନୁହେଁ, ଭୁବନେଶ୍ୱରରେ କୁକୁରମାନଂକ ପାଇଁ ବିଶେଷ ସେଲୁନ ହୋଇଛି – ସେଠି । ସୁଖମୟ ବାବୁ ତାକୁ ପ୍ରତିଦିନ ପ୍ରାତଃଭ୍ରମଣକୁ ନେଇ ଯାଆନ୍ତି । ସୁଖମୟ ବାବୁ ନ ଥିଲେ ତାଙ୍କ ଚାକର ଟୋକା ନକୁଳ ନେଇଯାଏ । ରକି ଆଗେ ଆଗେ ଯାଏ । ତାର ସବଳ ଦେହର ମାଂସପେଶୀରେ ସକାଳର ସୂର୍ଯ୍ୟାଲୋକ ଢେଉ ଖେଳି ଯାଏ । ତା ପଛେ ପଛେ ନକୁଳ ବା ସୁଖମୟବାବୁ । ଏମିତି ଚାଲୁଥିଲାବେଳେ ନକୁଳ ଆଉ ସୁଖମୟ ଭିତରେ ବିଶେଷ ଫରକ ଦିଶେନି । ଉଭୟେ ଏ ସମୟରେ ତାର ସେବାରେ ଥାନ୍ତି ।

ରକିର ଦେହର ରଂଗ ହେଲା ଶେଷ ଭାଦ୍ରର ବାଦଲ ପରି ଧୂସର । ଏ ଉପମାଟା ସୁଖମୟ ବାବୁ ଯାହାଠୁଁ ରକିକୁ କିଣିଥିଲେ – ହାବୁଲ ଲେଙ୍କା- ସେ ଦେଇଛି । ରକି ନାଁଟା ବି ସେ ଦେଇଛି । ହାବୁଲ ତା ଭିଜିଟିଂ କାର୍ଡରେ ନିଜ ବିଷୟରେ ଲେଖିଛି: ପ୍ରଫେସନାଲ ଡଗ୍ ବ୍ରିଡର ଆଣ୍ଡ ସେଲର୍ । ବିଭିନ୍ନ ବିଦେଶୀ ଜାତିର କୁକୁର ଛୁଆ ଜନ୍ମ କରେଇବା ଆଉ ତାକୁ ବିକ୍ରି କରିବା- ତାର ପେଶା । ମାକେର୍ଟିଂରେ ସେ ଧୁରନ୍ଧର । କାହାକୁ କେମିତି କଣ କହିଲେ ମୁର୍ଗା ପଟିବ- ସେ ଠିକ୍ ଜାଣିଛି । ସୁଖମୟ ବାବୁ ଯେତେବେଳେ ତା ପାଖରେ କୁକୁର କିଣିବାକୁ ପହଞ୍ଚିଲେ, ତାଙ୍କୁ କହିଲା- ସାର୍ ରକି ସିରିଜ୍ର ଫିଲ୍ମ୍ ଦେଖିଛନ୍ତି? ସୁଖମୟ ବାବୁ ଦେଖି ନଥିଲେ । ବାର କାମ ଭିତରେ ସିନେମା ଦେଖିବାକୁ ତାଙ୍କୁ ସମୟ କାଇଁ! ସେ ଚୁପ୍ ରହିଲେ । ହାବୁଲ ବୁଝି ପାରିଲା- ସୁଖମୟ ବାବୁ ରକି କିଏ ଜାଣିନାହାନ୍ତି । ସେ କହିଲା- ସିଲ୍ଭେଷ୍ଟର ଷ୍ଟାଲୋନ ହେଲେ ରକି । ଏକଦମ ମାର୍ଭେଲସ୍ ଚେହେରା ସାର୍ । କି ମସଲ୍ । ଏ କୁକୁର ବଡ଼ ହେଲେ ସେମିତି ଚେହେରାର ହେବ । ଚାଲିଯିବ ଯେ ପାଞ୍ଚ ଲୋକ ବୁଲି ଚାହିଁବେ । କାହା ଆଡ଼କୁ ଦି ପାଦ ଆଗେଇ ଯିବ ତା ପେଣ୍ଟରେ ଶୁଶୁ ହୋଇଯିବ । ଘରେ ଥିବ ଯେ ଘରର ଶାନ୍ ବଢ଼ିଯିବ । ଘାଉ ଘାଉ କରି ଡାକିଦେବ ଯେ ପଡେ଼ାଶୀର ହାର୍ଟ ଆଟାକ୍ ହୋଇଯିବ ।

ସୁଖମୟ ବାବୁଙ୍କୁ ଏସବୁ କଥା ଖୁବ ପଇଟିଲା – ବିଶେଷ କରି ପଡେ଼ାଶୀର ହାର୍ଟ ଆଟାକ୍ କଥାଟି । କୁକୁର ଡାକିଦେଲେ ଯଦି ପଡେ଼ାଶୀ ନନ୍ଦ ମହାପାତ୍ରର ହାର୍ଟ ଆଟାକ୍ ହୋଇଯାଏ- ମନ୍ଦ କଣ! ଲୋକଟାକୁ ଆଦୌ ପସନ୍ଦ କରନ୍ତି ସୁଖମୟ ବାବୁ । ତଥାପି ସେ ପଚାରିଲେ, ଆଚ୍ଛା ମାଲିକକୁ କାମୁଡ଼ି କୁମୁଡ଼ି ଦେବ ନି ତ!

– ନାଇଁ ସାର୍ । ଇଏ ଜର୍ମାନ ଶେଫାର୍ଡ କୁକୁର ସାର୍ । କାନ ଦେଖନ୍ତୁ ସାର୍ । କେମିତି ଲମ୍ବା ଆଉ ସିଧା ଉପରକୁ ଉଠିଛି । ବହୁତ ପ୍ରଭୁଭକ୍ତ କୁକୁର ସାର୍ । ମାଲିକ ପାଇଁ ଜାନ୍ ଲଢେ଼ଇ ଦେବ । ପୋଲିସ ମିଲିଟାରି ଏଇ ଜାତିର କୁକୁର ବେଶି ରଖନ୍ତି । ଭାରି ବୁଦ୍ଧିମାନ କୁକୁର । କୁକୁର ଜାତିରେ ଏମାନଙ୍କୁ ଆଇନ ଷ୍ଟାଇନ୍ ବୋଲି କୁହାଯାଉଥିବ । ଆପଣ ବେଫିକର ନେଇଯାଆନ୍ତୁ । ଇଣ୍ଟରନେଟ୍ ଖୋଲି ଏ ବ୍ରିଡର କୁକୁର କଥା ପଢ଼ିଦେବେ ସାର୍ । ଜାଣିବେ- କି କୁକୁର ଆପଣ ଘରକୁ ନେଉଛନ୍ତି । ହୀରା ବିଲକୁଲ୍ ହୀରା । ଟୁୟେଣ୍ଟି ଫୋର କ୍ୟାରଟ ଗୋଲ୍ଡ୍ ।

ତ ହୀରା ହେଉ ବା ସୁନା- କୋଡ଼ିଏ ହଜାର ଟଙ୍କାରେ ସୁଖମୟ ବାବୁ ମାସକର ରକିକୁ ତା ନାଁ ସମେତ ତାଙ୍କ ଭୁବନେଶ୍ୱର ଘରକୁ ନେଇ ଆସିଲେ । ସେଠି ସେ ବର୍ଷେ ରହିଲା । ସୁଖମୟ ବାବୁଙ୍କ

ସାନ ଝିଅଟା – ତା ନାଁ ରୋଜି – ତାକୁ ବହୁତ ଭଲ ପାଉଥିଲା । ସବୁବେଳେ ତା ସାଂଗରେ ରହେ । ତା ସାଂଗରେ କଥା କହେ । ଛାତିରେ ଚାପି ଧରି ଗେଲ କରେ । ରକିକୁ ଭଲ ଲାଗେ । ହେଲେ ଯେତେ ଯାହା ହେଲେ ବି ସେ ମଣିଷ । କୁକୁର ନୁହେଁ । ତା ମା ନୁହେଁ । ଟିକି ରକି ସେତେବେଳେ ମାକୁ ମନେ ପକାଏ । ମାକୁ ଖୋଜେ । ବାପାର ସାନିଧ୍ୟ ଖୋଜେ । ପାଏନି । ଟିକି ରକି କାନେ୍ଦ । ତା ଆଖିର ଲୁହ ସମସ୍ତଙ୍କୁ ଦିଶେ । ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଏ । ସେ ତାକୁ ଇଞ୍ଜେକ୍ସନ ଦିଅନ୍ତି । ଔଷଧ ଦିଅନ୍ତି । ହେଲେ ତା ମନ ଭିତର ଖବର କେହି ବୁଝନ୍ତିନି । ସବୁ କଷ୍ଟରେ ସିନା ଲୁହ ବାହାରେ, ହେଲେ କଷ୍ଟଟା ଯେ କଣ – ତାହା କଣ ଲୁହରୁ ଜାଣି ହୁଏ? ଲୁହର ତ କିଛି ରଂଗ ନାହିଁ ।

ରକି ତାର ବାପା ମା କିଏ ଜାଣିନି । ବ୍ରିଡରରେ ଘରେ ତାର ଜନ୍ମ । ହାବୁଲ୍ ଲେଙ୍କା ତା ଗ୍ୟାରେଜରେ କୁକୁରମାନଂକ ବାସର ସଜାଏ । ସେଠି ସହବାସ ସିଜନ୍ରେ ମାଈ କୁକୁରକୁ ରଖାଯାଏ । ପୁରୁଷ କୁକୁରଙ୍କୁ ଭଡ଼ାରେ ଅଣାଯାଏ । ସହବାସ ପରେ ପୁରୁଷ କୁକୁର ତା ଜାଗାକୁ ଚାଲିଯାଏ । ବାସ୍, ଆଉ ତା ସହିତ ମାଈ କୁକୁରଟିର ଦେଖା ହୁଏନି । ମାଈ କୁକୁରଟି ଗର୍ଭବତୀ ହେଲେ ଛୁଆ ଜନ୍ମ ହେବା ପୂର୍ବରୁ ସେ ଛୁଆକୁ ବିକ୍ରିର ବ୍ୟବସ୍ଥାରେ ଲାଗିଯାଏ ହାବୁଲ । ଆଜିକାଲି ଭଲ ଜାତିର ବିଦେଶୀ କୁକୁର ରଖିବା ବହୁତ ଲୋକଙ୍କର ସଉକ ହେଲାଣି । ସେମାନଙ୍କୁ ଯୋଗାଯୋଗ କରେ ହାବୁଲ୍ । ତା ଘର ପାଖରେ ଗୋଟେ ବଡ଼ ବ୍ୟାନର ଟାଙ୍ଗିିଛି । ନିଜର ଗୋଟେ ୱେବସାଇଟ୍ ବି କରିଛି । ହେଲେ ଏ ବେପାର ଚାଲେ କଣ୍ଟାକ୍ଟ୍ରେ । ହାବୁଲର ନେଟ୍ୱାର୍କ ଭଲ । କ୍ଲାୟେଣ୍ଟ୍ ସର୍ଭିସିଂ ଭଲ । କୁକୁର ଖାଦ୍ୟ କେଉଁଠୁ କିଣିବେ, ଦେହ ଖରାପ ହେଲେ କଉ ଡାକ୍ତରଙ୍କ ପାଖରେ ଦେଖେଇବେ, ଛୁଟିରେ କୁଆଡେ଼ ବୁଲି ଗଲେ କେଉଁଠି ରଖି ଯିବେ- ଏସବୁ ଖବର ତା ପାଖରେ । ତା ପାଖରୁ କୁକୁର କିଣିଥିବା ଲୋକ ଆଉ ପାଞ୍ଚ ଜଣଙ୍କୁ ତା କଥା କହନ୍ତି । ହାବୁଲର ବେପାର ଭଲ ଚାଲିଛି । ଏବେ ସେ ବ୍ରିଡିଂ ସାଂଗରେ କୁକୁରମାନଙ୍କର ଗୋଟେ ସେଲୁନ୍ ଆଉ ସ୍ପା ଖୋଲିବା କଥା ବି ଚିନ୍ତା କଲାଣି । ସେଠି କୁକୁରମାନଂକୁ ଗାଧୋଇ ଦିଆଯିବ, ଲୋମ ସଫା କରାଯିବ । ନଖ କାଟି ଦିଆଯିବ । ହାବୁଲ ଲୋକଟାକୁ ରକିର ଆଉ ବିଶେଷ ମନେ ନାହିଁ । ମନେ ରହିବା କଥା ବି ନୁହେଁ । ସେ ଯେତେବେଳେ ସୁଖମୟ ବାବୁଙ୍କ ଘରକୁ ଆସିଲା, ତା ବୟସ ମାସେ । ତାର ଚାଲିବା ଠିକ୍ ହୋଇନଥିଲା । ସେ ସମୟରେ ମାକୁ ବହୁତ ଖୋଜୁଥିଲା ରକି । ମା କ୍ଷୀର ବେଶି ଦିନ ଖାଇନି ସେ । ମା ଥନରୁ କ୍ଷୀର ପିଇବାକୁ ଚାହୁଁଥିଲା ରକି । ମା ଦେହର ବାସ୍ନା ଚାହୁଁଥିଲା । ବାପାର ସାନିଧ୍ୟ ଚାହୁଁଥିଲା ।

ରୋଜି ତାକୁ ବହୁତ ଗେଲ କରୁଥିଲା । ହେଲେ ରୋଜିର ପ୍ରେମରେ ମାର ସ୍ନେହ ତ ନାହିଁ । ଆଚ୍ଛା, ରୋଜିର ମା- ଯାହାକୁ ସୁଖମୟବାବୁ ମିନତି ବୋଲି ଡାକନ୍ତି- ସେ କେବେ ବି ରକିକୁ ବିଶେଷ ପସନ୍ଦ କରି ନାହାନ୍ତି । ରକିକୁ ଧରି ସେ କେବେ ଗେଲ କରି ନାହାନ୍ତି । କେବେ ତାକୁ ଆଉଁସି ଦେଇ ନାହାନ୍ତି । ଖାଇବାକୁ ଦେଇଛନ୍ତି- ହଁ, ହେଲେ କେବେ ଅନ୍ତରରୁ ସ୍ନେହ କରି ନାହାନ୍ତି । ସୁଖମୟ ବାବୁ ତାକୁ ଆଣିଥିଲେ ବୋଲି ବୋଧହୁଏ ସେ ରକିକୁ ସ୍ନେହ କରିନାହାନ୍ତି । ସୁଖମୟ ବାବୁଙ୍କୁ ଯେ ସେ ପସନ୍ଦ କରନ୍ତି ନାହିଁ- ତାହା ରକି ବୁଝିପାରେ । କିଏ କାହାକୁ ପସନ୍ଦ କରେ ବା କରେ ନାହିଁ- ତାହା ମଣିଷଠୁଁ କୁକୁରମାନେ ଅଧିକ ବୁଝି ପାରନ୍ତି ।

ମା ସ୍ନେହକୁ ଝୁରି ଝୁରି ବଡ଼ ହୋଇଛି ରକି । ବର୍ଷେ ଦୁଇ ତିନି ମାସ ଭିତରେ ନଡ଼ବଡ଼ ହୋଇ ଚାଲୁଥିବା ଟିକି ରକି ପୂର୍ଣ୍ଣ ବୟସ୍କ ରକି ହୋଇ ଉଠିଛି । ତା ଚେହେରା, ଚାଲି, କଣ୍ଠସ୍ୱର ସବୁ ବଦଳି ଯାଇଛି ।

ବଦଳିନି ତ କେବଳ ଗୋଟିଏ କଥା: ରକିର ସ୍ୱାଧୀନତା ବୋଲି କିଛି ନାହି । ସେ ନିଜ ଇଚ୍ଛାରେ ବାହାରକୁ ଯାଇ ପାରିବନି । ନିଜ ଇଚ୍ଛାରେ ବୁଲି ପାରିବନି । ସୁଖମୟ ବାବୁ କିମ୍ବା ନକୁଳ ତାକୁ ସକାଳୁ ଆଉ ରାତିରେ ବୁଲେଇ ନେବେ । ବାସ୍ । ବାଲ୍କୋନି ଉପରୁ ଯାହା ଆକାଶ ଦେଖିବ ସେ । ସେ ନିଜ ଇଚ୍ଛାରେ ଖାଇ ବି ପାରିବନି । ତାକୁ ଯାହା ଦିଆଯିବ ସେ ତାହାହିଁ ଖାଇବ । ରକି ଜାଣେ ସେ ତା ନିଜ ଇଚ୍ଛାରେ ସଙ୍ଗିନୀ ବି କରି ପାରିବନି । ରକି ଏକଥା ବି ଜାଣେ ଯେ ତାର ପିଲାହେଲେ ସେମାନଂକ ସାଂଗରେ ବି ସେ ରହି ପାରିବ ନି । ତାର ଯାହା ଅବସ୍ଥା ହୋଇଥିଲା- ତା ପିଲାମାନଂକର ବି ସେଇଆ ଅବସ୍ଥା ହେବ । ରକି ଏ ଚିତ୍ର ସହିତ ମନେଇ ନେବାର ଚେଷ୍ଟା କରେ । ହେଲେ ବେଳେବେଳେ ତାର ଇଚ୍ଛା ହୁଏ- ସବୁ ବନ୍ଧନ ଛିଡେ଼ଇ ବାହାରକୁ ବାହାରି ଯାଏ । ହେଲେ ଇଚ୍ଛାକୁ ଦମନ କରି ଶିଖିଛି ସେ । ଏ କଳା କିଛିଟା ତା ରକ୍ତରେ ରହିଛି । ଜର୍ମାନ ଶେଫାର୍ଡ ଜାତିର କୁକୁରମାନେ ପ୍ରଭୁଭକ୍ତ ହୁଅନ୍ତି । ଆଉ କିଛିଟା ଅଭ୍ୟାସରେ ପଡ଼ିଯାଇଛି । ରକି ଜାଣେ ଏ ଘରୁ ବାହାରକୁ ବାହାରିଗଲେ ତାକୁ ନିଜ ଖାଦ୍ୟ ନିଜେ ସଂଗ୍ରହ କରିବାକୁ ପଡ଼ିବ । ସେ ବିଦ୍ୟା ରକି ଶିଖିନି । କେବଳ ରକି କାହିଁକି, କେଉଁ କାଳୁ ସେ ବିଦ୍ୟା ତାଙ୍କ ଜାତିର କୁକୁରମାନେ ଭୁଲି ଗଲେଣି । ରକି ଜାଣେ ଯେତେଦିନ ଯାଏଁ ସେ ଏମିତି କେଉଁ ପ୍ରଭୁ ଘରେ ରହିଛି ସେ ନିରାପଦରେ ଅଛି । ବାହାରକୁ ବାହାରିଗଲେ ନିଜର ନିରାପତ୍ତାର ଦାୟିତ୍ୱ ବି ତାର । ନିଜକୁ ଶତ୍ରୁ କବଳରୁ ବଂଚେଇ ରଖିବାର କଳା ସେ ଶିଖିନି । ତେଣୁ ଦାସତ୍ୱକୁ ସେ ସ୍ୱୀକାର କରି ନେଇଛି । ଆଉ ଏ ଜୀବନକୁ ଉପଭୋଗ କରିବାର ଚେଷ୍ଟା କରି ଚାଲିଛି । ତଥାପି ପରାଧୀନତା ତାକୁ କଷ୍ଟ ଦିଏ । ସେ ରାଗିଯାଏ । ଆଉ ସେ ରାଗକୁ ଅନ୍ୟମାନଂକ ଉପରେ ଶୁଝାଏ । ବିଶେଷ କରି ସୁଖମୟ ବାବୁଙ୍କ ଘରକୁ ଆସୁଥିବା ଲୋକଂକ ଉପରେ । କେହି ବି ଆସିଲେ ସେ ଗରଗର ହୁଏ । ସେମାନଂକୁ ଦାନ୍ତ ଦେଖେଇ ଡରାଏ । ଖିଙ୍କାରି ହୁଏ । ସେ ଜାଣେ ତାର ରୂପ ଦେଖି ଅନେକେ ଡରିଯାଆନ୍ତି । ତେଣୁ ସେ ଡରାଏ । ଆଉ ମନେ ମନେ ଆନନ୍ଦ ପାଏ । ଘରେ କେହି ଲୋକବାକ ଆସିଲେ ସେ ଏସି ରୁମ୍ ଛାଡ଼ି ଯାଏନି । ସୁଖମୟ ବାବୁଙ୍କ ଶୋଇବା ଘରଟିରେ କେବଳ ଏସି ଲାଗିଛି । ରକି ସେଇ ରୁମ୍ରେ ଚଟାଣରେ କାର୍ପେଟ୍ ଉପରେ ଶୁଏ । ଘରେ କେହି ଘନିଷ୍ଠ ଆତ୍ମୀୟ ଆସିଲେ- ଆଉ ତାଙ୍କୁ ଏସି ଘରେ ଶୁଆଇବାକୁ ହେଲେ ରକିକୁ ସେ ରୁମ୍ ଛାଡ଼ି ଯିବାକୁ କହିଲେ ସେ ନାଲି ଆଖି ଦେଖେଇ ଭୁକେ । ସୁଖମୟ ବାବୁ କହନ୍ତି: ରକି ଏଇ ରୁମ୍ରେ ଥାଉ । ବିନା ଏସିରେ ସେ ରହି ପାରିବନି । ଅନ୍ୟମାନେ ଗରମରେ ପଛେ ଶୋଇବେ, ରକି ଶୋଇବ ଏସିରେ । ଖାଇବାରେ ଟିକିଏ ଅସୁବିଧା ହେଲେ ସେ ଗରଗର ହୁଏ ।

ଗତ ଛ ମାସ ହେଲା ସୁଖମୟ ବାବୁ ତାକୁ ଭରତପୁରକୁ ନେଇ ଆସିଛନ୍ତି । ସୁଖମୟ ବାବୁ କଣ୍ଟ୍ରାକ୍ଟର ଲୋକ । ଏଠି ଜାତୀୟ ରାଜପଥ ଚଉଡ଼ା ହେବ- ତାର କଣ୍ଟ୍ରାକ୍ଟ୍ ନେଇଛନ୍ତି । କାମର ତଦାରଖ ପାଇଁ ତାଙ୍କୁ ମଝିରେ ମଝିରେ ଆସିବାକୁ ପଡ଼ିବ- ଏଇଆ ଭାବି ସେ ଭରତପୁରରେ ବଡ଼ ଘରଟିଏ ଭଡ଼ା ନେଇଛନ୍ତି । ଏଠି ସେ ତାଙ୍କର ରକ୍ଷିତା ନନ୍ଦିନୀକୁ ଆଣି ରଖିଛନ୍ତି । ଏଟା ତାଙ୍କର ସିଷ୍ଟମ୍ । ଯେଉଁଠି ବଡ଼ କାମ ମିଳେ, ସେ ସେଠି ଘର ନିଅନ୍ତି, ଆଉ ନନ୍ଦିନୀକୁ ସେଠି ଆଣି ରଖନ୍ତି । ନନ୍ଦିନୀ ପୂର୍ବରୁ ତାଙ୍କର ଆଉ ଜଣେ ରକ୍ଷିତା ଥିଲା । ମିଲି । ସେ ତାର ଗୋଟେ ସମୟରେ ଗୋଟେ ବୟଫ୍ରେଣ୍ଡ୍ ଯୋଗାଡ଼ କରି ତା ସାଂଗରେ ପଳେଇଲା । ତା ପରେ ଆସିଛି ନନ୍ଦିନୀ । ଗରିବ ଘରର ଅଳ୍ପ ଶିକ୍ଷିତା ଝିଅ । ଦି ବକ୍ତର ଖାଦ୍ୟ ଆଉ ନିରାପତ୍ତା ପାଇଁ ସୁଖମୟ ବାବୁଙ୍କ ସହିତ ରହେ ସେ । ରୋଷେଇବାଷ କରେ । ଘର ପୋଛେ । ଲୁଗାପଟା ସଫା କରେ । ସନ୍ଧ୍ୟା ପରେ ସୁଖମୟ ବାବୁଙ୍କ ପାଇଁ ପେଗ୍ ତିଆରି କରିଦିଏ ଆଉ ସୁଖମୟ ବାବୁ ଯେତେବେଳେ ଚାହାନ୍ତି ତାଙ୍କ ଦେହର ଦାବି ମେଣ୍ଟାଏ ।

ସୁଖମୟ ବାବୁ ଲୋକଟାକୁ – ମାଲିକ ହେଲେ କଣ ହେଲା ଜମା ପସନ୍ଦ କରେନି ରକି । ପସନ୍ଦ କରେନି କଣ- ମୋଟା କୋଦା, ଅଧା ଚନ୍ଦା ଲୋକଟାକୁ ଘୃଣା କରେ ରକି । ସାମ୍ପ୍ରତିକ ଗବେଷଣା କହେ କୁକୁର ଜାଣିପାରେ କାହାକୁ ବିଶ୍ୱାସ କରିହେବ କାହାକୁ କରିହେବ ନାହିଁ । ଜାପାନର କୋୟୋଟୋ ବିଶ୍ୱବିଦ୍ୟାଳୟର ଆକିକୋ ତାକାଓକା ଏବଂ ତାଙ୍କ ଟିମ୍ ଗବେଷଣା କରି ଏହା ଜାଣିପାରିଛନ୍ତି । ରକି ଜାଣେ ଏ ଲୋକଟି ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । କିନ୍ତୁ ରକି ଏକଥା ବି ଜାଣିଛି ଲୋକଟା ତାର ପ୍ରଭୁ । କୁକୁର ପ୍ରଭୁଭକ୍ତ ହେବା କଥା । ପ୍ରଭୁଟି ଯେମିତି ହୋଇଥାଉନା କାହିଁକି! ଲୋକଟା ଯେତେବେଳେ ରାତିରେ ଦି ପେଗ୍ ପିଇଦେଇ ତା ଉପରେ ଗୋଡ଼ ପକେଇ ବସେ- ରକିକୁ ବହୁତ ଖରାପ ଲାଗେ । ସେ ବିରକ୍ତି ପ୍ରକାଶ କଲେ ଲୋକଟା କହେ: ଆବେ କୁକୁର ତୁ ମୋ ଗୋଡ଼ ତଳେ ରହିବୁ । ତୋ ଉପରେ ଗୋଡ଼ ଲଦି ବସିବି- କୋଡ଼ିଏ ହଜାର ଦେଇ ତୋତେ କିଣିି ଆଣିଛିରେ ଶଳା । ଲୋକଟାର ଆଚାର ବ୍ୟବହାରରେ ଅନ୍ୟକୁ ନିଚା ଦେଖେଇବାର ଗୋଟେ ପ୍ରବଣତା ଅଛି । ଟଂକା ଦେଇ ସବୁକିଛି କିଣିହେବ- ଏମିତି ଗୋଟେ ବିଶ୍ୱାସ ତା ଛାତି ଭିତରେ ବସା ବାନ୍ଧି ରହିଛି । ଆଉ ସେଇ ବିଶ୍ୱାସ ତା କଥାବାର୍ତ୍ତା ଆଚାର ବ୍ୟବହାରକୁ ନିୟନ୍ତ୍ରଣ କରେ । ନନ୍ଦିନୀ ସହିତ ମଧ୍ୟ ଲୋକଟା ସେମିତି ବ୍ୟବହାର କରେ । ରକି ଭଳି ନନ୍ଦିନୀ ବି ସହିଯାଏ । ବୋଧହୁଏ ରକି ଭଳି ନନ୍ଦିନୀ ବି ଆଶ୍ରୟ ଆଉ ନିରାପତ୍ତାକୁ ବେଶି ଗୁରୁତ୍ୱ ଦିଏ ।

ଭରତପୁରରେ ଛ ମାସ ରହିବା ଭିତରେ ରକି ଆହରି ବଡ଼ ହୋଇ ଯାଇଛି । ତା ଚାଲି, ଚାହାଣୀ, ଆୱାଜ୍ ସବୁଥିରେ ଜର୍ମାନ ଶେଫାର୍ଡ ଜାତିର ଗରୀମା ଫୁଟି ଉଠେ । ଭରତପୁରରେ ତା ଭଳି କୁକୁର ଆଉ ଗୋଟାଏ ନାହିଁ । ସେ ଯେତେବେଳେ ସକାଳେ ବାହାରକୁ ବାହାରେ ଅନେକେ ତାକୁ ବୁଲି ବୁଲି ଚାଁହାନ୍ତି । ଭରତପୁରର କୁକୁର ସମାଜରେ ଯେ ତାକୁ ନେଇ ଭାରି ଚର୍ଚ୍ଚା ସେ କଥା ରକି ଜାଣିଛି । ଏଠିକାର ପୁରୁଷ କୁକୁରମାନେ ସେ ବାହାରକୁ ବାହାରିଲାମାନେ ତାକୁ ଲକ୍ଷ୍ୟ କରି ଭୁକନ୍ତି । ଦାନ୍ତ ବାହାର କରି ଖିଙ୍କାରି ହୁଅନ୍ତି । ସେମାନେ ଯେ ତାକୁ ପସନ୍ଦ କରୁ ନାହାନ୍ତି ତାହା ଖୋଲାଖୋଲି ଜଣାନ୍ତି । ହେଲେ କୁକୁରୀମାନେ ତାକୁ ପସନ୍ଦ କରନ୍ତି । ତାକୁ ଲୋଭିଲା ଆଖିରେ ଚାଁହାନ୍ତି ।

ଅନେକେ ଯେ ତାକୁ ପ୍ରଶଂସାର ଦୃଷ୍ଟିରେ ହେଉ ବା ଈର୍ଷାର – ଚାହୁଁଛନ୍ତି- ଏହାକୁ ଉପଭୋଗ କରେ ରକି । କିଛିଦିନ ହେଲାଣି ସେ ଲକ୍ଷ୍ୟ କରୁଛି, ସକାଳେ ବାହାରକୁ ବାହାରିଲାବେଳେ ଗୋଟେ ସୁନ୍ଦରୀ କୁତ୍ତୀ ତାକୁ ବଡ଼ ସରାଗରେ ଚାହିଁ ରହୁଛି । ସେ ମୁହଁ ବୁଲେଇ ତାକୁ ଚାହିଁଲାବେଳକୁ ସେ ଆଖି ଫେରେଇ ନେଉଛି । ଏ ଭଂଗିମାଟି ଖୁବ ଭଲ ଲାଗେ ରକିକୁ । ବେଳେବେଳେ ରକିର ଇଚ୍ଛା ହୁଏ କୁତ୍ତୀଟି ପାଖକୁ ଯାଆନ୍ତା । ଗପସପ ହୁଅନ୍ତା । ତା ସହିତ ନସରପସର ହୁଅନ୍ତା । ଦେହରେ ଦେହ ଘସି ହୁଅନ୍ତା । ସେ ରାଜି ଥିଲେ ସହବାସ କରନ୍ତା । ହେଲେ ରକି ନିଜ ଇଚ୍ଛାରେ କିଛି କରିବାର ସ୍ୱାଧୀନତା ନାହିଁ । ତା ବେକରେ ଚମଡ଼ା ବେଲ୍ଟ୍ । ବେଲ୍ଟ୍ ରେ ଲାଗିଛି ଶିକୁଳି । ଶିକୁଳିଟି ରହିଛି ସୁଖମୟବାବୁଙ୍କ ହାତରେ । ରକି ଜାଣିଛି ତାର ଯେତିକିି ବଳ- ସେଥିରେ ସୁଖମୟ ବାବୁ ତାକୁ ଅଟକେଇ ରଖି ପାରିବେନି । କିନ୍ତୁ ଦାସତ୍ୱର ଶୃଙ୍ଖଳ ତ ଆଗେ ମନରୁ ଛିଡେ଼ଇବାକୁ ପଡେ଼ । ରକି ମନ ଭିତରୁ ଦାସତ୍ୱର ଶୃଙ୍ଖଳ ଛିଡ଼ୁନି । ତେଣୁ ସେ ସୁନ୍ଦରୀ କୁତ୍ତୀଟି ପ୍ରତି ଆକର୍ଷଣ ବୋଧ କଲେ ବି ରକି ଚୁପଚାପ ମୁଣ୍ଡକୁ ତଳ କରି ସୁଖମୟବାବୁଙ୍କ ସାଙ୍ଗରେ ଘରକୁ ଫେରିଆସେ ।