ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୩)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

୩: ରାନିର ହୃଦୟ, ରାନିର ସ୍ୱପ୍ନ

ରାନି ଜାଣେ ସେ କିଏ । ରାସ୍ତାର ବୁଲା କୁତ୍ତୀ । ତା ଜନ୍ମ ରାସ୍ତା କଡ଼ ଗୁମୁଟି ତଳେ । ବଢ଼ିଛି ରାସ୍ତାରେ । ଆଉ ଦିନେ ମରିବ ବି ରାସ୍ତାରେ । ଯେମିତି ତା ମା ମରିଥିଲା । ଟ୍ରକ୍ ଚକ ତଳେ । ଯେମିତି ତା ଦୁଇ ଭାଇ ମରିଥିଲା । ଅନାହାରରେ । ରୋଗରେ ।

ରାନି ଜାଣେ ସେ ଭରତପୁର କୁକୁର ସମାଜରେ ସୁନ୍ଦରୀ ବୋଲି ମାନ୍ୟତା ପାଏ । ହେଲେ ରାନି ଏକଥା ବି ଜାଣେ- କୁକୁର ଜୀବନରେ ଯୌବନ ବଡ଼ ଶୀଘ୍ର ଆସେ ଆଉ ବଡ଼ ଶୀଘ୍ର ବି ଚାଲିଯାଏ । ରାସ୍ତାର କୁକୁର ଜୀବନରେ ତ ଇଏ କେତେବେଳେ ଆସେ ଆଉ କେତେବେଳେ ଯାଏ- ଜଣା ବି ପଡେ଼ନି । ଭରତପୁରର ବସନ୍ତ ଋତୁ ଭଳି । କେବେ ଶୀତ ଗଲା, ବସନ୍ତ ଆସିଲା ଆଉ କେବେ ଖରା ଆସିଗଲା- ଜଣା ବି ପଡେ଼ନି । ଏତେ କମ ଦିନର ଯୌବନକୁ ବୁଝି ବିଚାରି ଖର୍ଚ୍ଚ ନ କଲେ ବୁଢ଼ୀ କାଳରେ ସେ କରିବ କଣ! ରାନି ଜାଣିଛି ତା ଜୀବନରେ ସେ ଭୋଳୁଠୁଁ ଭଲ ସାଥୀ ଆଉ ପାଇବନି । ଭୋଳୁ ସବଳ । ଭୋଳୁ ତାଙ୍କ ସମାଜର ପୁରୁଷ କୁକୁରମାନଂକ ଭିତରୁ ସବୁଠୁଁ ସୁଦର୍ଶନ । ଭୋଳୁ ଭିତରେ ଭରତପୁର ଉପରସାହି କୁକୁର ସମାଜର ନେତା ହେବାର ସବୁ ଗୁଣ ରହିଛି । ହୁଏତ ସେ ଏଇ ଶୀତ ପରେ ନାଲୁ ବଦଳରେ ସେ ନେତା ହେବ । ଆଉ ସବୁଠୁଁ ବଡ଼ କଥା- ଭୋଳୁ ତାକୁ ଭଲ ପାଏ ।

କିନ୍ତୁ… । କିନ୍ତୁଟା ବଡ଼ ଅଦ୍ଭୁତ ଶବ୍ଦ । ସବୁ ଠିକ୍ ଭିତରେ କେଉଁଠି ଗୋଟେ ବେଠିକର ମଂଜି ପୋତିଦିଏ । ଏ ସ୍ଥିତିରେ ରାନିର କିନ୍ତୁ ହେଲା: ତାର ସ୍ୱପ୍ନ ଆଉ ତାର ହୃଦୟ । ହଁ, ରାନିର ବି ସ୍ୱପ୍ନ ଅଛି । ରାସ୍ତାର କୁତ୍ତୀ ବୋଲି କଣ ସ୍ୱପ୍ନ ଦେଖିବା ମନା । ରାସ୍ତାର କୁତ୍ତୀର କଣ ହୃଦୟ ରହିବ ନି! ରକିକୁ ଦେଖିଲେ ତାର ମନେ ହୁଏ ଏଇ ପୁରୁଷକୁ ସେ ବହୁ ଜନ୍ମରୁ ଜାଣିଛି । ରକିକୁ ଦେଖିଲେ ହିଁ ତା ପାଖକୁ ଯିବାକୁ ଇଚ୍ଛା ହୁଏ, ତା ପାଖରେ ନିଜକୁ ସମର୍ପି ଦେବାକୁ ଇଚ୍ଛା ହୁଏ । ରକିକୁ ଦେଖିଲେ ତା ରକ୍ତ ଚଞ୍ଚଳ ହୋଇଯାଏ । ସେ ସହବାସ-ମନସ୍କ ହୋଇଯାଏ । ଏହାକୁ ହୃଦୟର ବନ୍ଧନ କୁହନ୍ତୁ ବା ଦେହର ଦାବି – ରାନି ରକିକୁ ଚାହେଁ । ହୃଦୟ ଅ ।ଉ ଦେହକୁ ଅଲଗା କରି ମଣିଷ ସମାଜରେ କେହି କେମିତି ଦେଖୁଥିବେ ହେଲେ କୁକୁର ସମାଜରେ ଏ ଦୁଇଟି ଅଭିନ୍ନ ।

ରାନି ସ୍ୱପ୍ନ ଦେଖେ । ରକି ଔରସରେ ତାର ଛଟି ସନ୍ତାନ ହୋଇଛି । ରକି ଭଳି । ଲମ୍ବା ମୁହଁ । ଲମ୍ବା ଆଉ ଲୋମଶ ଲାଂଜ । କାନ ଦିଟା ସବଳ ଶାଳ ଗଛ ଭଳି ସିଧା ଉପରକୁ ଉଠିଯାଇଛି । ସେମାନେ ସମସ୍ତେ ସୁଖମୟବାବୁଙ୍କ ଘରେ ଅଛନ୍ତି । ସେମାନଂକ ପାଇଁ ବିଶେଷ ଖାଦ୍ୟ ତିଆରି ହେଉଛି । ଶୋଇବା ପାଇଁ ବିଛା ହେଉଛି ନରମ କନ୍ଥା । ଶୀତଦିନେ ନରମ କନାର ଜାମା ପିନ୍ଧେଇ ଦିଆହେଉଛି । ଖରାଦିନେ କୁକୁରମାନଙ୍କ ପାଇଁ ବିଶେଷ ଭାବେ ତିଆରି ସାବୁନରେ ଗାଧୋଇ ଦିଆହେଉଛି । ଗାଧୋଇ ସାରିଲା ପରେ ପାଉଡର ବିଞ୍ଚି ଦିଆହେଉଛି । ଥଣ୍ଡା-ମେସିନ୍ ଲାଗିଥିବା ଘରେ ରହୁଛନ୍ତି ସେମାନେ- ଯେଉଁଠି ଟାଣ ଖରାର ଗରମ ଝରକା କାଚ ସେପଟରେ ହିଁ ରହିଯାଏ । ନିର୍ଦ୍ଧୁମ୍ ଖରାବେଳେ ରାସ୍ତାକଡ଼ ଏଟିଏମ୍ ଘର ଭିତରେ ପଶି ବେଳେବେଳେ ସେ ଥଣ୍ଡା-ମେସିନର ମଜା ନେଇଛି ରାନି । ଦେହ ଖରାପ ହେଲେ ତାକୁ ଡାକ୍ତରଙ୍କ ପାଖକୁ ନିଆଯାଉଛି । ଔଷଧ ଦିଆଯାଉଛି ।

… ରାନି ଜାଣେ ରାସ୍ତାର କୁତ୍ତୀକୁ ଏସବୁ ସ୍ୱପ୍ନ ଦେଖିବା ମନା । କିନ୍ତୁ ସ୍ୱପ୍ନ ନ ଦେଖି ରାନି ରହି ପାରୁନି । ନିଜକୁ ନିଜେ କହୁଛି ରାନି: କିଏ କହି ପାରିବ- ବେଳେବେଳେ ସ୍ୱପ୍ନ ତ ସତ ହୋଇଯାଏ ।

ସେ ଜାଣେ ଭୋଳୁ ଏଟାକୁ ଆଦୌ ଭଲ ଦୃଷ୍ଟିରେ ଦେଖୁନି । ଗରଗର ହେଉଛି । ମଣିଷ ସମାଜ ଭଳି କୁକୁର ସମାଜରେ ଈର୍ଷା ଅଛି । ହେଲେ କୁକୁର ସମାଜରେ ପୁରୁଷ ନାରୀ ପରେ ହୁକୁମ ଚଲେଇ ପାରେନି । ଏ ସମାଜରେ ନାରୀର ଅବାଧ ସ୍ୱାଧୀନତା ଅଛି । ସେ ତାର ଯେଉଁ ସାଥୀରେ ମନ ତା ସହିତ ସମ୍ଭୋଗ କରିପାରେ । ଏକାଧିକ ସାଥୀ ସହିତ ବି ସମ୍ଭୋଗ କରିପାରେ । ହେଲେ ରାନି ସେ ରକିକୁ ଏମିତି ପାଗଳୀ ଭଳି ଚାହୁଁଛି- ଏଇ ବିଷୟଟାକୁ ଭୋଳୁ ସହି ପାରୁନି । ଈର୍ଷାରେ ଜଳି ଯାଉଛି । ସେଥିପାଇଁ ସେ ରକିକୁ ଦେଖିଲାମାତ୍ରେ ଗରଗର ହୁଏ । ଭୋଭୋ ହୋଇ ଗୋଡେ଼ଇ ଯାଏ । ଦାନ୍ତ ଖିଙ୍କାରେ । ରାନି ଏକଥା ବୁଝିପାରେ । କିନ୍ତୁ କଣ କରାଯାଏ!

ହୃଦୟ ଉପରେ ବାଡ଼ କେମିତି ଦେବ ରାନି? ସ୍ୱପ୍ନକୁ କେମିତି ତାଲା ପକେଇଦେବ?