Latest Odisha News

BREAKING NEWS

ସ୍ପର୍ଶ

ସ୍ପର୍ଶ

ଅସୀମା ସାହୁ

ଯଦି କୋମଳ ସ୍ପର୍ଶ ଚର୍ମ ଛୁଇଁ
କହିଦେଇ ପାରୁଛି ମନର କଥା
ଆଉ ଆଙ୍ଗୁଳିମାନେ ଦେହସହ
ଟୁପୁର୍ ଟାପୁର୍ କଥା ହୋଇପାରୁଛନ୍ତି
ତେବେ ଏତେ ଉଚ୍ଚାରଣର କୋଳାହଳ
କଣ ଦରକାର !

ଯଦି ବିନା ଶବ୍ଦରେ ମୁଁ
ମୋ ପ୍ରିୟତମଙ୍କ ନାଲିଜାଇଭରା
ମସୃଣ ପିଠିରେ କବିତା ଲେଖିପାରୁଛି,
ଆଉଁଶିଦେଲେ ଡରୁଆ ପକ୍ଷୀ
ନିର୍ଭୟରେ ଆଖିବୁଜି ଶୋଇଯାଉଛି
ତେବେ ଶବ୍ଦ ତ ନିଷ୍ପ୍ରଭ, ନିଷ୍ପ୍ରୟୋଜନ !

କଲମର କାଳିଆ ନାଲିଆ କାଳି
ଗୋରା କାଗଜକୁ ଅସନା କରି
ଲାଭ ବା କଣ
ମୁଁ ଶିଖିସାରିଛି ତେଣୁ
କେମିତି ଛୁଇଁଦେଇ କହିହୁଏ ମନର କଥା

ଶିଖିଛି ବୋଲି ତ
ପ୍ରିୟତମ ମୋ ଆଡେ ପଛକରି ଦେଇଥିବା ପିଠିରେ
ଅନୁଚ୍ଚାରିତ, ଅତୃପ୍ତ ଆତ୍ମଦହନକୁ ମୁଁ
ଅନୁବାଦ କଲାବେଳେ
ସ୍ନପ୍ନଭଙ୍ଗର ସରୁ ଆଙ୍ଗୁଳିରେ
ଲେଖି ହେଇଯାଉଛି ଧାଡିଏ କବିତା-

ବାହୁ ଗ୍ରୀବା ଓଠ
ଧୀରେଧୀରେ
ଉଠାଣି ଗଡାଣିର ଦେହ
ଧୀରେଧୀରେ …

ହାଡମଞ୍ଜ
ସୁକ୍ଷ୍ମତନ୍ତ୍ରୀ ସ୍ନାୟୁର ସହରେ
ମିଳନ-ବିଚ୍ଛେଦ
ଜୁଆର ଆଉ ଭଟ୍ଟା ଧୀରେଧୀରେ…
………………….
ଅଧ୍ୟକ୍ଷା, ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟ
ରାଗ୍ଧା, ମୟୂରଭଞ୍ଜ-୭୫୭୦୨୯
ଦୂରଭାଷ: ୯୪୩୭୩୮୦୭୭୦

Comments are closed.