ମୁମ୍ବାଇ:ବଲିଉଡର ‘ଭାଇଜାନ୍’ ସଲମାନ ଖାନଙ୍କ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫିଲ୍ମ ନୁହେଁ କିମ୍ବା କୌଣସି ବିବାଦ ନୁହେଁ, ବରଂ ତାଙ୍କ ବଦଳିଯାଇଥିବା ଲୁକ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। କେହି କହୁଛନ୍ତି ସଲମାନଙ୍କ ଓଜନ ଅନେକ କମିଯାଇଛି, ତ ଆଉ କେହି କହୁଛନ୍ତି ତାଙ୍କ ମୁହଁରେ ପୂର୍ବଭଳି ଚମକ ନାହିଁ…
ମୁମ୍ବାଇରେ ଆୟୋଜିତ ଏକ ସ୍ଲମ୍ ରିହାବିଲିଟେସନ୍ ଅଥରିଟି (SRA) କାର୍ଯ୍ୟକ୍ରମରେ ସଲମାନ ଖାନ୍ ଯୋଗ ଦେଇଥିଲେ। ସେଠାରେ ସେ ଅତ୍ୟାଧୁନିକ ଆଇଟି ସର୍ଭର ରୁମ୍ ଉଦ୍ଘାଟନ କରିବା ସହ ହିତାଧିକାରୀଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଥିଲେ। କିନ୍ତୁ କାର୍ଯ୍ୟକ୍ରମଠାରୁ ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ବଦଳିଯାଇଥିବା ରୂପରଙ୍ଗ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ହେଉଥିବା ଭିଡିଓରେ ସଲମାନଙ୍କ ଓଜନ ପୂର୍ବ ଅପେକ୍ଷା ବହୁତ କମିଯାଇଥିବା ଦେଖାଯାଉଛି । ମୁହଁରେ ପୂର୍ବଭଳି ଚମକ ନାହିଁ, ଚେହେରା ଥକ୍କା ଓ ରୁଗଗୁଣ ଲାଗୁଛି। ଭାଇରାଲ ଭିଡିଓ ଦେଖି ଅନେକ ଫ୍ୟାନ୍ସ “ଏ କ’ଣ ସଲମାନ ଖାନ!…” ବୋଲି ପ୍ରଶ୍ନ କରିଥିଲେ । ତେବେ ଭିଡିଓରେ ସଲମାନ ବେଜ୍ ରଙ୍ଗର ସାର୍ଟ, ଖାକି କ୍ୟାପ୍ ଓ ପାଖରେ ବହୁପୁରୁଣା ବଡିଗାର୍ଡ ଶେରା ସହିତ ନଜର ଆସିଥିଲେ। କିନ୍ତୁ କମିଯାଇଥିବା ଓଜନ ଓ ବୟସର ସ୍ପଷ୍ଟ ଛାପ ତାଙ୍କୁ ପ୍ରଥମ ନଜରରେ ଅଚିହ୍ନା କରାଇଦେଇଥିଲା ।
ଯାହାକୁ ନେଇ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। କେହି କେହି ସଲମାନ ଅସୁସ୍ଥ ବୋଲି ପ୍ରଶ୍ନ କରିଥିବା ବେଳେ, କେହି ତାଙ୍କ ପୂର୍ବରୁ ଥିବା ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ, ବ୍ରେନ୍ ଆନ୍ୟୁରିଜମ୍ ଓ ସର୍ଜରୀକୁ ମନେ ପକାଇ ଚିନ୍ତା ପ୍ରକାଶ କରିଛନ୍ତି । ଆଉ କେହି କେହି ଏମିତି ବି ଦାବି କରିଛନ୍ତି ଯେ, “ସଲମାନ ନିଜ ବଡି ଡବଲ୍ ବ୍ୟବହାର କରୁଛନ୍ତି?”
ତେବେ ଅନ୍ୟପଟେ ଅନେକ ଫ୍ୟାନ୍ସ ସଲମାନଙ୍କ ସମର୍ଥନରେ ବାହାରି ଆସିଛନ୍ତି। ସେମାନଙ୍କ କହିବା କଥା, “ସଲମାନଙ୍କୁ ୬୦ ବର୍ଷ ହେଲାଣି। ବୟସ ବଢ଼ିଲେ ଚେହେରା ବଦଳିବା ସ୍ୱାଭାବିକ। ପ୍ରତ୍ୟେକ ମଣିଷ ବୃଦ୍ଧ ହୁଅନ୍ତି। ଏଥିରେ ଅଯଥା ରୋଗ ଖୋଜିବା ଠିକ୍ ନୁହେଁ।” କିଛି ଲୋକ ଧର୍ମେନ୍ଦ୍ରଙ୍କ ଉଦାହରଣ ଦେଇ ବୟସର ଏହି ସାଇକିଲକୁ ସମ୍ମାନ କରାଯିବା ଉଚିତ, ବୋଲି ମତ ରଖିଛନ୍ତି ।
ଏହି ସବୁ ଚର୍ଚ୍ଚା ଭିତରେ ସଲମାନ ଖାନ୍ କିମ୍ବା ତାଙ୍କ ଟିମ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ଅଧିକାରିକ ବୟାନ ଆସିନାହିଁ।
ତେବେ ଯଦି କର୍ମ କ୍ଷେତ୍ରରେ ଦେଖିବା ତେବେ ସଲମାନଙ୍କୁ କାମରେ କୌଣସି ବିରତି ନାହିଁ । ତାଙ୍କ ସିନେମା ‘ମାତୃଭୂମି’ ସହ ବଂଶୀ ପୈଡିପଲ୍ଲୀଙ୍କ ବହୁଭାଷୀ ଫିଲ୍ମ ଏବଂ ବହୁ ପ୍ରତୀକ୍ଷିତ ‘କିକ୍-୨’ ଭଳି ବଡ଼ ପ୍ରକଳ୍ପରେ ସଲମାନ ଏବେ ବ୍ୟସ୍ତ ଅଛନ୍ତି। ତେବେ ବାସ୍ତବରେ ଏହା ସିନେମା ପାଇଁ ସଲମାନଙ୍କ କେବଳ ବଦଳିଥିବା ଲୁକ୍, ନା ଭାଇଜାନଙ୍କ ସ୍ୱାସ୍ଥ୍ୟକୁ ନେଇ ସତରେ କିଛି ଚିନ୍ତାର କାରଣ ଅଛି? ଏହାର ଉତ୍ତର ସମୟ ହିଁ ଦେବ।