Latest Odisha News

BREAKING NEWS

ଜରୁରୀ କ’ଣ ? ମଦ ଦୋକାନ ନା ଶୀତଳ ଭଣ୍ଡାର !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ ପ୍ରତି ମଙ୍ଗଳବାର: ‘ସମୟର ସ୍ୱର’…

ଜରୁରୀ କ’ଣ ? ମଦ ଦୋକାନ ନା ଶୀତଳ ଭଣ୍ଡାର !

ବିଚିତ୍ର ବିଶ୍ୱାଳ

ମଦ ଦୋକାନ ଓ ଶୀତଳ ଭଣ୍ଡାର ଯଦିଓ କୌଣସି ଦୃଷ୍ଟିରୁ ବି ତୁଳନା ଯୋଗ୍ୟ ନୁହେଁ କି ଉଭୟଙ୍କ ମଧ୍ୟରେ କିଛି ବି ସଂପର୍କ ନାହିଁ, କିନ୍ତୁ ଏଠାରେ ଉଭୟକୁ ତୁଳନା କରି ଏକ ଆଲୋଚନା କରିବାକୁ ବାଧ୍ୟ ହେଉଛୁ । କାରଣଟି ସିଧା ଓ ସ୍ପଷ୍ଟ । ସଂପ୍ରତି ଆମ ରାଜ୍ୟ ସରକାର ମଦ ଦୋକାନ ଖୋଲିବାରେ ଯେତିକି ନିଷ୍ଠା ଦେଖାଉଛନ୍ତି, ତାର ଅଧା ନିଷ୍ଠା ଶୀତଳ ଭଣ୍ଡାର ତିଆରିରେ ଦେଖାନ୍ତେ କି! ଅନ୍ତତଃପକ୍ଷେ ଆମ ରାଜ୍ୟର ଚାଷୀକୂଳ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବାକୁ ସକ୍ଷମ ହୁଅନ୍ତେ । ସେମାନଙ୍କ ପରିଶ୍ରମର ମୂଲ୍ୟକୁ ବେପାରୀ ମାନେ ମଝିରୁ ଝାମ୍ପି ନିଅନ୍ତେ ନାହିଁ । ଏଠାରେ ଗୋଟିଏ କଥା ସୂଚାଇ ଦିଆଯାଇପାରେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଆମ ରାଜ୍ୟରେ ପ୍ରାୟ ୮ ହଜାର ମଦ ଦୋକାନ ଖୋଲିଥିବା ବେଳେ ୮ଟି ବି ଶୀତଳ ଭଣ୍ଡାର ତିଆରି କରାଯାଇନାହିଁ । ଏପରି ପରିସ୍ଥିତିରେ କ’ଣ ବା ଆଉ କୁହାଯାଇପାରିବ! ରାଜସ୍ୱ ବଢ଼ାଇବା ପାଇଁ ସରକାର ଯେପରି ଭାବେ ଦିନକୁ ଦିନ ନୂଆ ମଦ ଦୋକାନ ଖୋଲିବାକୁ ତତ୍ପର ହେଉଛନ୍ତି, ଅନ୍ନଦାତା ଚାଷୀ ମାନଙ୍କ ଆୟର ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ଯଦି ସେତିକି ତତ୍ପର ହୁଅନ୍ତେ ତେବେ ଆମ ରାଜ୍ୟର ଚାଷୀମାନଙ୍କର ସମସ୍ୟା ପ୍ରାୟତଃ ସମାଧାନ ହୋଇଯାଆନ୍ତା ।

ରାଜ୍ୟ ସରକାର ସବୁବେଳେ ଚାଷୀ ମାନଙ୍କ ପାଇଁ ଚିନ୍ତା କରୁଥିବାର ବାରମ୍ବାର ଦାବି କରିଆସୁଛନ୍ତି । ଏପରିକି ଚାଷୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅଭିନବ ଯୋଜନା ମାନ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଚାଷୀ ମାନଙ୍କର ଅସଲ ସମସ୍ୟା ପ୍ରତି ସରକାର ଅତ୍ୟନ୍ତ ଉଦାସୀନତାର ସହିତ ଆଖି ବୁଜି ଦେଇଛନ୍ତି । ଆଜିର ତାରିଖରେ ଆମେ ବିଭିନ୍ନ ଘଟଣାକ୍ରମରେ ବାରମ୍ବାର ଦେଖୁଛେ ଯେ, ଚାଷୀ ମାନଙ୍କ ପାଇଁ ସଂପ୍ରତି ଉତ୍ପାଦନ ଏକ ମୂଖ୍ୟ ସମସ୍ୟା ନୁହେଁ । ଅସଲ ସମସ୍ୟା ହେଉଛି, ଉତ୍ପାଦନ ପରେ ତାର ଉଚିତ୍ ସଂରକ୍ଷଣ ଓ ଉପଯୁକ୍ତ ମୂଲ୍ୟ ପ୍ରାପ୍ତି । ଉତ୍ପାଦନର ଉଚିତ୍ ମୂଲ୍ୟ ମିଳୁନଥିବା ଯୋଗୁ ଚାଷୀ ମାନେ ଚାଷରେ ପ୍ରତ୍ୟେକ ବର୍ଷ କ୍ଷତିର ଶିକାର ହେଉଛନ୍ତି । ଋଣ ଭାରରେ ବୁଡ଼ି ରହୁଛନ୍ତି ଓ ପରିଣାମ ସ୍ୱରୁପ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି । କିନ୍ତୁ ସରକାରଙ୍କ ପ୍ରାୟତଃ ପ୍ରତ୍ୟେକ ଯୋଜନା ମୂଖ୍ୟତଃ ଉତ୍ପାଦନ ବୃଦ୍ଧି ପର୍ଯ୍ୟନ୍ତ । ତା ଆଗକୁ ଆଉ ସରକାର ଗମ୍ଭୀରତାର ସହିତ ଭାବୁଥିବା ପରି ଜଣାଯାଉନାହିଁ । ଯଦି ସରକାର ଭାବିଥାଆନ୍ତେ, ତେବେ କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ଚାଷୀଙ୍କ ହାତ ପାଆନ୍ତାରେ ଅନ୍ତତଃ ପକ୍ଷେ ଗୋଟିଏ କରି ଗୋଦାମ ଘର ବା ଶୀତଳ ଭଣ୍ଡାର ଥାଆନ୍ତା ।

ଚାଷୀ ସେମାନଙ୍କ ଉତ୍ପାଦନକୁ ସାଇତି ରଖନ୍ତେ ଓ ବେପାରୀଙ୍କ ଶୋଷଣର ଶିକାର ହେବାରୁ ବଂଚି ଯାଆନ୍ତେ । କିନ୍ତୁ ସଂପ୍ରତି ବାରମ୍ବାର ଦେଖାଯାଉଛି ଯେ, ଠିକ୍ ଚାଷୀ ଉତ୍ପାଦନ କରିବା ବେଳକୁ ହିଁ ବେପାରୀ ମାନେ ଚତୁରତାର ସହିତ କୃଷିଜାତ ଦ୍ରବ୍ୟର ମୂଲ୍ୟକୁ କମ୍ କରିଦେଉଛନ୍ତି । ଫଳରେ ଚାଷୀ ତା ଉତ୍ପାଦନକୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି । କାରଣ ତା ପାଖରେ ମୂଲଚାଲ କରିବା ପାଇଁ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିିଁ । ଅପରପକ୍ଷରେ ଚାଷୀ ତାର ସେହି ଦ୍ରବ୍ୟକୁ କିଣିବା ବେଳେ ବେପାରୀଙ୍କ ଠାରୁ ଚଢ଼ା ଦାମ୍ରେ କିଣିବାକୁ ବାଧ୍ୟ ହେଉଛି । ଏହା ଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ! ଗତ ବର୍ଷ ଅମଳ ଋତୁ ସମୟରେ ଆମେ ଦେଖିଲେ ଯେ, ଆମ ରାଜ୍ୟରେ ବରଗଡ଼ ଓ ବ୍ରହ୍ମପୁର ଆଦି ଅଂଚଳରେ ଟମାଟୋ କିଲୋ ପ୍ରତି ଦାମ୍ ଏକ ଟଙ୍କା କିମ୍ବା ପଚାଶ ପଇସା ହୋଇଗଲା । ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଲେ । ଅନେକ ଚାଷୀ ତ ଟମାଟୋ ଅମଳ କରିବା ଅପେକ୍ଷା ଜମିରେ ଗୋରୁ ଚରେଇ ଦେବାକୁ ଉଚିତ୍ ମଣିଲେ । କାରଣ ଏତେ କମ୍ ଦାମରେ ବିକ୍ରି କଲେ ତାଙ୍କ ଶ୍ରମ ଓ ନିବେଶ ଖର୍ଚ୍ଚର ଅଧା ବି ଉଠୁନଥିଲା । ଏପରି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ, ଚାଷୀଙ୍କୁ କେବଳ ଉତ୍ପାଦନ ବଢ଼େଇବା ପାଇଁ ଉପଦେଶ ଦେଲେ କିଛି ଲାଭ ହେବନି, ଯେପର୍ଯ୍ୟନ୍ତ ତାଙ୍କ ଉତ୍ପାଦନର ସଂରକ୍ଷଣ ପାଇଁ କିଛି ବ୍ୟବସ୍ଥା କରାଯାଇନାହିଁ ।

ଏମିତି ସ୍ଥିତିରେ ସରକାର ରାଜ୍ୟରେ ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତେ ବିଭିନ୍ନ ଉପାୟରେ ନୂଆ ମଦ ଦୋକାନ ଖୋଲିବାକୁ ଯୋଜନା କରିବାରେ ଲାଗିଛନ୍ତି । ସଂପ୍ରତି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଯୁଗ୍ମ ସଂଯୋଜକ ନୂଆ ମଦ ଦୋକାନ ଖୋଲିବାକୁ ଜିଲ୍ଳାପାଳ ମାନଙ୍କୁ ପ୍ରସ୍ତାବ ମାଗିଛନ୍ତି । ଏପରିକି ମେଳା ମହୋତ୍ସବ ସମୟରେ ଅସ୍ଥାୟୀ ମଦ ଦୋକାନ ଖୋଲିବାକୁ ଜିଲ୍ଲାପାଳ ମାନେ ତତ୍ପର ହେଉନାହାନ୍ତି ବୋଲି ସେ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଗୋଟିଏ କୃଷି ପ୍ରଧାନ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବାର ପ୍ରକ୍ରିୟା ଠାରୁ ମଦ ଦୋକାନ ଖୋଲିବାର ପ୍ରକ୍ରିୟା ଅଧିକ ଦ୍ରୁତ ହେବା ସତରେ ଦୁର୍ଭାଗ୍ୟଜନକ । ମଦ ଦୋକାନ ଖୋଲିବାର ନିଷ୍ଠା ସରକାର ଯଦି ଶୀତଳ ଭଣ୍ଡାର ଖୋଲିବାରେ ଦେଖାନ୍ତେ ତେବେ ଚାଷୀଙ୍କ ଅବସ୍ଥା ସୁଧୁରିବା ସହିତ ରାଜସ୍ୱ ଆୟ ବି ବଢ଼ିପାରନ୍ତା ।

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮

 

Leave A Reply

Your email address will not be published.