Latest Odisha News

BREAKING NEWS

ବିିଜ୍ଞାନ ଖେଳ : ସୋଡାଷ୍ଟ୍ରରେ ପାଣି ନେବା ଚାଲେଞ୍ଜ

ଗୋଟିଏ ଗିଲାସରୁ ଅନ୍ୟ ଗ୍ଲାସକୁ ପାଣି ନେବ କିନ୍ତୁ ଗିଲାସକୁ ଛୁଇଁବନି, ଆଉ ଏକାମ କରିବା ଲାଗି ରହିଛି କେବଳ ଗୋଟିଏ ସୋଡାଷ୍ଟ୍ର । ଏହି ଚାଲେଞ୍ଜକୁ ଭାବିବା ବେଳକୁ କଷ୍ଟକର ଲାଗୁଛି । ସୋଡା ଷ୍ଟ୍ରର ଦୁଇ ମୁଣ୍ଡ ଖୋଲା, ତେଣୁ ନଳୀରେ ପାଣି ନେବା ମୁସ୍କିଲ । ଅବଶ୍ୟ ଏକାମ ବିଜ୍ଞାନର ଉପାୟ ଖଟାଇ କରା ଯାଇପାରିବ । ସୋଡାଷ୍ଟ୍ର ଗୋଟିଏ ଡ୍ରପର ଭଳି କାମ କରିବ ।

ଏଥିପାଇଁ ଦରକାର ଦୁଇଟି ଗ୍ଲାସ, ପାଣି ଆଉ ଗୋଟିଏ ସୋଡାଷ୍ଟ୍ର

-ଗୋଟିଏ ଗ୍ଲାସରେ ପାଣି ନେବା । ପାଣିରେ ଟିକିଏ ହଳଦୀ କି ଅନ୍ୟ ପ୍ରାକୃତିକ ରଙ୍ଗ ମିଶାଇ ରଙ୍ଗୀନ କରିପାରିବା ।
-ସୋଡାଷ୍ଟ୍ର କୁ ପାଣିରେ ବୁଡାଅ ।
-ସୋଡାଷ୍ଟ୍ରର ଉପର ମୁଣ୍ଡକୁ ଟିପରେ ଚାପି ବନ୍ଦ କରିଦିଅ
-ଟିପକୁ ନକାଢି ସୋଡାଷ୍ଟ୍ରକୁ ଉଠାଇଆଣ, ଅନ୍ୟ ଗିଲାସ ଉପରେ ଷ୍ଟ୍ର ରଖି ଏବେ ଟିପ କାଢିଦିଅ -ଦେଖିବ ଷ୍ଟ୍ର ଭିତରେ ଥବା ପାଣି ଖସିପଡିବ ।

ସୋଡାଷ୍ଟ୍ର ଗୋଟିଏ ନଳୀ ଭଳି, ଏହାର ଦୁଇ ମୁଣ୍ଡ ଖୋଲା, ତେବେ ଏହା ଭିତରେ ପାଣି ଅଟକି ରହିଲା କେମିତି । ଅସଲରେ ସୋଡାଷ୍ଟ୍ରକୁ ପାଣି ଭିତରେ ବୁଡାଇବା ପରେ ଆମେ ଟିପ ସାହାଯ୍ୟରେ ଗୋଟିଏ ମୁଣ୍ଡକୁ ବନ୍ଦ କରିବାରେ ହିଁ ତାର ଗୁମର ଲୁଚିଛି ।

ସୋଡାଷ୍ଟ୍ର ଗୋଟିଏ ନଳୀ ଭଳି । ତେଣୁ ସାଧାରଣତଃ ଏହା ଭିତରେ ପାଣି ଅଟକି ରହିବା କଥା ନୁହେଁ । କାରଣ ପାଣିକୁ ପବନର ନିମ୍ନଗାମୀ ଚାପ ଠେଲି ଦେବା କଥା । ତେବେ ଆମେ ଯେତେବେଳେ ସୋଡାଷ୍ଟ୍ରର ଗୋଟିଏ ମୁଣ୍ଡକୁ ଟିପ ମାଧ୍ୟମରେ ବନ୍ଦ କରିଦିଏ, ସେତେବେଳେ ଷ୍ଟ୍ର ଭିତରକୁ ଆଉ ପବନ ପଶିପାରେନି । ଫଳରେ ନଳୀ ଭିତରେ ଥିବା ପାଣି ଉପରେ କେବଳ ତଳଆଡୁ ବାୟୁର ଉର୍ଦ୍ଧଚାପ ପଡେ । ବାୟୁର ଏହି ବଳ ମାଧ୍ୟକର୍ଷଣ ଶକ୍ତିଠାରୁ ଅଧିକ । ତେବେ ଆମେ ଟିପ କାଢିନେବା ଯୋଗୁ ବାୟୁର ନିମ୍ନଚାପ ଏବଂ ଉର୍ଦ୍ଧଚାପ ପରସ୍ପର ସମାନ ହୋଇ ବାତିଲ ହୋଇଯାଏ । ଏହା ଫଳରେ ମାଧ୍ୟାକର୍ଷଣ ବଳ ପ୍ରଭାବୀ ହୋଇଯାଏ, ଏବଂ ପାଣି ନଳୀଭିତରୁ ବାହାରି ଆସେ ।

Leave A Reply

Your email address will not be published.