Latest Odisha News

BREAKING NEWS

ଶିଶୁ କବିତା : କାଠହଣା

ଗଦାଧର ସାହୁ

କାଠହଣା କରେ
କାଠରେ କୋରଡ
କଷ୍ଟ ଦୂରେଇବା ପାଇଁ,
ପରିବାର ସହ
ଖୁସିବାସି ହୋଇ
କାଠ ଗଣ୍ଡି ଘରେ ଥାଇ ।

ଥଣ୍ଟରେ ଖୋଳଇ
ଯନ୍ତ୍ରପାତି ନାହିଁ
ସହଜେ ପତଙ୍ଗ ଛାର,
ଯେଉଁ ଭଳି ଘର
ସେ ତିଆରି ଥାଏ
ତାଠାରୁ ଶିଖୁନି ନର ।

ଶରୀର ଆକାର
ସୁଢଙ୍ଗ କରଇ
ପ୍ରବେଶ ପ୍ରସ୍ଥାନ ପାଇଁ,
ଦୁଇପଟେ ଦୁଇ
ମୁହଁ ରଖିଥାଏ
ସୁରକ୍ଷା ବଳୟ ପାଇଁ ।

ଏକ ମୁହେଁ ଯେବେ
ସର୍ପ ପସିଯାଏ
ଆର ମୁହେଁ ଉଡିଯାଏ,
ନିଜର ସୁରକ୍ଷା
ନିଜେ ରଚିଥାଏ
କାହାଠୁ ଶିଖିନି ସିଏ ।

ତଥାପି ଶିଖୁନି
ଏ ମଣିଷ ଜାତି
ଭୋଗିଭୋଗି କ୍ଷୟକ୍ଷତି,
ଯୋଉଠି ପ୍ରବେଶ
ସେଇଠି ପ୍ରସ୍ଥାନ
ଯାଉଁଳି କବାଟ ପ୍ରୀତି ।

ବ୍ରହ୍ମଗିରି,ପୁରୀ

Leave A Reply

Your email address will not be published.