Latest Odisha News

BREAKING NEWS

ଶିଶୁ କବିତା : ଆସିଛି ହେମନ୍ତ କାଳ

ରାଜ କିଶୋର ନାୟକ

ଭିଜା ସକାଳର ମୁକୁତା ବିନ୍ଦୁରେ
ହସୁଛି ନୂଆ ସକାଳ
ହେମ ହେମ ଲାଗେ ଦେହ ଆଉ ମନ
ଆସିଛି ହେମନ୍ତ କାଳ ।।

ନବ ଦୁର୍ବାଦଳ ନବୀନ ପୁଲକେ
ଦିଶୁଛନ୍ତି କେଡେ ତୋରା
ବାଧା ନାହିଁ କିଛି ଅଧା ରହିବାକୁ
ଏଇତ ନୀବନ ଧାରା
ସାଧବ ବୋହୁଏ ନାଲି ପାଟ ପିନ୍ଧି
ବୁଲିଲେଣି ମାଳ ମାଳ
ଆସିଛି ହେମନ୍ତ କାଳ ।।

ଗେଣ୍ଡୁ ମାଳତିରେ ମଣ୍ଡି ହୋଇଲାଣି
ଉଦ୍ଯାନ ପ୍ରାସାଦ ଚୂଡା
ସତେକି ଧରଣି ରାଣୀ କଟିତଟେ
ହୋଇଛି ମେଖଳା ଭିଡା
ହେମାଳ ପବନ ଧିରେଧିରେ ଆସି
ଖୁସିରେ କରିବ ଖେଳ
ଆସିଛି ହେମନ୍ତ କାଳ ।।

ଶରତ ସୁନ୍ଦରୀ କାଶତଣ୍ଡୀ ଏଠି
କାନ୍ଦେ ତା’ ତନୁକୁ ଦେଖି
ନଦୀ ପଠା ଏବେ ଶିରିହୀନ ଦିଶେ
ଦୁଃଖେ ଅଛି ନିରିମାଖୀ
ସମୟ ତ କୁହେ ତା’ ଚକ ବୁଲିଲେ
ବଦଳି ଯାଏ ଯେ ବେଳ
ଆସିଛି ହେମନ୍ତ କାଳ
ଆସିଛି ହେମନ୍ତ କାଳ ।।

ତଳବଙ୍ଗାଳ
କୁଶୁବେଣ୍ଟି,ବ୍ରହ୍ମଗିରି,ପୁରୀ 

Leave A Reply

Your email address will not be published.