Latest Odisha News

BREAKING NEWS

ଶିଶୁ ଗଳ୍ପ : କାଳିଆ ଲେଉଟିଲା

କୁଞ୍ଜ ବିହାରୀ ସାହୁ

ଚାହୁଁଚାହୁଁ ବରଷେ ପୂରିଗଲା । କାଳିଆ ସାଆନ୍ତ ତା ସିଂହାସନରେ ବସିଛି ଯେ ବସିଛି । ତା’ ପାଖରେ ଅଛି ବଡଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା । ଏମିତି ରତ୍ନ ସିଂହାସନରେ ବସି କେତେ ଭକ୍ତଙ୍କୁ ପାଖକୁ ଡାକୁଥିବ ଯେ । ସିଏ କଣ ବୁଝିପାରୁନି ତାକୁ ଟିକେ ଦର୍ଶନ କରିବାକୁ ପୁରୀ ମନ୍ଦିର ବେଢାରେ ଭିଡ ଲାଗୁଛି । ପଣ୍ଡା- ପଢିହାରୀଙ୍କ ବେତ ପାହାର ବାଜୁଛି ।

ଏମିତି ଗୁଡାଏ ଏଣୁତେଣୁ ଭାବିଲା ଲତିକା । ସେ ଏକ ସଡକ ଦୁର୍ଘଟଣାରେ ପଙ୍ଗୁ ହେଇଯାଇଛି । ବାପାଙ୍କୁ ହରେଇ କଲବଲ ହେଉଛି । ମନ୍ଦିର ଭିତରକୁ ତାକୁ କିଏ ନେଇକି ଯିବ ଯେ ତିନି ଦିଅଁଙ୍କୁ ଆଖି ପୂରେଇ ଦେଖିବ । ହଁ କାଳିଆ ଠାକୁର ତ ଅନ୍ତର୍ଯ୍ୟାମୀ , ତା’ ଦୁଃଖ ନିଶ୍ଚୟ ବୁଝିବେ ।

ଲତିକା ଘର ଭିତରେ ଏକୁଟିଆ ବସିଛି । ବାହାରେ ଭୀଷଣ ଖରା । ମେଘରୁ ଟୋପାଏ ପାଣି ପଡ଼ୁନି । ଖରା ସାଥିରେ ଗୁଳୁଗୁଳି ତାକୁ ଅସ୍ତବ୍ଯସ୍ତ କରିଦେଉଛି । ଜେଜିମାକୁ ଡାକିଲା । ଜେଜିମା, ଏଥରକ ମୁଁ ଆଉ ମନ୍ଦିର ଭିତରକୁ ଯାଇପାରିବିନି, ତିନି ଦିଅଁଙ୍କୁ ଦର୍ଶନ କରିପାରିବିନି । ମୋର ଏ ଫଟାକପାଳ । ରେଳଦୁର୍ଘଟଣାରେ ବନ୍ଧୁବାନ୍ଧବମାନେ ଚାଲିଗଲେ ଯେ ଦେଖା ମିଳିଲାନି । କାନ୍ଦି କାନ୍ଦି ଆଖିରୁ ପାଣି ମରିଗଲାଣି । ବାପାଙ୍କ ସାଥିରେ ବାହାଘର ଭୋଜି ଖାଉ ଖାଉ ଫେରିଲାବେଳକୁ ଗଛ ଧକ୍କାରେ ଆମ ଗାଡ଼ି ଭାଙ୍ଗିଗଲା । ବାପା ସେଇଠି ଆଖି ବୁଜିଦେଲେ । ଗୋଡ଼ ଦୁଇଟା ହରେଇ ମୁଁ ଏ ଘର ଭିତରେ ଛାଟିପିଟି ହେଉଛି । ମୁଁ ଆଉ ଦିଅଁଙ୍କୁ ପାଖରୁ ଦେଖିପାରିବିନି ଜେଜିମା !

ହଁ ଲୋ ନାତୁଣୀ, ତୁ ମନଦୁଃଖ କାହିଁକି କରୁଛୁ । ଏ କାଳିଆ କହ୍ନେଇ ସଭିଙ୍କର । ଯିଏ ଯୋଉଠି ଥାଇ ଡାକିଲେ ସେ ‘ଓ’ କରନ୍ତି । ପାଖକୁ ପଳେଇଆସନ୍ତି ।

ହଁ ଯେ ଜେଜିମା, ମୋ ପାଖକୁ କେମିତି ଆସିବେ ?

ତୁ ପରା ଭଲ ଚିତ୍ର ଆଙ୍କିପାରୁଛୁ । ଚିତ୍ର ଆଙ୍କି ପୁରସ୍କାର ପାଇଛୁ । ଦେଖ, ମନଧ୍ୟାନ ଦେଇ ଚିତ୍ର ଆଙ୍କି ଦେ । ତିନି ଠାକୁରଙ୍କୁ ରଥରେ ବସେଇ ପୂଜା କରି ଦେ । ଚିତ୍ରରେ ଧଣ୍ଡା ତୁଳସୀ ଚଢେଇ ଦେ । ଦେଖିବୁ ତୋ ଚିତ୍ର ଦେଖି ଠାକୁର ଦଣ୍ଡେ ଏ ଶରଧାବାଲିରେ ଅଟକିଯିବେ ।

ହଁ ହଁ ତୁ ଠିକ୍ କହିଛୁ । କବିସୂର୍ଯ୍ୟ ବଳଦେବ ରଥ ପରା ନଈବାଲିରେ ରଥ ତିଆରି କରି ଠାକୁରଙ୍କୁ ଦର୍ଶନ କରିଥିଲେ । ବାଲିଆ ଗାଁରୁ ଦାସିଆ ଯାଇପାରିଲାନି ବୋଲି ନଡିଆ ପଠେଇଥିଲା । ଠାକୁର ତ ହାତ ବଢ଼େଇ ନଡ଼ିଆ ନେଇଥିଲେ । ମୁଁ ଆଜି ଚିତ୍ର ଆଙ୍କିବି । ତିନୋଟି ରଥରେ ତିନୋଟି ଦିଅଁଙ୍କୁ ବସେଇଦେବି । ଦୈାଡି ଲଗେଇ ଲଗେଇ ରଥକୁ ଟାଣିବି । ଏୟା ଭାବି ଭାବି ଲତିକା କାଳିଆକୁ ମୁଣ୍ଡ ନୁଆଁଇ ଜୁହାର ହେଲା । ସେ ଭକ୍ତିଭାବ ନେଇ ଚିତ୍ର ଆଙ୍କିଚାଲିଲା ।

ରାତି ବେଶୀ ହେବାରୁ ଜେଜିମା କହିଲେ- ଶୋଇ ଯା ଝିଅ ରାତି ପାହିଲେ ତିନି ଦିଅଁ ଦେଉଳ ଛାଡ଼ି ରଥରେ ବିଜେ କରିବେ । ବଡଦାଣ୍ଡରେ ଭକ୍ତଙ୍କୁ ଦେଖାଦେବେ । ଏ ଶରଧାବାଲିକୁ ଆସି ତୋତେ ଡାକିବେ । ତୋର ଗୋଡ ନାହିଁ ବୋଲି ମନ ଦୁଃଖ କରନା। କାଲି ପରା ରଥଯାତରା । ଆ ଶୋଇପଡ଼ିବୁ ।

ଚିତ୍ର ଆଙ୍କି ଠାକୁରଙ୍କୁ ନିଜ ମନ କଥା ଜଣେଇଲା ଲତିକା । ଶୋଇପଡ଼ିଲା ଜେଜିମା ପାଖରେ ।

ରାତି ପାହିଲା । ଆଜି ରଥଯାତରା । କାହିଁ କୁଆଡ଼ୁ କେତେ ଭକ୍ତ ଆସି ପୁରୀରେ ଗହଳି କଲେଣି । ଲତିକାର ମନ ଖୁସି କହିଲେ ନ ସରେ । ତିନି ରଥ ଆସି ପହଞ୍ଚିଗଲା ଶରଧାବାଲିରେ । ଅଟକିଗଲା କିଛି ସମୟ । ଆଉ ଆଗକୁ ଗଡ଼ିଲାନି । ଲତିକା ଜେଜିମା ପାଖରେ ଥାଇ ଆଙ୍କିଥିବା ଚିତ୍ରଟିକୁ ପରଖିନେଲା । ଯାହା ଆଙ୍ଗିଛି, ଆଜି ସେ ନିଜ ଆଖିରେ ଦେଖୁଛି । ଏତିକିବେଳେ ଜଣେ ଭକ୍ତ ଲତିକାକୁ କାନ୍ଧରେ ବସେଇ କାଳିଆ ଠାକୁରଙ୍କ ରଥ ଛୁଆଇଁଦେଲା । ଲତିକା କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ସହ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ଦର୍ଶନ କଲା । ଲତିକା ଧନ୍ୟ ହୋଇଗଲା । ପାଟିରେ ତୁଳସୀପତ୍ରଟିଏ ପକାଇଲା । ନଡିଆ ଭୋଗ ଖାଇ କହିପକେଇଲା – ସତରେ ପୁଣି କାଳିଆ ଲେଉଟିଲା ।

ଏଲ୍.ଆଇ.ଜି. ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର

Leave A Reply

Your email address will not be published.