ଅନୁଗୁଳ: ପୁଣି ଥରେ ବିଶେଷଜ୍ଞଙ୍କୁ ଚକମା ଦେଖାଇ ସୁନ୍ଦରୀ ହାତମୁଠାରୁ ଖସିଯାଇଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ୟାନରେ ହାତୀ ମାଧ୍ୟମରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାର ପ୍ରଚେଷ୍ଟା ପୁଣି ଥରେ ବିଫଳ ହୋଇଥିଲେ ମଧ୍ୟ ବିଶେଷଜ୍ଞ ଦଳର ଉଦ୍ୟମ ଅବ୍ୟାହତ ରହିଛି ।
ଗଣମାଧ୍ୟମକୁ ସୂଚନାଦେଇ ସୋମବାର ଦିନ ଡ଼ିଏଫଓ(ସାତକୋଶିଆ) ପି ରାମସ୍ୱାମୀ କହିଛନ୍ତି, ସୁନ୍ଦରୀ ବାଘୁଣୀକୁ ଧରିବା ଲାଗି ଯୋଜନାରେ ପ୍ରଥମଥର ଲାଗି ଟ୍ରାଙ୍କୁଲାଇଜ୍ ଟିମ ଯଶୋଦା ହାତୀର ସାହାଯ୍ୟ ନେଇଛନ୍ତି ।
“ସୁନ୍ଦରୀ ବାଘୁଣୀ କଦଳୀଖୋଲ ଜଙ୍ଗଲ ଏବଂ ପୁରୁଣାକୋଟ ଜଙ୍ଗଲର ମଝିଆମଝି ଅଞ୍ଚଳରେ ରାତି ୨ଟାରୁ ୪ଟା ମଧ୍ୟରେ ଚଳପ୍ରଚଳ ହେବାର ଦେଖାଯାଇଥିଲା । ଟ୍ରାଙ୍କୁଲାଇଜ୍ ଟିମ୍ ହାତୀ ଉପରେ ବସି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ପୁରୁଣାକୋଟ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ । ବାଘୁଣୀକୁ ଟିମ୍ ଦେଖିପାରି ହାତୀ ମାଧ୍ୟମରେ ତାହାର ପିଛା କରିଥିଲେ । ଦୀର୍ଘ ୨ ଘଣ୍ଟା ପିଛା କଲାପରେ ବାଘୁଣୀଟି ସାମ୍ନାକୁ ଆସିଥିଲା । ଏହି ସୁଯୋଗକୁ ହାତଛଡ଼ା ନକରି ବାଘୁଣୀ ଉପରେ ଟ୍ରାଙ୍କୁଲାଇଜର୍ ପ୍ରୟୋଗ କରାଯାଇଥିଲା । ମାତ୍ର ଅଳ୍ପକେ ଟ୍ରାଙ୍କୁଲାଇଜର୍ ଲକ୍ଷ୍ୟଚ୍ୟୁତ ହୋଇଥିଲା । କୌଣସିମତେ ସୁନ୍ଦରୀ ଜାଣିପାରି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଯାଇଥିଲା । ବାଘୁଣୀଟି ଚାଲିଯିବା ପରେ ଟ୍ରାଙ୍କୁଲାଇଜ ଟିମ୍ ପୁରୁଣାକୋଟ ରେଞ୍ଜ ଅଫିସକୁ ଫେରି ଆସିଥିଲା,” ଏହା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଡ଼ିଏଫଓ ।
ପୁନର୍ବାର ସୋମବାର ରାତିରେ ଏହି ଟ୍ରାଙ୍କୁଲାଇଜ୍ ଅଭିଯାନ ଚାଲିବ । ‘ମିଶନ୍ ସୁନ୍ଦରୀ’ରେ କର୍ଣ୍ଣାଟକରୁ ଆଉ ୨ଟି ଅଧିକ କୁମୁକୀ ହାତୀ ଅଣାଯିବା ନେଇ କଥାବାର୍ତ୍ତା ଚାଲିଛି ବୋଲି ସାତକୋଶିଆ ଡ଼ିଏଫଓ କହିଛନ୍ତି ।
ଗଣମାଧ୍ୟମକୁ ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି, ଚାଲିଥିବା ଏହି ‘ମିଶନ୍ ସୁନ୍ଦରୀ’ ଅଭିଯାନ କୁ ଦୃଷ୍ଟିରେ ରଖି ଡ଼େରାଡୁନସ୍ଥିତ ‘ୱାଇର୍ଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ’ (ଡବ୍ଲ୍ୟୁଆଇଆଇ)ର ବରିଷ୍ଠ ଅଧିକାରୀ ଡ଼ଃ କେ ରମେଶ ରବିବାର ଦିନ ସାତକୋଶିଆରେ ପହଁଚିଛନ୍ତି ।
ଦୁଇ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ହେବାପରେ, ବାଘୁଣୀ ସୁନ୍ଦରୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ବନବିଭାଗ ପକ୍ଷରୁ ସୁନ୍ଦରୀକୁ ଧରିବାର ଯୋଜନା ଏଯାଏଁ ଜାରି ରହିଛି ।
Comments are closed.