Latest Odisha News

BREAKING NEWS

ସାତକୋଶିଆରେ ପୁଣି ସୁନ୍ଦରୀ ମାତିଲା, ବାଘୁଣୀ ଆକ୍ରମଣରେ ବୟସ୍କ ବ୍ୟକ୍ତିଙ୍କ ପ୍ରାଣ ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଥିବା ବାଘୁଣୀ ସୁନ୍ଦରୀ ଟାଇଁସୀ ଗ୍ରାମରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଟାଇଁସୀ ଗ୍ରାମର ବାସିନ୍ଦା କହିଛନ୍ତି, ଟାଇଁସୀ ଗ୍ରାମର ୬୦ ବର୍ଷ ବର୍ଷ ବୟସ୍କ ଶ୍ରୀନାଥ ସାହୁୁ ନିକଟସ୍ଥ ଏକ ନଳାକୁ ମାଛ ଧରିବାକୁ ଯାଇଥିବା ବେଳେ ବାଘୁଣୀ ତାଙ୍କୁ ଆକ୍ରମଣ କରିଥିଲା । ବାଘୁଣୀର ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରିକି ବାଘଟି ଶ୍ରୀନାଥଙ୍କ ଅଣ୍ଟା ତଳର ସମସ୍ତ ମାଂସ ଏବଂ କାନ୍ଧ ଭାଗକୁ ଖାଇଦେଇଥିବା ଅଭିଯୋଗ କରିଛନ୍ତି ଟାଇଁସୀ ଗ୍ରାମର ଗ୍ରାମବାସୀ ।

ଏସମ୍ପର୍କରେ ଖବର ପାଇ ଅତିରିକ୍ତ ବନସଂରକ୍ଷଣ ଅଧିକାରୀଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀମାନେ ଟାଇଁସାର ଘଟଣାସ୍ଥଳକୁ ଆସିଥିଲେ । ସୂତ୍ରରୁ ଖବର ମିଳିଛି, ଗ୍ରାମବାସୀମାନେ ଏସିଏଫଙ୍କ ସମେତ ସମସ୍ତ ବନବିଭାଗ କର୍ମଚାରୀମାନଙ୍କୁ ଦୀର୍ଘ ସମୟଧରି ଘେରାଉ କରି ରଖିଥିଲେ ।

ଏପରିକି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି, ବାଘୁଣୀଟି ଶ୍ରୀନାଥଙ୍କୁ ମାରିଦେଲା ପରେ ଗାଁ’ର ଆଖପାଖରେ ବୁଲୁଥିବାର ଅନେକ ଦେଖିଛନ୍ତି ।

ଏହି ଘଟଣା ପୂର୍ବରୁ ଶନିବାର ଦିନ ସନ୍ଧ୍ୟାରେ ହାତୀବାରି ଗ୍ରାମର ସଞ୍ଜୟ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ମୋଟର ସାଇକେଲ ଉପରକୁ ଲମ୍ଫ ପ୍ରଦାନ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଗତ ସେପ୍ଟେମ୍ବର ୧୨ ତାରିଖରେ ହାତୀବାରି ଗ୍ରାମ କଇଳାଶି ସାହିର ଜଣେ ମହିଳାଙ୍କ ବାଘୁଣୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

ଉକ୍ତ ଘଟଣା ପରେ ପରେ ଜାତୀୟ ସ୍ତରର ଡ଼ବ୍ଲୁଆଇଆଇ ର କିଛି ବିଶେଷଜ୍ଞ ଦଳ ସାତକୋଶିଆ ଆସି ଘଟଣାର ଯାଞ୍ଚ କରି ଫେରିଯାଇଥିଲେ । ବାଘୁଣୀଟିକୁ କେଜ୍ ମାଧ୍ୟମରେ ଧରିବାକୁ ଚେଷ୍ଠା କରାଯାଇ ଗତ ୩ ତାରିଖରୁ ବାଘୁଣୀଟିକୁ ନିରାପଦ ଅଞ୍ଚଳ ମଧ୍ୟରେ ରଖାଯାଇଥିଲା ।

ନିରାପଦ ବଳୟ ଅଞ୍ଚଳରୁ ବାହାରି ବାଘୁଣୀଟି ଏବେ ଜନାକୀର୍ଣ୍ଣ ଗ୍ରାମର ଆଖପାଖ ଅଞ୍ଚଳରେ ଚଲାବୁଲା କରିବା ଫଳରେ ଏବେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହି ସୁନ୍ଦରୀ ବାଘୁଣୀଟିକୁ ଛତିଶଗଡ଼ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ସାତକୋଶିଆ ଅଭୟାରଣ୍ୟକୁ ଗତ ଜୁନ ୨୮ ତାରିଖରେ ବନବିଭାଗ ଦ୍ୱାରା ଅଣାଯାଇଥିଲା ।

Leave A Reply

Your email address will not be published.