Latest Odisha News

BREAKING NEWS

ଏସବିଆଇ ବ୍ୟାଙ୍କରେ ଦିନଦ୍ୱିପ୍ରହରରେ ଲଙ୍କାଗୁଣ୍ଡ ମାଡ଼, ୪ ଲକ୍ଷ ଟଙ୍କା ଧରି ଫେରାର୍ ହେଉଥିବା ବେଳେ ଧରାପଡ଼ିଲା ଲୁଟେରା

ନାଗପୁର: ମହାରାଷ୍ଟ୍ରର ନାଗପୁର ସହରରେ ଏକ ସାଂଘାତିକ ବ୍ୟାଙ୍କ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଏକ ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଯୁବକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖାରେ ପଶି କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲା । ତେବେ ଲୁଟେରା ଜଣକ ଖସି ପଳାଇବାରେ ସଫଳ ହୋଇପାରିନଥିଲା ଏବଂ ମାତ୍ର ୩୦ ମିନିଟ୍ ମଧ୍ୟରେ ପୋଲିସ ତାକୁ ଗିରଫ କରିବା ସହ ଲୁଟ୍ ହୋଇଥିବା ସମସ୍ତ ଟଙ୍କା ଉଦ୍ଧାର କରିଛି ।

ନାଗପୁରର ସକ୍କରଦାରା ଅଞ୍ଚଳରେ ଥିବା ଏସବିଆଇ ଶାଖାରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଯୁବକ ଜଣକ ସାଧାରଣ ଗ୍ରାହକ ଭାବେ ବ୍ୟାଙ୍କ ଭିତରକୁ ପ୍ରବେଶ କରି କ୍ୟାସ୍ କାଉଣ୍ଟର ନିକଟକୁ ଯାଇଥିଲା । ସେଠାରେ ହଠାତ୍ ସେ ନିଜ ପାଖରେ ରଖିଥିବା ଲଙ୍କାଗୁଣ୍ଡ ବ୍ୟାଙ୍କ କର୍ମଚାରୀଙ୍କ ଆଖିରେ ଫିଙ୍ଗି ଦେଇଥିଲା । ଲଙ୍କାଗୁଣ୍ଡ ମାଡ଼ ଯୋଗୁଁ କର୍ମଚାରୀମାନେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବ୍ୟାଙ୍କ ଭିତରେ ହଠାତ୍ ଆତଙ୍କ ଖେଳିଯାଇଥିଲା । ଏହି ସୁଯୋଗ ନେଇ ଅଭିଯୁକ୍ତ ଜଣକ କ୍ୟାସ୍ କାଉଣ୍ଟରରୁ ୪ ଲକ୍ଷ ଟଙ୍କା ନେଇ ଫେରାର୍ ହେବାକୁ ଉଦ୍ୟମ କରିଥିଲା। ଲୁଟ୍‌ର ଏହି ପୂରା ଦୃଶ୍ୟ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରିଥିଲା । ବ୍ୟାଙ୍କ କର୍ମଚାରୀ ଏବଂ ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତକୁ ବ୍ୟାଙ୍କଠାରୁ ପ୍ରାୟ ଏକ କିଲୋମିଟର ଦୂରରେ କାବୁ କରାଯାଇଥିଲା। ଲୁଟ୍ ହୋଇଥିବା ୪ ଲକ୍ଷ ଟଙ୍କା ମଧ୍ୟ ତା’ ନିକଟରୁ ଜବତ କରାଯାଇଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତର ନାମ ସୁରଜ ଭୋଜରାଜ ବୋରକର (୨୮ ବର୍ଷ) । ସେ ବିଏସସି ପାସ୍ କରିଥିଲେ ମଧ୍ୟ ବେକାର ଥିଲା । ବେକାରୀ ସମସ୍ୟା ଯୋଗୁଁ ସେ ଏଭଳି ଅପରାଧ କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ଅଭିଯୁକ୍ତକୁ ଅଧିକ ଜେରା କରୁଛି ।

Leave A Reply

Your email address will not be published.