Latest Odisha News

BREAKING NEWS

ବାଲେଶ୍ୱରରୁ ଉଦ୍ଧାର ୫ ଛୁଆ ଓରାଙ୍ଗଉଟାନଙ୍କୁ ଫେରାଇ ନେବ ଇଣ୍ଡୋନେସିଆ: ଆରମ୍ଭ ହେଲା କୂଟନୈତିକ ପ୍ରକ୍ରିୟା

ନୂଆଦିଲ୍ଲୀ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ନିକଟରେ ଉଦ୍ଧାର ହୋଇଥିବା ୫ଟି ବିରଳ ଛୁଆ ଓରାଙ୍ଗଉଟାନଙ୍କୁ ସେମାନଙ୍କ ସ୍ୱଦେଶ ଫେରାଇ ନେବା ପାଇଁ ଇଣ୍ଡୋନେସିଆ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣର ବଳିପଡ଼ି ଭାରତରେ ପହଞ୍ଚିଥିବା ଏହି ଅତି ସଙ୍କଟାପନ୍ନ ଜୀବଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି । ଏଥିପାଇଁ ନୂଆଦିଲ୍ଲୀ ଏବଂ ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ଜରିଆରେ ଭାରତ ସରକାରଙ୍କ ସହ ଆନୁଷ୍ଠାନିକ ଭାବେ କୂଟନୈତିକ ଯୋଗାଯୋଗ କରାଯାଇଛି । ଇଣ୍ଡୋନେସିଆ ଜଙ୍ଗଲ ମନ୍ତ୍ରଣାଳୟର ମୁଖପାତ୍ର ରିସ୍ତିଆଣ୍ଟୋ ପ୍ରିବାଦୀ ସୂଚନା ଦେଇ କହିଛନ୍ତି ଯେ, ଏହି ୫ଟି ମାତୃହୀନ ଛୁଆ ଓରାଙ୍ଗଉଟାନଙ୍କୁ ଭାରତ ସରକାରଙ୍କ ଠାରୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିବା ପାଇଁ ଆଲୋଚନା ଜାରି ରହିଛି । ସେମାନଙ୍କର ଥଇଥାନ, ସୁରକ୍ଷା ଏବଂ ଉପଯୁକ୍ତ ଯତ୍ନ ନେବା ନିମନ୍ତେ ଇଣ୍ଡୋନେସିଆର ବିଭିନ୍ନ ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥା ସହ ମଧ୍ୟ ପ୍ରସ୍ତୁତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓରାଙ୍ଗଉଟାନମାନେ ଭାରତୀୟ ପ୍ରଜାତିର ବନ୍ୟଜନ୍ତୁ ନୁହଁନ୍ତି । ଏମାନେ ସାଧାରଣତଃ କେବଳ ଇଣ୍ଡୋନେସିଆର ସୁମାତ୍ରା ଓ ବୋର୍ଣ୍ଣିଓ ଦ୍ୱୀପ ଏବଂ ମାଲେସିୟାର ଘଞ୍ଚ ବୃଷ୍ଟିଅରଣ୍ୟରେ ଦେଖିବାକୁ ମିଳନ୍ତି । ବିଶେଷଜ୍ଞଙ୍କ ମତରେ, ଉଦ୍ଧାର ହୋଇଥିବା ଏହି ଛୁଆମାନଙ୍କର ବୟସ ପ୍ରାୟ ଦେଢ଼ ବର୍ଷ ହେବ । ସେମାନଙ୍କର ପ୍ରାଥମିକ ଶାରୀରିକ ଲକ୍ଷଣରୁ ଏହି ୫ ଛୁଆ ସୁମାତ୍ରା ପ୍ରଜାତିର ଓରାଙ୍ଗଉଟାନ ବୋଲି ଅନୁମାନ କରାଯାଉଛି । ତେବେ ସେମାନଙ୍କର ପ୍ରକୃତ ଉତ୍ସ ଏବଂ ବାସସ୍ଥାନ ସମ୍ପର୍କରେ ଶତପ୍ରତିଶତ ନିଶ୍ଚିତ ହେବା ପାଇଁ ଖୁବଶୀଘ୍ର ଡିଏନଏ ପରୀକ୍ଷା କରାଯିବ ବୋଲି ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଇୟୁସିଏନ ରିପୋର୍ଟ ଅନୁଯାୟୀ ସୁମାତ୍ରା ଓରାଙ୍ଗଉଟାନମାନେ ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି, ତେଣୁ ସେମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଅନ୍ୟପକ୍ଷରେ, ଏକ ବିଶାଳ ଆନ୍ତର୍ଜାତୀୟ ସ୍ମଗଲିଂ ନେଟୱର୍କ ଜରିଆରେ ଏହି ଜୀବମାନଙ୍କୁ ଜଳପଥରେ କିମ୍ବା ସ୍ଥଳପଥରେ ଓଡ଼ିଶା ଅଣାଯାଇଥିଲା ବୋଲି ସନ୍ଦେହ ହୋଇଛି । ଧରାପଡ଼ିବା ଭୟରେ ଚୋରା ଚାଲାଣକାରୀମାନେ ବୋଧହୁଏ ସେମାନଙ୍କୁ ବିଚିତ୍ରପୁର ନିକଟସ୍ଥ କାଜୁ ଜଙ୍ଗଲରେ ଛାଡ଼ି ଫେରାର୍ ହୋଇଯାଇଥିଲେ । ବର୍ତ୍ତମାନ ଏହି ବିରଳ ଅତିଥିମାନଙ୍କୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଣି ଏକ ସ୍ୱତନ୍ତ୍ର ବାତାନୁକୂଳିତ କ୍ୱାରେଣ୍ଟାଇନରେ ରଖାଯାଇଛି । ପଶୁ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ଫଳମୂଳ ଏବଂ ଓଆରଏସ ଦିଆଯାଉଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଥିବା ଜଣାପଡିଛି । ଏହି ଚୋରାଚାଲାଣର ଚେର ଖୋଜିବା ପାଇଁ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏବଂ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି । ଏକ ସନ୍ଦିଗ୍ଧ କଳା ରଙ୍ଗର ଏସୟୁଭି ଗାଡ଼ି ମାଧ୍ୟମରେ ପଶ୍ଚିମବଙ୍ଗରୁ ଏମାନଙ୍କୁ ଅଣାଯାଇଥିବା ନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି । ତେବେ ଇଣ୍ଡୋନେସିଆର ଏହି ଆନୁଷ୍ଠାନିକ ହସ୍ତକ୍ଷେପ ପରେ ଆଇନଗତ ପ୍ରକ୍ରିୟା ଶେଷ ହେବା କ୍ଷଣି ଖୁବଶୀଘ୍ର ୫ ଓରାଙ୍ଗଉଟାନଙ୍କୁ ସେମାନଙ୍କ ନିଜ ମାଟିକୁ ଫେରାଇ ଦିଆଯିବାର ବାଟ ଫିଟିଛି ।

Leave A Reply

Your email address will not be published.