Latest Odisha News

BREAKING NEWS

ବିଦ୍ୟାଳୟକୁ ଆସୁନି ଚାଉଳ, ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

ଯାଜପୁର : ବିଦ୍ୟାଳୟରେ ଦୀର୍ଘଦିନ ଧରି ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ । ଉପାସରେ ଘରକୁ ଫେରୁଛନ୍ତି ଛାତ୍ର ଛାତ୍ରୀ । ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଦୀର୍ଘଦିନ ହେଲା ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଛାତ୍ରୀ ଘରକୁ ଖାଇବା ପାଇଁ ଯାଉଥିବାରୁ ପାଠ ପଢ଼ା ବ୍ୟାଘାତ ହେଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ  ।

ସୂଚନା ଅନୁଯାୟୀ, ବିଂଝାରପୁର ବ୍ଲକରେ ୧୮୫ଟି ବିଦ୍ୟାଳୟର ୧୮ହଜାର ୯୪୩ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି । ବ୍ଲକର ଅଧିକାଂଶ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବାରୁ ପିଲାଙ୍କ ପାଠ ପଢ଼ିବାରେ ବାଧା ସୃଷ୍ଟି ହେଉଛି । ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ଅନେକ ଯୋଜନା କରାଯାଉଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ସରକାର କାହିଁକି ଗୁରୁତ୍ୱ ଦେଉନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।

ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ମଧ୍ୟ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ତେବେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଗୁରୁତ୍ୱ ଦିଆଯିବା ସହ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ଅଭିଭାବକ ।

Leave A Reply

Your email address will not be published.