ସ୍ଥପତି ରଘୁନାଥଙ୍କ ନିଆରା ସଉକ…

ଭୁବନେଶ୍ୱର:ନିରବୀ ଯାଇଛି ନିହଣ ସ୍ୱର । ନିରବୀ ଯାଇଛି ସେଇ ନିହଣ ଧରି ଜୀବନ୍ତ କରି ଗଢି ତୋଳୁଥିବା ସ୍ଥପତିର କାରିଗର । ଆଉ ଶୁଭିବ ନାହିଁ ନିହଣ ଶଦ୍ଦ । ଜୀବନ ଯୁଦ୍ଧରେ ହାରିଯାଇଛି ଲଢୁଆ ଶିଳ୍ପୀ । କରୋନା ଲଢେଇରେ ହାର୍ ମାନି ଯାଇଛନ୍ତି ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖିଥିବା ସେହି ଶିଳ୍ପୀ ରଘୁନାଥ ମହାପାତ୍ର । ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଶିଳ୍ପର ସ୍ରଷ୍ଟା । ୧୯୪୩ ମସିହା ମାର୍ଚ୍ଚ ୨୪ରେ ପୁରୀ ପଥୁରିଆ ସାହିରେ ତାଙ୍କର ଜନ୍ମ । ବହୁ ଶ୍ରଦ୍ଧାରେ ବାପାମା’ ତାଙ୍କ ନାଁ ରଖିଥିଲେ ରଘୁନାଥ । ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଟି ବେଳରୁ ଜଣାପଡିଥିଲା ତାଙ୍କ କୃତି । ମାତ୍ର ୨୨ବର୍ଷ ବୟସରେ ତାଙ୍କୁ ମିଳିଥିଲା ରାଷ୍ଟ୍ରୀୟ ସ୍ଥାପତ୍ୟ କଳା ସମ୍ମାନ । ତାଙ୍କର ସ୍ଥପତି ପାଇଁ ୧୯୭୬ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ତା ପରେ ପଛକୁ ଆଉ ଫେରି ଚାହିଁନଥିଲେ ରଘୁନାଥ । ନିଜ ଶିଳ୍ପ କଳାକୁ ନେଇ ଦେଶ ବିଦେଶରେ ପହଞ୍ଚାଇ ପାରିଥିଲେ । କହିବାକୁ ଗଲେ ଯେମିତି ତାଙ୍କୁ ଆଉ ଫୁରସତ୍ ହିଁ ନଥିଲା ।
ରଘୁନାଥ କେବଳ ପଥରର ଯାଦୁଗର ନଥିଲେ । ବାସ୍ତୁକଳା ସହିିତ ପାରମ୍ପରିକ ମୂର୍ତ୍ତି କଳାରେ ଥିଲା ତାଙ୍କର ଅଗାଧ ଜ୍ଞାନ । ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ହାତ ତିଆରି କଳାକୃତି ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରିଥାଏ । ପ୍ୟାରିସ ବୁଦ୍ଧ ମନ୍ଦିରରେ ତାଙ୍କ ହାତ ତିଆରି ମୂ ର୍ତ୍ତି ତାଙ୍କୁ ସ୍ଥାପତ୍ୟ କଳାରେ ଅମର କରି ରଖିଛି । ନିଜ ଜନ୍ମ ସ୍ଥାନ ପୁରୀ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସଂରକ୍ଷଣ ଦିଗରେ ମଧ୍ୟ ସେ ଅନେକ କାର୍ଯ୍ୟ କରିଛନ୍ତି । ଦ୍ୱିତୀୟ କୋଣାର୍କ ମନ୍ଦିରର ପରିକଳ୍ପନା କରିଥିବା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ୨୦୧୮ ଜୁଲାଇ ୧୪ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।ରଘୁନାଥଙ୍କ ପ୍ରତିଭାକୁ ମିଳିଛି ଶୀର୍ଷରେ ସଫଳତା । ଆଉ ଏତେ ସଫଳତା ସାଉଁଟିଲେ ବି ଜୀବ ଜନ୍ତୁଙ୍କ ପାଇଁ ଅହେତୁକ ଦୁର୍ବଳତା ରହିଛି । ନିଜ ଘରେ ରଖିଛନ୍ତି ଦେଢ ହଜାରରୁ ଅଧିକ ଭଳିକିଭଳି ପାରା । ଏଠି ବସା ଆଉ ଖାଇବା ପିଇବା ସବୁକିଛି । ଏଗୁଡିକ ବୁଲିଯାନ୍ତି ଖୋଲା ଆକାଶକୁ । ଆଉ ପୁଣି ଫେରିଆସନ୍ତି ତାଙ୍କର ସେହି ବସାକୁ । ପଥର ଦେହରେ ପ୍ରାଣ ଭରୁଥିବା ଶିଳ୍ପୀଙ୍କର ଏହି ନିଆରା ପ୍ରେମ ହେଉଛି ପାରା । ଖାଲି ସେତିକି ନୁହେଁ ବିଦେଶକୁ ଗଲେ ମଧ୍ୟ ସାଙ୍ଗରେ ନେଇ ଆସନ୍ତି ବିଭିନ୍ନ କିସମର ପାରା ସବୁ । ପିଲା ବେଳରୁ ରହିଛି ତାଙ୍କର ଏହି ସଉକ ।ଆଜି ସେ ନାହାନ୍ତି ସତ । ହେଲେ ତାଙ୍କର ଭଲ ପାଇବା କଳା ସ୍ଥପତି ଆଉ ପ୍ରତିଷ୍ଠା ଯେମିତି ତାଙ୍କୁ ଜୀବନ୍ତ କରି ରଖିଛି । କହିବାକୁ ଗଲେ ରଘୁନାଥ ପାଇଥିବା ସମ୍ମାନ ଓ ପୁରସ୍କାର ତାଙ୍କର କଳା ସ୍ଥପତି କ୍ଷେତ୍ରରେ ବହୁତ ସାମାନ୍ୟ । ତାଙ୍କର ହଠାତ ଏମିତି ଅସମୟରେ ବିୟୋଗ ଶିଳ୍ପ ଦରବାରରେ ଏକ ଅପୂରଣୀକ୍ଷ କ୍ଷତି କହିଲେ ଚଳେ ।