Latest Odisha News

BREAKING NEWS

ଦେଉଳ ଦେହରେ ଦେବଦାସୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀମନ୍ଦିର ବିମାନ ବାଡ଼ରେ ସୁରସୁନ୍ଦରୀ : ବିମାନ ବାଡ଼ର ଉପରଜଜଙ୍ଘାରେ ଅତୀବ ସୁଲଳିତ ନାରୀ ମୂର୍ତ୍ତିମାନ ସଂଯୋଜିତ ହୋଇ ସାମଗ୍ରିକ ଭାବରେ ଆମର ପାରମ୍ପରିକ ଭାସ୍କର୍ଯ୍ୟର ଜୟଗାନ କରୁଛନ୍ତି । ବିମାନର ଚତୁଃପାଶ୍ୱର୍ରେ ଠିକ୍ ତଳଜଙ୍ଘାରେ ରହିଥିବା ବିଡ଼ାଳ ମୂର୍ତ୍ତିମାନଙ୍କ ଉପରିଭାଗରେ ଅର୍ଥାତ୍ ଉପର ଜଙ୍ଘାର ପଗମାନଙ୍କ ମଧ୍ୟରେ ଥିବା ସନ୍ଧିସ୍ଥଳରେ ଦୁଇଟି ଲେଖାଁଏ ଲଳନା ରୂପ ଦୃଶ୍ୟମାନ ହୁଅନ୍ତି । ଏଥି ମଧ୍ୟରୁ ପୂର୍ବ ପାଶ୍ୱର୍କୁ ବାଦ୍ ଦେଲେ ଅନ୍ୟ ତିନି ପାଶ୍ୱର୍ରେ ଥିବା ପାଶ୍ୱର୍ ଦେବତାମାନଙ୍କ ମନ୍ଦିରର ଉଭୟ ପାଶ୍ୱର୍ରେ ଏହି ଲାବଣ୍ୟମୟୀ ରୂପଗୁଡ଼ିକ ଦୃଶୀଭୂତ ହୁଅନ୍ତି । ଏମାନଙ୍କ ରୂପ ଲାବଣ୍ୟ କାନ୍ତି ଭଙ୍ଗୀ ଓ ଶୈଳୀ ପରସ୍ପରଠାରୁ ଭିନ୍ନ କରି କଳିଙ୍ଗ ଶିଳ୍ପୀ ଏହି ନାରୀରୂପମାନଙ୍କ ମାଧ୍ୟମରେ ନିଜର ସୃଜନଶୀଳତାର ପ୍ରମାଣ ଦେଇଛନ୍ତି ।

ଏହି ଅନୁପମ କନ୍ୟା ମୂର୍ତ୍ତିଗୁଡ଼ିକ ଶାଳଭଞ୍ଜିକା ଓ ସୁରସୁନ୍ଦରୀ ବା ମଦନିକା ନାମରେ ପରିଚିତ । ସନ୍ଧିସ୍ଥଳର ଓସାରକୁ ନେଇ ଏହି ନାରୀ ମୂର୍ତ୍ତିର ନିମ୍ନରେ ସୁଉଚ୍ଚ କମନୀୟ ଚିତ୍ରଣଯୁକ୍ତ ସୁଦୃଶ୍ୟ ପୀଠମାନ ବିଦ୍ୟମାନ । ପୀଠ ଉପରେ ପ୍ରାୟ ଛଅ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚତା ବିଶିଷ୍ଟ ଏହି ଲଳନା ମୂର୍ତ୍ତିଗୁଡ଼ିକ ଉଲମ୍ବ ଭାବରେ ସ୍ଥାନୀତ ହୋଇଛନ୍ତି । ଓସାର ଅଧିକ ହୋଇଥିଲେ ଏହି ମୂର୍ତ୍ତିଗୁଡ଼ିକର ଆକାର ହୁଏତ ଅଧିକ ଦୀର୍ଘ ହୋଇପାରିଥାଆନ୍ତା! ବାଡ଼ର ଉତ୍କୀର୍ଣ୍ଣ ହୋଇଥିବା ଭାସ୍କର୍ଯ୍ୟର ଭାଗମାପ ଦୃଷ୍ଟିରୁ ଏହି ନାରୀ ମୂର୍ତ୍ତିଗୁଡ଼ିକର ଆକାର ଯଥାର୍ଥ ଏବଂ ଆକର୍ଷକ । ବିମାନରୁ ଚୂନର ଆସ୍ତରଣ ଛଡ଼ାଯିବାପରେ ଆତ୍ମପ୍ରକାଶ କରି କଳାପ୍ରେମୀମାନଙ୍କୁ ଏଗୁଡ଼ିକ ଭାବ ବିହ୍ୱଳିତ କରୁଛନ୍ତି । ଦୁଃଖର ବିଷୟ ସେଥି ମଧ୍ୟରୁ କେତେଗୋଟି ଆଂଶିକ ତଥା କେତେଗୋଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇସାରିଛି ଯାହାର ସଠିକ୍ ମରାମତି ହେବାର ସମ୍ଭାବନା ନାହିଁ । ଦକ୍ଷିଣ ପାଶ୍ୱର୍ରେ ରହିଥିବା ଏହି ଦେବଦାସୀ ମୂର୍ତ୍ତିଗୁଡ଼ିକ ବିଶେଷ ଭାବରେ ବିଦୀର୍ଣ୍ଣ ହୋଇଥିବା ଦେଖାଯାଏ । ମାତ୍ର ପଶ୍ଚିମ ଉତ୍ତର ପାଶ୍ୱର୍ରେ ରହିଥିବା ମୂର୍ତ୍ତିର କିଛି ଅଂଶ ନଷ୍ଟ ହୋଇଥିଲେ ମଧ୍ୟ ରୂପ ମାଧୁରୀ ବାରି ହୋଇପଡ଼େ ।

ଏହା ବ୍ୟତିତ ବିମାନ, ଭୋଗ ମଣ୍ଡପ ତଥା ମନ୍ଦିର ପରିସରରେ ଅନ୍ୟାନ୍ୟ ମନ୍ଦିରମାନଙ୍କ ବାଡ଼ର ବିଭିନ୍ନ ଅଂଶରେ କ୍ଷୁଦ୍ରାକୃତି ଅସଂଖ୍ୟ ନାରୀ ମୂର୍ତ୍ତି ଶୋଭାବର୍ଦ୍ଧନ କରୁଛନ୍ତି । ଆହୁରି ମେଘନାଦ ପାଚେରୀ ସଂଲଗ୍ନ ତିନି ପାଶ୍ୱର୍ର୍ରେ ଥିବା ପ୍ରବେଶ ପଥ ଗୁମୁଟର ସମ୍ମୁଖ ଭାଗରେ ଉଦ୍‌ବୃତ ପୀଢ଼ ଛାତ ତଳକୁ ଥିବା ପାଟପଥରର ଉପରି ଭାଗରେ ଗୋଟିଏ ଧାଡ଼ିରେ ଛ’ଗୋଟି ଲେଖାଁଏ ବିଭିନ୍ନ ଭଙ୍ଗୀର ଦେବଦାସୀ ମୂର୍ତ୍ତି ରହିଛନ୍ତି । ଏମାନେ ଶାଳଭଞ୍ôଜକା, ଚାମରଧାରିଣୀ ଓ ମଦନିକା ନାମରେ ପରିଚିତ । ସିଂହଦ୍ୱାର ଗୁମୁଟରେ କେନ୍ଦ୍ରରେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତିର ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ସଖୀ ରହିଛନ୍ତି । ଏହି ଚିତ୍ରିତ ମୂର୍ତ୍ତି ମାନଙ୍କର ଉଚ୍ଚତା ପ୍ରାୟ ଦୁଇ ଫୁଟ ହେବ । ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଗୁମୁଟର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ କେନ୍ଦ୍ରରେ ତ୍ରିଭଙ୍ଗ ଠାଣିରେ ଦଣ୍ଡାୟମାନ ବଂଶୀଧାରୀ ଶ୍ରୀକୃଷ୍ଣଙ୍କ ଦୁଇ ପାଶ୍ୱର୍ରେ ଏହି କ୍ଷୀଣ ଅବୟବଯୁକ୍ତ ଲଳନା ମୂର୍ତ୍ତିଗୁଡ଼ିକ ରହି ଶୋଭାବର୍ଦ୍ଧନ କରୁଛନ୍ତି । ଉତ୍ତର ପାଶ୍ୱର୍ ଗୁମୁଟର ଭିତର ଓ ବାହାର ଦୁଇ ପାଶ୍ୱର୍ରେ ଏହି ଭଳି ଭାସ୍କର୍ଯ୍ୟମାଳା ଦୃଷ୍ଟିଗୋଚର ହୁଏ ।

ଜଗମୋହନର ଅଷ୍ଟସଖୀ : ଶ୍ରୀମନ୍ଦିରର ଜଗମୋହନ ଭିତର ଚାରିକୋଣରେ ଥିବା ଧୁକୁଡ଼ି ଦୁଆର ପାଖ, ପାଣିଘର, ଖଟଶେଯ ଘର, ଚାଙ୍ଗଡ଼ା ଘରଗୁଡ଼ିକରେ ପ୍ରତ୍ୟେକରେ ଦୁଇଗୋଟି କରି ମୋଟ ଆଠଗୋଟି ସୁଢ଼ଳ ଅବୟବଯୁକ୍ତ ନାରୀ ପ୍ରତିମା ବିରାଜମାନ କରିଛନ୍ତି । ଏମାନେ ସାଳଙ୍କୃତା , ରୁଚିପୂର୍ଣ୍ଣ ପରିଧାନରେ କାନ୍ଥକୁ ଲାଗି ଭୂମି ଉପରେ ଦଣ୍ଡାୟମାନ । ମୂର୍ତ୍ତିଗୁଡ଼ିକ ନିଚ୍ଛକ ଓଡ଼ିଶୀ ଶୈଳୀରେ ନିର୍ମିତ । ଏହି ମୂର୍ତ୍ତିଗୁଡ଼ିକର ମୁଖମଣ୍ଡଳରେ ତୀକ୍ଷ୍ଣ ନାସା, ପଦ୍ମପାଖୁଡ଼ା ପରି ଚକ୍ଷୁଦ୍ୱୟ ଏବଂ ସୁନ୍ଦର ଓଠ ସହିତ ଆକର୍ଷଣୀୟ ଭାବେ ନିର୍ମିତ ହୋଇଅଛି । ମୂର୍ତ୍ତିଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ସୂକ୍ଷ୍ମ ନହେଲେ ମଧ୍ୟ ବିଧିସମ୍ମତ ତଥା ଚିତ୍ତାକର୍ଷକ । ଏମାନେ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟମହିଷୀ, କଳିଯୁଗରେ ଏହି ରୂପରେ ପୂଜିତା ବୋଲି ବିଶ୍ୱାସ କରାଯାଏ । ଏମାନେ ହେଲେ ରୁକ୍ମଣୀ, ସତ୍ୟଭାମା, ନଗ୍ନଜିତୀ, ସୁନନ୍ଦା, ମିତ୍ରବିନ୍ଦା, ସୁଲକ୍ଷଣା, ସୁଶୀଳା ଓ ଜାମ୍ବବତୀ ।ଦୈନନ୍ଦିନ ଧୂପ ପୂଜା ବଢ଼ିବା ପରେ ଏମାନଙ୍କ ଉଦ୍ଦେଶ୍ୟରେ ପାଣି ଫୁଲ ଅର୍ପଣ କରାଯାଏ । ଅଣସର ସମୟରେ ଏମାନେ ନିଭୃତରେ ମହାପ୍ରଭୁଙ୍କ ସେବା କରନ୍ତି ବୋଲି ପ୍ରବାଦ ଅଛି ।

ମନ୍ଦିରଚାରିଣୀ : ନାରୀରୂପର ବିଚିତ୍ର ଚିତ୍ରଣର ସଜ୍ଜଳ ଉଦାହରଣ,ଏହି ମନ୍ଦିରଚାରିଣୀ । ବିମାନ ବ୍ୟତିତ ଅନ୍ୟ ଦେଉଳମାନଙ୍କ ବାଡ଼ ଉପରେ ସ୍କନ୍ଧଦେଶରେ ଚାରିକୋଣରେ ଅଁଳାବେଢ଼ାର ତଳକୁ ଦୁଇ ଗୋଡ଼ଭାଙ୍ଗି ଆଣ୍ଠୁ ମଝିରେ ଦୁଇହାତରେ ଭରା ଦେଇ ସାମାନ୍ୟ ନିମ୍ନମୁଖା ହୋଇ ବସିଥିବାର ଦେଖାଯାଏ । ସ୍ଥାପତ୍ୟ ଦୃଷ୍ଟିରୁ ଉଦ୍‌ବୃତ ଅଳାଁ ବେଢ଼ାକୁ କାନ୍ଧ ଲଗାଇ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ବିଗ୍ରହମାନଙ୍କର ପରିକଳ୍ପନା କରାଯାଇଥିବାର ଅନୁମାନ କରାଯାଏ ।

କୁଣ୍ଢେଇବେଣ୍ଟ ସାହି,

ପୁରୀ

ମୋ- ୯୪୩୭୧୬୬୩୬୯

Leave A Reply

Your email address will not be published.