Latest Odisha News

ଜଳମଗ୍ନ ଭଟ୍ଟାରିକା ମନ୍ଦିର; ପ୍ରାଙ୍ଗଣରେ ୧୪୪ ଧାରା ଜାରି

କଟକ: ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ଭଟ୍ଟାରିକାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୧୪୪ ଧାରା ଜାରି ହୋଇଛି । ଅତିରିକ୍ତ ତହସିଲଦାର ତପନ କୁମାର ପରିଡ଼ା ଭଟ୍ଟାରିକା ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛନ୍ତି । ମହାନଦୀରେ ବନ୍ୟା ଆସିବାରୁ, ଏହାର କୂଳରେ ଅବସ୍ଥିତ ଭଟ୍ଟାରିକା ମନ୍ଦିର ଜଳମଗ୍ନ ହୋଇଯାଇଛି ।

ମନ୍ଦିରରେ ଜମିଥିବା ପାଣି ଏବଂ ଅଧା ବୁଡ଼ା ଦେବୀଙ୍କୁ ଦେଖିବା ପାଇଁ ସେଠାରେ ଭିଡ଼ ଜମୁଥିଲା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସେଠାରେ ୧୪୪ ଧାରା ଜାରି କରିଛି । ଯାହା ଫଳରେ ସେଠାରେ ଲୋକଙ୍କ ଏକତ୍ରିକରଣ ଉପରେ ପ୍ରତିବନ୍ଧକ ଲାଗିଛି ଏବଂ ମନ୍ଦିର ପ୍ରାଙ୍ଗଣ ଭିତରକୁ କେହି ପ୍ରବେଶ କରିପାରିବେନି ।

ରବିବାର ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ମନ୍ଦିର ନିକଟକୁ ଯାଇ ସେବାୟତ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।

ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଏବେ ମନ୍ଦିର ଅଧା ବୁଡ଼ିକି ଅଛି । କିନ୍ତୁ ପ୍ରତିଷ୍ଠିତ ଦେବୀଙ୍କ ମୂର୍ତ୍ତି ସୁରକ୍ଷିତ ଅଛି । ଯଦି ଅଧିକ ଜଳସ୍ତର ବଢ଼େ ତେବେ ମୂର୍ତ୍ତି ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ ।

ମହାନଦୀରେ ବନ୍ୟା ପରିସ୍ଥିତ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମହାନଦୀରେ ଏବେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇଛି । ୧୦.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶଙ୍କା କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.