Latest Odisha News

BREAKING NEWS

କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ସାହିତ୍ୟ ଉତ୍ସବ

ଭୁବନେଶ୍ୱର : କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି । ଲେଫଟାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଏହି ଉତ୍ସବକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୁଚିସ୍ମିତା ପୃଷ୍ଟିଙ୍କୁ ଅରୁଣ ସ୍ମୃତି ସମ୍ମାନ, ଗୀତିକବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତିକାର ବଦ୍ରି ମିଶ୍ରଙ୍କୁ ନିରାକାର ସ୍ମୃତି ସମ୍ମାନ, ଦୀପ୍ତି ରଞ୍ଜନ ପଣ୍ଡାଙ୍କୁ କୋଣାର୍କ ଓଡ଼ିଶା କବିତା ସମ୍ମାନ, ଗୁରୁଶ୍ରୀ ଭୀମସେନ ପାତ୍ରଙ୍କୁ କଳା ସମ୍ମାନ, ଗୋଲାପମଂଜରୀ କରଙ୍କୁ ସାହିତ୍ୟ ସମ୍ମାନ, ସତ୍ୟାନାଶଙ୍କୁ ବ୍ୟଙ୍ଗକବି ସମ୍ମାନ, ରାଇମୋହନ ପରିଡାଙ୍କୁ ଅଭିନେତା ସମ୍ମାନ ଓ ସେବା ପାଇଁ ପୁରୀର ସାହିଭାଇକୁ କୋଣାର୍କ ଓଡ଼ିଶା ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଅନୁଷ୍ଠାନର ସଭାପତି କପିଳେଶ୍ଵର ଖମାରୀଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡକ୍ଟର ଅଜୟ ସ୍ବାଇଁ, ସମ୍ମାନିତ ଅତିଥି ଭାବେ,ଗୀତିକବି ଶରତ ଦାଶ,କବି ହୁସେନ ରବି ଗାନ୍ଧୀ ଯୋଗଦେଇ ଓଡ଼ିଶା ସାହିତ୍ୟ-ସଂସ୍କୃତିର ବିକାଶରେ କୋଣାର୍କ ଓଡ଼ିଶା ପରିବାରର ଯୋଗଦାନକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଆୟୋଜିତ ବ୍ୟଙ୍ଗକବିତା ଆସରରେ ହାସ୍ୟକବି କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ରମାକାନ୍ତ ମହାପାତ୍ର, ଗିରୀଶ ରଞ୍ଜନ ଓ ମନମାଷ୍ଟ୍ରେ ଯୋଗଦେଇଥିବା ବେଳେ, କବି ସେଖ ଅବଦୁଲ ଖାଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତାଆସରକୁ ସୁନିତା ପଣ୍ଡା, ସୌଦାମିନୀ ବେହେରା, ସର୍ବାଣି ଦାସ, ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ।

ଅନୁଷ୍ଠାନର ଉଦଯାପନୀ ଉତ୍ସବରେ ପ୍ରଦୀପ କୁମାର ରଥ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମାଜସେବୀ ତଥା ସଙ୍ଗଠକ ମୁକୁନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ କୋଣାର୍କ ଓଡ଼ିଶା ପରିବାର ଭୁବନେଶ୍ୱର ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ବିଚିତ୍ର ମହାପାତ୍ର ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବହୁ ଲେଖକ ଓ ବୁଦ୍ଧିଜୀବି ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.