Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ: ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ପାଇଁ ବିପଣନର ବିବିଧ ସୁବିଧା

ପୁରୀ: ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ମହୋଦଧି ପର୍ଯ୍ୟନ୍ତ, ପୁରୀର ସବୁକିଛି ଅନନ୍ୟ । ଭକ୍ତ ଓ ଭଗବାନ, ପୁର ଓ ପଲ୍ଲବ ହୁଅନ୍ତି ଏଠି ଏକତ୍ର । ତେଣୁ ଏହାର ନାମ ଶ୍ରୀକ୍ଷେତ୍ର । ବିଶ୍ୱ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର । ମହୋଦଧିରେ ସ୍ନାନସାରି ମହାପ୍ରଭୁଙ୍କ ଦର୍ଶନ କରି ପବିତ୍ର ହୁଅନ୍ତି ଭକ୍ତ । ମହାପ୍ରସାଦ ସେବନ ପରେ ପ୍ରିୟଜନଙ୍କ ପାଇଁ ମନପସନ୍ଦର ସାମଗ୍ରୀ କିଣିବା ପାଇଁ ଆଗ୍ରହ କରନ୍ତି ଭକ୍ତ । ପୂର୍ବରୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ମନପାଇଲା ଭଳି ପୁରୀର ସ୍ଥାନୀୟ ସାମଗ୍ରୀ ଉପଲବ୍ଧ ଥିଲା । କିନ୍ତୁ ସେମାନଙ୍କ ମନକୁ ଛୁଇଁଲା ଭଳି ସ୍ୱଚ୍ଛ, ନିର୍ମଳ ଓ ସୁନ୍ଦର ପରିବେଶସଂପନ୍ନ ମାର୍କେଟଟିଏ ନଥିଲା ପୁରୀରେ । ଏହାକୁ ହୃଦୟଙ୍ଗମ କରି ‘ଅବଢ଼ା’ ଯୋଜନା ଅଧିନରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନର୍ମାଣ କରିଛନ୍ତି । ଏଥିରେ ପାଖାପାଖି ଏକ ହଜାର ଦୋକାନ ରହିବ । ପାର୍କିଂ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଶୌଚାଳୟ, ସିସିଟିଭି ମନ୍ଦୋବସ୍ତ ଓ ଲିଫ୍ଟ ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ସବୁଜିମା ସୃଷ୍ଟି ଫଳରେ ଏଗୁଡ଼ିକର ସୌନ୍ଦର୍ଯ୍ୟକରଣକୁ ସୁନିଶ୍ଚିତ କରାଯାଇଛି ।

ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ

ଶ୍ରୀକ୍ଷେତ୍ରର ମଧ୍ୟସ୍ଥଳରେ ଥିବା ଏହି ପୁରାତନ ମାର୍କେଟ ଅବ୍ୟବସ୍ଥିତ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବିକି୍ରବ ଟା ହେ ଉଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବିଶେଷ ଆକୃଷ୍ଟ କରିବାରେ ଅସମର୍ଥ ଥିଲ । ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ପୁରୁଣା ମାର୍କେଟ ଓ କୋଠାଗୁଡ଼ିକୁ ଭାଙ୍ଗି ଏହି ସ୍ଥାନରେ ୪୮.୮୨ କୋଟି ଟଙ୍କା ବ୍ୟୟରେ ସମସ୍ତ ସୁବିଧାସଂପନ୍ନ ଏକ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି । ଏହି ପାଞ୍ଚ ତାଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସରେ ୫୦୦ଟି ଦୋକାନ ଘର ରହିଛି । ପୂର୍ବରୁ ଏହି ସ୍ଥାନରେ ଦୋକାନ କରିଥିବା ବ୍ୟବସାୟୀଙ୍କ ସମେତ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବ୍ୟବସାୟ କରୁଥିବା ବିସ୍ଥାପିତ ଦୋକାନୀଙ୍କୁ ମଧ୍ୟ ଏଠି ଥଇଥାନ କରାଯାଇଛି । ଏଠାରେ ମଧ୍ୟ ୫୦ରୁ ଊଦ୍ଧ୍ୱର୍ ଚାରିଚକିଆ ଯାନ ଏବଂ ଶହେରୁ ଊଦ୍ଧ୍ୱର୍ ଦୁଇଚକିଆ ଯାନ ଏକକାଳୀନ ରହିଲା ଭଳି ପାର୍କିଂ ବ୍ୟବସ୍ଥା କରାଯାଇଛି । ଏ ସମସ୍ତ ସୁବିଧା ଯୋଗାଇ ଦେଇଥିବା ହେତୁ ବ୍ୟବସାୟୀମାନେ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

ମହୋଦଧି ମାର୍କେଟ କମ୍ପ୍ଲେକ୍ସ

ମୋଚିସାହିରେ ମାତ୍ର ୬୦ଟି ଦୋକାନକୁ ନେଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ମହୋଦଧି ମାର୍କେଟ ଚାଲିଥିଲା । ତେଣୁ ଏହା ମଧ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଅକ୍ଷମ ଥିଲା । ରାଜ୍ୟ ସରକାର ଏହାର କାୟା ପରିବର୍ତ୍ତନ କରି ପ୍ରାୟ ୪୨ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି । ଏଠାରେ ୧୨ ବର୍ଗ ମିଟର ଆୟତନବିଶିଷ୍ଟ ୧୫୧ଟି ସ୍ୱତନ୍ତ୍ର ଦୋକାନଘର ରହିଛି । ୧୦୦ରୁ ଉଦ୍ଧ୍ୱର୍ ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । କେବଳ ପାର୍କିଂ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସବୁଠି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ନାମୀଦାମୀ ମଲ୍‌କୁ ଗ୍ରାହକମାନେ ଯେପରି ଆଗ୍ରହୀ ହୋଇ ଯାଉଛନ୍ତି, ଅନୁରୂପ ଭାବରେ ମଧ୍ୟ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୁରୀର ପ୍ରଥମ ଭେଣ୍ଡିଂ ଜୋନ

ବଡ଼ଦାଣ୍ଡରେ ଅନେକ ବର୍ଷଧରି ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀମାନଙ୍କ ପାଇଁ ରାଜ୍ୟ ସରକାର ପୁରୀରେ ପ୍ରଥମ ଭେଣ୍ଡିଂ ଜୋନ ନିର୍ମାଣ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ ନିର୍ମିତ ଏହି ଭେଣ୍ଡିଂ ଜୋନ୍‌ରେ ଏକ ହଜାରରୁ ଊଦ୍ଧ୍ୱର୍ ଉଠା ଦୋକାନୀଙ୍କୁ ଥଇଥାନ କରାଯାଇଛି । ପୂର୍ବରୁ ଉଠାଦୋକାନୀମାନେ ବଡ଼ଦାଣ୍ଡରେ ଇତସ୍ତତଃ ବସୁଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜୁ ଥିଲା । ଦୋକାନଗୁଡ଼ିକର ସମୁଦାୟ ପରିବେଶ ଅସ୍ୱାସ୍ଥ୍ୟକର ଓ ଅସୁନ୍ଦର ଥିଲା । ଏବେ ଏ ସମସ୍ୟା ଦୂର ହେବ । ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପକୃତ ହେବେ । ଭେଣ୍ଡିଂଜୋନ୍‌ରେ ଅନ୍ତର୍ଭୁକ୍ତ ଦୋକାନୀମାନେ ମଧ୍ୟ ଖୁସି ହେବେ । ସମଗ୍ର ବଜାର ପରିବେଶରେ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରହିବ ।

ଜେଲ୍‌ ରୋଡ଼ ମାର୍କେଟ କମ୍ପ୍ଲେକ୍ସ

ପୂର୍ବରୁ ପୁରୀ ସହରର ଏକ ପ୍ରମୁଖ ସମସ୍ୟା ଥିଲା ପାର୍କିଂ ବ୍ୟବସ୍ଥା । ଭକ୍ତଙ୍କୁ ଯାନ ରଖିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଜେଲ୍‌ ରୋଡ଼୍‌ରେ ଏକ ବହୁତଳ ପାର୍କିଂ କୋଠା ନିର୍ମାଣ କରିଛନ୍ତି । ୩.୫ ଏକର ଜମିରେ ନିର୍ମିତ ଏହି ଚାରି ତାଲା ବିଶିଷ୍ଟ କୋଠାରେ ପାଖାପାଖି ୫୦୦ଟି ଚାରିଚକିଆ ଯାନ ଏବଂ ୫୦୦ଟି ଦୁଇଚକିଆ ଯାନ ରହିପାରିବ । ପାର୍କିଂ ସହିତ ଏଠାରେ ଅତ୍ୟାଧୁନିକ ସୁବିଧାସଂପନ୍ନ ୩୫୦ଟି ଦୋକାନ ନିର୍ମାଣ କରାଯାଇଛି । ଘରକୁ ପ୍ରତ୍ୟାବର୍ତ୍ତନ ସମୟରେ ଭକ୍ତମାନେ ମନପସନ୍ଦର ସାମଗ୍ରୀ ଏଠାରୁ କ୍ରୟ କରିପାରିବେ । ବିସ୍ଥାପିତ ଦୋକାନୀମାନଙ୍କୁ ଗୃହ ଆବଣ୍ଟନ ବାବଦରେ ସବିଶେଷ ତଥ୍ୟ ସମ୍ମଳିତ ଏସ୍‌ଓପି ପ୍ରସ୍ତୁତ କରାଯାଇଛି । ଏହି ଏସ୍‌ଓପିରେ ପୂର୍ବରୁ କେଉଁ ବ୍ୟକ୍ତିଙ୍କର କେତେ ଜାଗାଥିଲା, କେତୋଟି ଦୋକାନ ଥିଲା, ଘରଗୁଡ଼ିକ କେଉଁ ଅବସ୍ଥାରେ ଥିଲା, କେଉଁ ତାରିଖରେ ଭଙ୍ଗା ଯାଇଥିଲା ଇତ୍ୟାଦି ପ୍ରସଙ୍ଗରେ ତଥ୍ୟ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ଏସ୍‌ଓପି ଅନୁଯାୟୀ ଦୋକାନଘରଗୁଡ଼ିକ ସ୍ୱଚ୍ଛତାର ସହିତ ଆବଣ୍ଟନ କରାଯିବ ।

Leave A Reply

Your email address will not be published.