Latest Odisha News

ଆମେରିକୀୟ ଦୂତାବାସ ନାମଫଳକରେ ବାଇଡେନ୍ ବିରୋଧୀ ପୋଷ୍ଟର

କରୋନା ମହାମାରୀ କାଳରେ ଧ୍ୱସ୍ତ ଅର୍ଥନୀତିକୁ ସଜାଡ଼ିବାରେ ବିଫଳ ବାଇଡେନ ପ୍ରଶାସନ

ନୂଆଦିଲ୍ଲୀ: ଆମେରିକୀୟ ଦୂତାବାସ ବାହାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଡ଼ା ସମାଲୋଚନା । ନୂଆଦିଲ୍ଲୀ ସ୍ଥିତ ଦୂତାବାସ ବାହାରେ ଥିବା ନାମଫଳକରେ ଲେଖାଯାଇଛି ବାଇଡେନ ଯୁଦ୍ଧ ପ୍ରୋତ୍ସାହନକାରୀ । ପାଖାପାଖି ଗୋଟେ ଡଜନ ଦେଶକୁ ଜବରଦସ୍ତି ହଇରାଣ କରିଛି ଆମେରିକା । ଚରମ ଦକ୍ଷିଣପନ୍ଥୀ ସଂଗଠନ ହିନ୍ଦୁ ସେନା ଏହା ଲେଖିଥିବା କଥା ଦାବି କରିଛି ।

ନାମଫଳକରେ ଲାଗିଥିବା ପୋଷ୍ଟରର ଲେଖାଟି ହେଉଛି; ‘ବିଶ୍ୱାସଯୋଗ୍ୟ ନୁହେଁ ବାଇଡେନ ପ୍ରଶାସନ । ଭାରତକୁ ହଇରାଣ କରିବା ବନ୍ଦ କର । ଆମେ ତମର ସାହାଯ୍ୟ ଚାହୁଁନୁ ବରଂ ଚାଇନା ବିରୋଧରେ ଭାରତକୁ ଠିଆ କରୁଛି ଆମେରିକା । ଆମେ ଆମ ଭାରତୀୟ ସେନାକୁ ନେଇ ବେଶ୍ ଗର୍ବିତ ।’ ଶୁକ୍ରବାର ଚାଣକ୍ୟପୁରୀ ସ୍ଥିତ ଦୂତାବାସ ନାମଫଳକୁ କଦର୍ଯ୍ୟ କରି ଏଭଳି ଲେଖାଯାଇଛି । ଏନେଇ ଦିଲ୍ଲୀ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି ଏହା ତାଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଛି । ବାଇଡେନ ପ୍ରଶାସନ ଭାରତ ସହ ବଦମାସି କରୁଛି । ଏହାକୁ ବିରୋଧ କରି ହିନ୍ଦୁ ସେନା କର୍ମକର୍ତ୍ତା ଏଭଳି ପୋଷ୍ଟର ନାମ ଫଳକରେ ଲଗାଇଛନ୍ତି ।

ବିଷ୍ଣୁ କହିଛନ୍ତି ଯେ, “ବାଇଡେନ ପ୍ରଶାସନ କରୋନା ମହାମାରୀ କାଳରେ ଧ୍ୱସ୍ତ ଅର୍ଥନୀତିକୁ ସଜାଡ଼ିବାରେ ବିଫଳ ହୋଇଛି । ୟୁକ୍ରେନ-ଋଷିଆ ବିବାଦକୁ ତୀବ୍ର କରିବାରେ ଆମେରିକାର ବଡ଼ ଭୂମିକା । ଯେଉଁ ଦେଶ ୟୁଗୋସ୍ଲୋଭିଆ ଓ ଇରାକ ଭଳି ଦେଶରେ ଜବରଦସ୍ତି ଅନୁପ୍ରବେଶ କରିଛି । ସେମାନେ ଭାରତକୁ ଶିକ୍ଷା ଦେବା କଥା କହିବା ଉଚିତ୍ ନୁହେଁ । ପାଖାପାଖି ଏକ ଡଜନ ଦେଶକୁ ଆମେରିକା ହଇରାଣ କରିଛି।  କାରଣ ସେମାନେ ତା ଆଗରେ ନଇଁବାକୁ ମନାକରିଛନ୍ତି । ”

ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସକୁ ଏଭଳି ପୋଷ୍ଟର ବିଷୟରେ ଖବର ମିଳିଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ପୋଷ୍ଟରକୁ ହଟାଇଥିଲା ବୋଲି ଡିସିପି ଅମୃତା ଗୁଗୁଲୋତ ସୂଚନା ଦେଇଛନ୍ତି । ଦିଲ୍ଲୀ ପ୍ରିଭେନ୍ସନ ଅଫ୍ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ।

Leave A Reply

Your email address will not be published.