Latest Odisha News

BREAKING NEWS

ଆଦର୍ଶ ବିଦ୍ୟାଳୟ ଢ଼ାଞ୍ଚାରେ ହେବ ଶିକ୍ଷାସହାୟକ ନିଯୁକ୍ତି !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଏହାକୁ ରୋକିବା ଲାଗି ତପ୍ତରତା ଦେଖାଇଛି ଗଣଶିକ୍ଷା ବିଭାଗ।

ନକଲି ଶିକ୍ଷକଙ୍କ ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ହ୍ରାସ ଘଟାଉଛି। ନିଯୁକ୍ତି ସମୟରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଥିଲେ ମଧ୍ୟ ଜାଲ ସାର୍ଟିଫିକେଟ୍ ମାଧ୍ୟମରେ କିପରି ନିଯୁକ୍ତି ଦିଆଯାଉଛି,  ତାହା ଗଣଶିକ୍ଷା ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏଥିପାଇଁ ଏଣିକି ଶିକ୍ଷକଙ୍କ ନିଯୁକ୍ତି ଆଉ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯିବ ନାହିଁ ବୋଲି ବିଭାଗ ସୂଚନା ଦେଇଛି । ପୂର୍ବରୁ ଏହି ବିଭାଗ ଅଧିନରେ ପରିଚାଳିତ ଏସ୍ସିଇଆର୍ଟି ତଥା ମୁମ୍ବାଇର ଏକ ଘରୋଇ ସଂସ୍ଥାକୁ ନିଯୁକ୍ତି ଦାୟିତ୍ୱ ଦିଆଯାଉଥିଲା ।

ମାତ୍ର ନିଯୁକ୍ତି ସମୟରେ ଠିକ୍ ଭାବେ ଯାଞ୍ଚ କରାଯାଉନଥିବା ବେଳେ ବାହାର ରାଜ୍ୟର ସାର୍ଟିଫିକେଟ ଗୁଡ଼ିକର ତଦନ୍ତ ମଧ୍ୟ  କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ର୍ରାୟ ୫୩ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିଥିବା ବେଳେ ରାଜ୍ୟରେ ଆହୁରି ଅଧିକ ନକଲି ଶିକ୍ଷକ ରହିଥାଇପାରନ୍ତି।

ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ଶିକ୍ଷା ସହାୟକ ତଥା ଶିକ୍ଷକ ନିଯୁକ୍ତିର ଦାୟିତ୍ୱ ବାହାର ରାଜ୍ୟରେ ଥିବା ଏକ ପ୍ରତିଷ୍ଠିତ ସଂସ୍ଥାକୁ ପ୍ରଦାନ କରାଯିବ । ବିଶେଷକରି ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଲାଗି ଦିଲ୍ଲୀର ଏକ ସଂସ୍ଥାକୁ ଦାୟିତ୍ଵ ପ୍ରଦାନ କରାଯାଇଛି । ପରୀକ୍ଷା ପରିଚାଳନା, ସାର୍ଟିଫିକେଟ୍ ଯାଞ୍ଚ ସାଙ୍ଗକୁ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଚୂଡାନ୍ତ ମେଧା ତାଲିକା ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଥାଏ । ଫଳରେ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରୁ ନକଲି ସାର୍ଟିଫିକେଟ୍ ମାଧ୍ୟମରେ ନିଯୁକ୍ତି ପାଇବା କଷ୍ଟକର ହୋଇଥାଏ । ତେବେ ସେହି ଧାରାକୁ ଖୁବଶୀଘ୍ର ଲାଗୁ କରାଯିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ରାଜ୍ୟରେ ୬୭ହଜାର ୮୯ଟି ସ୍କୁଲ ରହିଛି । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୯୭ହଜାର ୩୨୬ ରହିଛି । ଆଗକୁ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏପରିକି ଲିଖିତ ପରୀକ୍ଷା ଏବଂ ମୌଖିକ ପରୀକ୍ଷା ସହ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ଦାୟିତ୍ୱ ବାହାର ଅନୁଷ୍ଠାନକୁ ଦିଆଯିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି ।

ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ମୁଲ୍ୟାଙ୍କନ ମଧ୍ୟ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବ । ପରେ ସବୁ ଉତ୍ତରଖାତାକୁ ସଂମ୍ପୃକ୍ତ ସଂସ୍ଥା ବିଭାଗକୁ ପ୍ରଦାନ କରିବ । ସେହିପରି ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାୟରୁ ପାସ୍ କରିଥିବା ଆବେଦନକାରୀଙ୍କ ଲାଗି ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯିବା ସହ ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସାର୍ଟିଫିକେଟ୍ ପାଇଥିବା ପିଲାଙ୍କର ଅଲଗା ତାଲିକା ମଧ୍ୟ ପ୍ରସ୍ତୁତ କରାଯିବ ।

ଓଡ଼ିଶାରେ ଯେଉଁ ସବୁ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ପିଲାଙ୍କ ପାସ୍ ସାର୍ଟିଫିକେଟ୍ ମିଳିଥିବ ସେହି ସବୁ ଅନୁଷ୍ଠାନକୁ ଗଣଶିକ୍ଷା ବିଭାଗ ସାର୍ଟିଫିକେଟ୍ ଯାଞ୍ଚ ଲାଗି ପଠାଇବ । ମାତ୍ର ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନରୁ ସାର୍ଟିଫିକେଟ୍ ହାସଲ କରିଥିବା ପିଲାଙ୍କର ସାର୍ଟିଫିକେଟ୍ ଯାଞ୍ଚ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କରାଯିବ ।

ଗଣଶିକ୍ଷା ବିଭାଗର ସୂଚନାନୁଯାୟୀ, ଏଣିକି ଆବେଦନ ସମୟରୁ ସମସ୍ତ ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରାଯିବ । ସ୍ୱଚ୍ଛତା ଲାଗି ସବୁସ୍ତରରେ ଅଧିକାରୀ ଏବଂ ଅନୁଧ୍ୟାନ କମିଟିର ସଦସ୍ୟ ଆବେଦନ ଫର୍ମର ଯାଞ୍ଚ କରିବେ ।

ଏପରିକି ଆବେଦନ ସମୟରେ ଆବେଦନକାରୀମାନେ ମଧ୍ୟ ଏକ ସତ୍ୟପାଠ ଦାଖଲ କରିବେ । ଯାହାଫଳରେ କିଛି ମିଥ୍ୟା ତଥ୍ୟ ସମ୍ପର୍କରେ ଜଣାପଡିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବର୍ତ୍ତମାନ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩ହଜାର ୯୮୫ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ୨ୟରେ ମୟୁରଭଞ୍ଜ ଜିଲ୍ଲାରେ ୧୩ହଜାର ୮୭୬ଜଣ, ୩ୟରେ ବାଲେଶ୍ୱର ଜିଲ୍ଲାରେ ୧୦ହଜାର ୩୯୫ଜଣ ଶିକ୍ଷକ ପାଠପଢ଼ାଉଥିବା ନେଇ ସୁତ୍ରରୁ ପ୍ରକାଶ ।

ଏଣିକି ନିଯୁକ୍ତି ବ୍ୟବସ୍ଥାରେ ହେବାକୁ ଥିବା ପରିବର୍ତ୍ତନ ଯୋଗୁଁ ଆଉ ଆଗକୁ ଆଉ ନକଲି ଶିକ୍ଷକ ସମସ୍ୟା ରହିବ ନାହିଁ ବୋଲି ଶିକ୍ଷାବିତ ମାନେ ମତ ଦେଇଛନ୍ତି।

 

Leave A Reply

Your email address will not be published.