Latest Odisha News

BREAKING NEWS

ସପ୍ତାହେ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା, ଖୋଲା ଆକାଶ ତଠେ ପାଠ ପଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ

ନୂଆପଡା: ସପ୍ତାହେ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା l ଖୋଲା ଆକାଶ ତଳେ ଭବିଷ୍ୟତ ଗଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଏ ଦିଗରେ ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁର ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁର ତଳପଡ଼ାରେ ଥିବା ଦୁଇ ନମ୍ବର ଅଙ୍ଗନୱାଡ଼ି  ଏବଂ ଚାରି ନମ୍ବର କୁ ଗତ ୨୯ ତାରିଖ ଦିନ ଗାଁର ନବଘନ ବଘେଲ ନାମକ ଯୁବକ ତାଲା ମାରି ବନ୍ଦ କରିଦେଇଛନ୍ତି। ଏହି ଦୁଇ କେନ୍ଦ୍ର ଗୋଟିଏ ଜାଗାରେ ଥିବା ବେଳେ ଉକ୍ତ ବ୍ୟକ୍ତି ଏହି ଜାଗା ତାଙ୍କ ପରିବାର ନାମରେ ଥିବା କହି ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଅଙ୍ଗନୱାଡି କେନ୍ଦ୍ରର ରାସନ୍ ସାମଗ୍ରୀ ଓ ବାସନ କୁସନ ସହ କୁନିକୁନି ଛାତ୍ରଛାତ୍ରୀ ଙ୍କ ଖେଳ ସାମଗ୍ରୀ ମଧ୍ୟ କେନ୍ଦ୍ର ଭିତରେ ରହି ଯାଇଥିବା ବେଳେ ରୋଷେଇ କାର୍ଯ୍ୟ  ମଧ୍ୟ ବାଧାପ୍ରାପ୍ତ ହେଉଛି । ଏପଟେ ଅଙ୍ଗନୱାଡ଼ି କର୍ମୀ ମାନେ ବାହାରେ ରୋଷେଇ ହେଉଥିବା କହୁଥିବା ବେଳେ ସେପଟେ ରୋଷେଇ ହେଉନଥିବା କହିଛନ୍ତି ଅଭିଭାବକ ମାନେ । ଦୁଇ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବାରୁ ପିଲା ମାନେ ବାହାରେ ପଢୁଛନ୍ତି । ଯେଉଁ ଜାଗାରେ ସେମାନଙ୍କୁ ପଢ଼ାଇବା ସହ ଖେଳା ଯାଉଛି ସେଇ ସ୍ଥାନରେ ଅନାବନା ଗଛ ଲତା ଥିବାରୁ ବିଷାକ୍ତ ସରୀସୃପର ଭୟ ରହୁଛି। ତେଣୁ ଭୟରେ ଅନେକ ଅଭିଭାବକ ନିଜ ନିଜ ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ଛାଡୁ ନାହାଁନ୍ତି।

ଖଡ଼ିଆଳ ବ୍ଲକ ବରଗାଁ ଠାରେ ଦୁଇ ନମ୍ବର ଅଙ୍ଗନୱାଡି ଆଜିକୁ ୨୩ ବର୍ଷ ତଳେ ଖୋଲିଥିବା ବେଳେ ବର୍ତ୍ତମାନ ଏହି କେନ୍ଦ୍ରରେ ୧୮ଜଣ ଶିଶୁ ଅଛନ୍ତି । ସେହିପରି ଚାରି ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର ଚାରି ଆଜିକୁ ୧୦ ବର୍ଷ ତଳେ ଖୋଲାଯାଇଥିବା ବେଳେ ବର୍ତ୍ତମାନ ଏହି କେନ୍ଦ୍ରରେ ୨୦ଜଣ ଶିଶୁ ଅଛନ୍ତି । ତାଲା ବନ୍ଦ କରି ଦେବାରୁ ବର୍ତ୍ତମାନ ଶିଶୁ ସମନ୍ୱୟ ବିଭାଗ ର ଅନେକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଏହି କୋମାଳମତି ଶିଶୁ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଦୁଇ ଅଙ୍ଗନୱାଡ଼ି କର୍ମୀ । ଏନେଇ ପଚାରିବାରୁ ଉକ୍ତ ବ୍ୟକ୍ତିଙ୍କ ନାମରେ ସେହି ଜାଗା ନାହିଁ, ସେ ଅଯଥାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଓ ଏବିଷୟରେ ଖଡ଼ିଆଳ ଥାନାରେ ଅଭିଯୋଗ କରାଯାଇଛି ଏବଂ ଖୁବଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ।

Leave A Reply

Your email address will not be published.