Badrinath Temple:ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ଚୋରି ମାମଲାରେ ଦ୍ୱିତୀୟ ଗିରଫଦାରୀ;ମନ୍ଦିରର ପୂର୍ବତନ ଅଧିକାରୀ ଗିରଫ
ଡେରାଡୁନ:ବଦ୍ରିନାଥ ମନ୍ଦିରରେ ଦାନ ଓ ଭେଟି ସାମଗ୍ରୀ ଚୋରି ଘଟଣାରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ମନ୍ଦିରର ପୂର୍ବତନ ଅଧିକାରୀ ରାଜେନ୍ଦ୍ର ଚୌହାନଙ୍କୁ ଗିରଫ କରିଛି। ଚୌହାନ ନିକଟରେ ଅର୍ଥାତ୍ ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ପୋଲିସ ଏହି ମାମଲାରେ ବଦ୍ରି-କେଦାର ମନ୍ଦିର କମିଟିର କର୍ମଚାରୀ ପ୍ରମୋଦ ନୌଟିୟାଲଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ,ରାଜେନ୍ଦ୍ର ଚୌହାନଙ୍କୁ ପଚରାଉଚରା ପାଇଁ ଯୋଶୀମଠରୁ ବଦ୍ରିନାଥ ଅଣାଯାଇଥିଲା ଏବଂ ଦୀର୍ଘ ସମୟର ପଚରାଉଚରା ପରେ SIT (ପୋଲିସ) ତାଙ୍କୁ ହେପାଜତକୁ ନେଇଥିଲା। ପୋଲିସ ଶନିବାର ଦିନ ତାଙ୍କୁ କୋର୍ଟରେ ହାଜର କରାଇବ। ରିପୋର୍ଟ ମୁତାବକ, ତଦନ୍ତ ସମୟରେ ସାମ୍ନାକୁ ଆସିଥିବା ତଥ୍ୟ ଆଧାରରେ SIT ଚୌହାନଙ୍କୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ନୌଟିୟାଲଙ୍କ ଭଳି ସେ ମଧ୍ୟ ଦାନ ଅର୍ଥର କଥିତ ହରିଲୁଟ୍ ବା ଅପବ୍ୟବହାର ଘଟଣାରେ ସାମିଲ ଥିଲେ।
ତଦନ୍ତ ସମୟରେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଅନ୍ୟ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପସ୍ଥିତି ମଧ୍ୟ ଦେଖାଯାଉଛି। ଏସଆଇଟି ପରବର୍ତ୍ତୀ ସମୟରେ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖନୀୟ ଯେ,ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ଗଣନାକୁ ନେଇ ସୋସିଆଲ୍ ମିଡିଆରେ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହି ସମଗ୍ର ଘଟଣା ଜଣାପଡ଼ିଥିଲା। ଏହା ପରେ,’ଭୈରବ ସେନା’ ନାମକ ଏକ ସଂଗଠନ ଏକ ଅଭିଯୋଗ ଦାଖଲ କରି ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଏଫ୍ଆଇଆର୍ (FIR) ରୁଜୁ କରିବାକୁ ଦାବି କରିଥିଲା। ଏହି ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଉତ୍ତରାଖଣ୍ଡ ସରକାର ଗତ ସପ୍ତାହରେ ତିନି ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଥିଲେ।
କମିଟିର ପ୍ରାଥମିକ ରିପୋର୍ଟ ଆଧାରରେ, BKTC ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସହାୟକ (Personal Assistant) ଭାବେ କାର୍ଯ୍ୟରତ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ନୌଟିୟାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ଜୁଲାଇ ୧୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା।