Latest Odisha News

BREAKING NEWS

ଓଡ଼ିଶାର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ

ଭୁବନେଶ୍ୱର: ରାଜ୍ୟର ପଶୁ ସମ୍ପଦ ବିଭାଗ ଦ୍ୱାରା ବାର୍ଡ ଫ୍ଲୁ ନ ବ୍ୟାପିବା ଲାଗି ଆଶୁ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଏହା ଯଦିଓ ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ରାଜ୍ୟର କେତେକ ସ୍ଥାନରେ ପାରା ଓ କାଉ ମୃତ୍ୟୁ ଘଟଣା ନଜରକୁ ଆସିଛି ।

ଇତିମଧ୍ୟରେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳରେ ର‌୍ୟାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଦ୍ୱାରା କୁକୁଡ଼ା ମରା ଅଭିଯାନ ଜାରି ରହି ଏହା ୫ମ ଦିନରେ ପହଞ୍ଚିଛି ।

ଏହି କୁକୁଡ଼ା ମରା ଅଭିଯାନ ୫ଟି ର‌୍ୟାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଟିମ୍ ଏବଂ ୩ଟି ସର୍ଭେ ଟିମ୍ ଦ୍ୱାରା ଡ଼ିସେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ରେର୍ଡ ଜୋନ ଚିହ୍ନିତ ସ୍ଥାନ ଗୁଡ଼ିକରେ ଏହା ସୋମବାର ଦିନ ସମାପ୍ତ ହୋଇଛି । ତେବେ ୟେଲୋ ଜୋନ ଚିହ୍ନିତ ପ୍ରଭାବିତ ସ୍ଥାନ (ରେଡ୍ ଜୋନର ୧-୧୦ କିମି ପରିଧି) ଗୁଡ଼ିକରେ କୁକୁଡ଼ା ମରା ଅଭିଜାନ ମଙ୍ଗଳବାର ଶେଷ ହେବାର ସ୍ଥିର ହୋଇଛି ।

ପୁରୀ ଜିଲ୍ଲାର ଏଡ଼ିଭିଓ ନୟାନିଧି ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, କେବଳ ସୋମବାର ଦିନ ୪୬୦୫ଟି କୁକୁଡ଼ା ମରାଯିବା ସହିତ ୪୧୦ଟି ଅଣ୍ଡା ନଷ୍ଟ କରିଦିଆଯାଇଛି ।

ସେହିପରି ବ୍ରହ୍ମଗିରି ବ୍ଲକରେ ୧୦ଟି ମୃତ କୁକୁଡ଼ା ଭିନ୍ନ ଭିନ୍ନ ଗ୍ରାମରୁ ଉଦ୍ଧାର କରାଯାଇ ସର୍ଭେ ଟିମ ଦ୍ୱାରା ପୋଡ଼ି ଦିଆଯାଇଛି ବୋଲି ଏଡ଼ିଭିଓ କହିଛନ୍ତି ।

ବ୍ରହ୍ମଗିରି ବ୍ଲକରୁ ୭୦ଟି ପକ୍ଷୀ ନମୁନା ପରିକ୍ଷା ନିମନ୍ତେ ଭୋପାଳସ୍ଥ ଜାତୀୟ ପଶୁରୋଗ ନିରାପତ୍ତା ପ୍ରତିଷ୍ଠାନକୁ ପଠାଇ ଦିଆଯାଇଛି । ତେବେ ଏହାର ରିପୋର୍ଟ ମିଳିବା ପରେ ସେହି ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପକ୍ଷୀ ମଡ଼କକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଏଡ଼ିଭିଓ କହିଛନ୍ତି, ଚିଲିକା ଅଞ୍ଚଳରେ ବାର୍ଡ ଫ୍ଲୁ ଯୋଗୁଁ କାଉ ମଡ଼କ ଦେଖାଯାଇଥିଲା ଏବଂ ସେଥିଲାଗି ଚିଲିକା ହ୍ରଦର ନଳବଣକୁ ଏବେ ପର୍ଯ୍ୟଟକଙ୍କୁ ପରିଦର୍ଶନ ଲାଗି ବାରଣ କରାଯାଇଛି ।

Leave A Reply

Your email address will not be published.