Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟରୁ ୮ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଏବେ କିଛିଦିନ ହେଲା ସୁନା ଚାଲାଣ ବୃଦ୍ଧି ପାଇଛି ଏବଂ କଷ୍ଟମ ବିଭାଗ ମଧ୍ୟ ବେଆଇନ ସୁନା ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଆଜି ଭୁବନେଶ୍ୱର ବିମାନବନ୍ଦରରୁ କଷ୍ଟମ ବିଭାଗ ପୂର୍ବରୁ ଖବର ପାଇ ଚଢଉ କରିଥିଲା । ଜଣେ ପଞ୍ଜାବୀ ଯୁବକଙ୍କ ଠାରୁ ଚୋରୀ ସୁନା ଜବତ କରିବାରେ ସକ୍ଷମ ହୋଇଛି କଷ୍ଟମ ବିଭାଗ । ଏହି ସୁନାଚାଲାଣ ସହିତ ଅନ୍ୟ କେଉଁମାନଙ୍କର ହାତ ରହିଛି ସନ୍ଦେହ କରି ପୋଲିସ ଗିରଫ ବ୍ୟକ୍ତିକୁ ଅଧିକ ପଚରାଉଚରା ଜାରି ରଖିଛି ।

ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ୨୪୯ ଗ୍ରାମର ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ ସୂତ୍ରରୁ ପ୍ରକାଶ । କଷ୍ଟମ ବିଭାଗର ସୂଚନାନୁଯାୟୀ, ବ୍ୟାଙ୍କକକ୍ ରୁ ସୁନା ଆଣି ଭୁବନେଶ୍ୱର ବିମାନବନ୍ଦର ଦେଇ ଚାଲାଣ କରିବାର ଖବର ପାଇଥିଲେ କଷ୍ଟମ ବିଭାଗ । ପୂର୍ବ ପ୍ରସ୍ତୁତି ଅନୁସାରେ କଷ୍ଟମ ବିଭାଗ ଜାଞ୍ଚ କରିବା ପରେ ଯୁବକଙ୍କ ନିକଟରୁ ସୁନା ଜବତ ହୋଇପାରିଥିଲା ।

ଏଠାରେ ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଜଣେ କେରଳୀ ବ୍ୟକ୍ତି ସୁନା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ । ଅଭିଯୁକ୍ତ କେରଳୀ ବ୍ୟକ୍ତିଜଣକ ବେଆଇନ ଭାବେ ୩୫୫.୧୨୦ ଗ୍ରାମ ସୁନା ତାଙ୍କ ମଳଦ୍ୱାରରେ ଲୁଚାଇ ରଖିଥିଲେ । କଷ୍ଟମ ବିଭାଗ ଏହିସବୁ ସୁନା ଜବତ କରିବାରେ ସକ୍ଷମ ହୋଇଥିଲା ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସିଧାସଳଖ ବ୍ୟାଙ୍କକକ୍ ବିମାନ ଚଳାଚଳ କରୁଥିବା ବେଳେ ଅପରାଧିମାନେ ବେଧଡ଼କ ଭାବେ ସୁନା ଚାଲାଣ କରିବାକୁ ସକ୍ଷମ ହେଉଛନ୍ତି । ତେବେ କଷ୍ଟମ ବିଭାଗ ପକ୍ଷରୁ ଚଢଉ କରାଯାଇ ଅନେକ ସୁନା ଚାଲାଣକାରୀଙ୍କୁ ଗିରଫ କରାଗଲାଣି । କିଛିଦିନ ଧରି ସୁନା ଚାଲାଣ ଏହି ବିମାନବନ୍ଦର ଦେଇ ବୃଦ୍ଧି ପାଇଥିବା ଯୋଗୁଁ କଷ୍ଟମ ତଥା ବିମାନ ଚଳାଚଳ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Leave A Reply

Your email address will not be published.