Latest Odisha News

BREAKING NEWS

୮୦ ବର୍ଷରେ ପଦାର୍ପଣ କଲା ସୋହେଲା ଦୂର୍ଗା ପୂଜା

ବରଗଡ: ପାର୍ବଣର ଆରମ୍ଭରେ ପୁଲକିତ ଧରଣୀ ରାଣୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁ ଠୁ ସହର ଚାରିଆଡେ ଉତ୍ସବର ମାହୋଲ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ସୋହେଲାରେ ନବରାତ୍ରୀରୁ ଆରମ୍ଭ ହୋଇଛି ଦୁର୍ଗା ପୂଜା । ଦେବୀ ମା’ଙ୍କ ପୂଜା ସହ ରାମଳୀଲା ମହୋତ୍ସବ ଖୁବ ଜାକଜମକରେ ପାଳିତ ହେଉଛି । ସୁନ୍ଦର ସାଜସଜ୍ଜା ସହ ବିଭିନ୍ନ ପ୍ରକାରର ଆଲୋକ ମାଳାରେ ଝଲସୁଛି ଅଞ୍ଚଳ ।

ତେବେ ଚଳିତ ଦୁର୍ଗା ପୂଜାରେ ଶୋଭାପାଉଛି ୮୫ ଫୁଟର ମେଢ । ଯାହାକୁ ତିଆରି କରିଛନ୍ତି କଲିକତାର ପ୍ରାୟ ୩୦ରୁ ଅଧିକ କାରିଗର । ଏହି ପେଣ୍ଡାଲଟି ଖୁବ ସୁନ୍ଦର ଦେଖାଯାଉଥିବା ବେଳେ, ଜଗତଜନନୀଙ୍କର ମୂର୍ତ୍ତି ମଧ୍ୟ ବେଶ ମନୋଲୋଭା ହୋଇଥିବା କହିଛନ୍ତି ଶ୍ରଦ୍ଧାଳୁ । ଆଉ ଏହାକୁ ଦେଖିବା ପାଇଁ ଖାଲି ଅଞ୍ଚଳବାସୀ ନୁହେଁ, ବରଗଡ ଜିଲ୍ଲା ସହ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟ ଲୋକଙ୍କ ସୁଅ ଛୁଟୁଛି।

ଇଂରେଜ ଶାସନ ସମୟରେ ପ୍ରଥମେ ସୋହେଲା ଥାନାରେ ମା ଦୂର୍ଗା ପୂଜା ପାଉଥିବା ବେଳେ, ୧୯୪୪ ମସିହାରେ ପ୍ରଥମଥର ମା ପେଣ୍ଡାଲରେ ପୂଜା ପାଇଥିଲେ । ସେବେଠୁ ପ୍ରତି ବର୍ଷ ଦଶହରା ସମୟରେ ଅତି ଧୂମଧାମରେ ଦେବୀ ମାଙ୍କ ପୂଜାର୍ଚନା ଚାଲିଆସୁଛି । ତେବେ ୧୯୪୪ ମସିହାରୁ ଆରମ୍ଭ ଏହି ଦୂର୍ଗା ପୂଜା, ଚଳିତବର୍ଷ ୮୦ ବର୍ଷରେ ପଦାର୍ପଣ କରିଛି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ହିନ୍ଦୁ ଓ ମୁସଲିମ ସବୁ ବର୍ଗର ଲୋକ ଏହି ପୂଜାରେ ସାମିଲ ହୋଇ, ସମାଜକୁ ଭାଇଚାରାର ବାର୍ତ୍ତାଦେଇଥାନ୍ତି।
ସେ ସମୟରେ ୯୦ ଖଣ୍ଡ ମୌଜା କୁନେଇ ସୋହେଲା ଗଠିତ ହୋଇଥିବା ବେଳେ ସମସ୍ତ ୯୦ ଖଣ୍ଡ ମୌଜାର ଗ୍ରାମବାସୀଙ୍କୁ ପୂଜା କମିଟି ପକ୍ଷରୁ ସସମ୍ମାନେ ନିମନ୍ତ୍ରଣର ପ୍ରଥା ରହିଛି । ଆଜି ମଧ୍ୟ ସେହି ପରମ୍ପରା ବଜାୟ ରହିଛି ଯାହାକି ଏହି ଅଞ୍ଚଳର ଏକ ବିରାଟ ଭାଇଚାରା ଓ ଏକତାକୁ ବଜାୟ ରଖିଛି ।

ଦଶମୀରେ ରାବଣ ପୋଡି କାର୍ଯ୍ୟକ୍ରମ ରହିଥିବା ବେଳେ, ୨୫ ତାରିଖରେ ଭସାଣି କାର୍ଯ୍ୟକ୍ରମ ରହିଛି । ଚଳିତ ଭସାଣିରେ ପୁରୀର ପରଭା ନାଚ, ଛତିଶଗଡ ରାଜ୍ୟର କର୍ମା ନାଚ ଓ ବନାରସର ଅଘୋରୀ ନାଚ ବିଶେଷ ଆକର୍ଷଣ ରହିବ ବୋଲି କହିଛନ୍ତି ପୂଜା କମିଟି ସଭାପତି ପ୍ରକାଶ ଦେବତା । ତେବେ ସୋହେଲାର ଏହି ଦୁର୍ଗାପୂଜା ବେଶ ଆକର୍ଷଣୀୟ ହୋଇଥିବାବେଳେ, ଏବେଠୁ ଭକ୍ତଙ୍କ ଭିଡ ବଢିବାରେ ଲାଗିଛି । ଆଗକୁ ଅଷ୍ଟମୀ ଦିନ ଠାରୁ ରାବଣ ପୋଡି ପର୍ଯ୍ୟନ୍ତ ପ୍ରବଳ ଜନସମାଗମ ହେବ ବୋଲି ଆଶା ରଖିଛି ପୂଜା କମିଟି ।

Leave A Reply

Your email address will not be published.