Latest Odisha News

ରାଜସ୍ଥାନରେ ବସୁନ୍ଧରାଙ୍କୁ ଖୁସି କରାଇଲା ବିଜେପି, ପାଇଲଟଙ୍କ କଥା ବୁଝିଲା କଂଗ୍ରେସ !

ଭୁବନେଶ୍ୱର: ବିଭିନ୍ନ ଚର୍ଚ୍ଚା ଓ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବହୁ ପୂର୍ବରୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଲଗାତର ବୈଠକ ହେଉଥିଲେ ମଧ୍ୟ ଟିକେଟ ତାଲିକା ଉପରେ ଚୁଡାନ୍ତ ମୋହର ଲାଗି ପାରୁ ନ ଥିଲା।

କିନ୍ତୁ ଏବେ ଦଳ ପକ୍ଷରୁ ୩୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରଦାରପୁରାରୁ ନିର୍ବାଚନ ଲଢ଼ିବେ। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଟୋଙ୍କରୁ ପ୍ରାର୍ଥୀ କରାଯାଇଛି।

ଦଳର ଅନ୍ୟ କିଛି ପ୍ରମୁଖ ପ୍ରାର୍ଥୀଙ୍କୁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ଦେଇଛି। ପ୍ରଥମ ତାଲିକାରେ ବାଚସ୍ପତି ସି ପି ଯୋଶୀଙ୍କ ସମେତ ଦଳର ରାଜ୍ୟ ସଭାପତି ଓ ଅନ୍ୟ କିଛି ମନ୍ତ୍ରୀଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି।

ଏପରିକି ସଚିନ ପାଇଲଟ ଗୋଷ୍ଠୀର କିଛି ନେତାଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକେଟ ମିଳିଛି। କିନ୍ତୁ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ଆହୁରି ଅନେକ ସିଟରେ ପ୍ରାର୍ଥୀ ଘୋଷଣା ହେବାକୁ ବାକି ଅଛି। ଆସନ୍ତାକାଲି ଅର୍ଥାତ ରବିବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ଅନ୍ୟ ଆସନ ଗୁଡିକ ପାଇଁ ଆଲୋଚନା ହେବ।

ସେପଟେ ବହୁ ବାଦ ବିବାଦ ବିଦ୍ରୋହ ପରେ ବିଜେପି ମଧ୍ୟ ରାଜସ୍ଥାନ ପାଇଁ ନିଜର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତାଲିକାରେ ଦଳ ଅସନ୍ତୋଷକୁ ଥମାଇବା ପାଇଁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି।

ଦ୍ଵିତୀୟ ପର୍ଯ୍ୟାୟରେ ବିଜେପି ୮୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ସମର୍ଥକ ମାନଙ୍କୁ ଟିକେଟ ମିଳିଛି। ବସୁନ୍ଧରା ଝାଲରାପାଟନରୁ ନିର୍ବାଚନ ଲଢ଼ିବେ।

ଦ୍ଵିତୀୟ ତାଲିକାରେ ଦଳ ମହିଳାଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଗୁରୁତ୍ୱ ଦେଇଛି। ସେହିପରି ବିଜେପି କିଛି ବିଧାୟକଙ୍କ ଟିକେଟ ମଧ୍ୟ କାଟିଛି। ଦଳୀୟ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ନରପାଟ ସିଂ ରାଜଭିଙ୍କୁ ଦଳ ଚିତ୍ତୋରଗଡ଼ ଆସନରୁ ପ୍ରାର୍ଥୀ କରିଛି।

ପ୍ରଥମ ପର୍ଯ୍ୟାୟରେ ବସୁନ୍ଧରାଙ୍କ ସମର୍ଥକ ମାନଙ୍କୁ ଟିକେଟ ନ ଦେଇ ଅଣଦେଖା କରିଥିବା ବିଜେପି ଦ୍ଵିତୀୟ ପର୍ଯ୍ୟାୟରେ ଏହାକୁ ମ୍ୟାନେଜ କରିବାକୁ ଉଦ୍ୟମ କରିଛି। ତେଣୁ ଉଭୟ ଦଳର ଟିକେଟ ଘୋଷଣା ପରେ ଆଗକୁ ସ୍ଥିତି କିଭଳି ରହୁଛି ତାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.