Latest Odisha News

BREAKING NEWS

କ୍ରୀଡ଼ା ଗବେଷଣା ଓ ସଂରକ୍ଷଣ ଲାଗି ସମର୍ପିତ ଅନୁଷ୍ଠାନ ‘ସ୍ଫାର’ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଖେଳ ଓ ଖେଳାଳିଙ୍କ ବାବଦରେ ଗବେଷଣା, ତଥ୍ୟ, ଫଟୋ, ଚିତ୍ର ଏବଂ ରେକର୍ଡ ଆଦିର ସଂଗ୍ରହ ଓ ସଂରକ୍ଷଣ ତଥା ଦେଶୀୟ ଖେଳର ପ୍ରସାର ପାଇଁ ସମର୍ପିତ ଅନୁଷ୍ଠାନ ସ୍ପାର(ସ୍ପୋର୍ଟସ ପ୍ରମୋସନ, ଆର୍‍କାଇଭ ଆଣ୍ଡ ରିସର୍ଚ୍ଚ ବା କ୍ରୀଡା ପ୍ରୋତ୍ସାହନ, ଅଭିଲେଖାଗାର ଏବଂ ଗବେଷଣା) ଅନୁଷ୍ଠାନ ବିଧିବଦ୍ଧ ଭାବରେ ଶନିବାରଠାରୁ କାର୍ଯ୍ୟାରମ୍ଭ କରିଛି । ସ୍ଥାନୀୟ ରେଡକ୍ରସ ଭବନଠାରେ ଆୟୋଜିତ ଏକ ଉତ୍ସବରେ ଅନୁଷ୍ଠାନର ଲୋଗୋ ଉନ୍ମୋଚିତ ହୋଇଛି । ବରିଷ୍ଠ କ୍ରୀଡା ସାମ୍ବାଦିକ ସମ୍ବିତ ମହାପାତ୍ର ପରିକଳ୍ପନାରେ ପ୍ରସ୍ତୁତ ଏହି ଅନୁଷ୍ଠାନ ବର୍ତ୍ତମାନ ବିଜେବି ନଗରଠାରେ କାର୍ଯ୍ୟ କରିବ । ପରେ ଏହା ନିଜସ୍ୱ ଅଫିସକୁ ଉଠିଯିବ ।

କ୍ରୀଡା ସଂଗ୍ରହାଳୟ ଓ ଅଭିଲେଖାଗାର ସ୍ଥାପନ, ଫଟୋ, ତୈଳଚିତ୍ର, ପଦକ, ଜର୍ସି, ଟ୍ରଫି ସଂରକ୍ଷଣ ଓ ପ୍ରଦର୍ଶନୀ, ଗ୍ରାମାଞ୍ଚଳ କ୍ରୀଡାର ସଂରକ୍ଷଣ ଓ ପ୍ରସାର, କ୍ରୀଡା ଗବେଷଣା ଏବଂ ପୁସ୍ତକ ପ୍ରକାଶନ କରାଯିବ ଏହି ସଂସ୍ଥା ପକ୍ଷରୁ । ପୂର୍ବତନ କ୍ରୀଡା ପ୍ରଶାସକ ଅଶୋକ ମହାନ୍ତି ସ୍ପାରର ଅଧ୍ୟକ୍ଷ ଏବଂ ସମ୍ବିତ ମହାପାତ୍ର ସମ୍ପାଦକ ଦାୟିତ୍ୱ ତୁଲାଇବେ ।

ସୋସାଇଟିଜ୍ ଆକ୍ଟ ଅଧିନରେ ପଞ୍ଜିକୃତ ହେବାକୁ ଥିବା ଏହି ଅନୁଷ୍ଠାନକୁ ଦୀର୍ଘ ତିନି ଦଶନ୍ଧି ଭିତରେ ସମ୍ବିତ ସଂଗ୍ରହ କରିଥିବା କ୍ରୀଡା ପୁସ୍ତକ, ଫଟୋ, ଜର୍ସି, ପେଣ୍ଟିିଂ ଆଦିକୁ ସ୍ପାରକୁ ପ୍ରଦାନ କରିଛନ୍ତି ।

ବରିଷ୍ଠ କ୍ରୀଡା ସାମ୍ବାଦିକ ସୁରେଶ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଅଲିମ୍ପିଆନ ଲାଜରୁସ ବାର୍ଲା, ପୂର୍ବତନ କ୍ରୀଡା ପ୍ରଶାସକ ଅଶୋକ ମହାନ୍ତି, ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ସୁହାସ ମହାନ୍ତି ଏବଂ ଭାରତର ଅନ୍ୟତମ କ୍ରୀଡା ଗୌରବ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡା ଗବେଷଣା ଓ ସଂରକ୍ଷଣ ପାଇଁ ସମର୍ପିତ ଅନୁଷ୍ଠାନ ସ୍ଥାପନର ଆବଶ୍ୟକତା ଜଣାଇବା ସହ ଏହାର ସଫଳତା କାମନା କରିଥିଲେ । ବରିଷ୍ଠ କ୍ରୀଡା ସାମ୍ବାଦିକ ତପନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.