ଗାଲେ: ତ୍ରିରାଷ୍ଟ୍ରୀୟ ସିରିଜରେ ଭଲ ପ୍ରଦର୍ଶନ କରିବା ପରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅନ ଅଫିସିଆଲ ଟେଷ୍ଟ ଅଭିଯାନ ଆରମ୍ଭ କରିଛି । ଶ୍ରୀଲଙ୍କା ଏ ବିପକ୍ଷ ପ୍ରଥମ ଅନଅଫିସିଆଲ ଟେଷ୍ଟରେ ଭାରତ ଏ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୪୫୨ ରନ କରିବା ସହ ଇନିଂସ ଘୋଷଣା କରିଛି । ଜବାବରେ ଶ୍ରୀଲଙ୍କା ଏ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରିଛି । ନୂୱାନିନ୍ଦୋ ଫର୍ଣ୍ଣାଣ୍ଡୋ ୬୫ ଓ ଆଶେନ ବାନ୍ଦେରା ୧୮ ରନ କରି ଅପରାଜିତ ଅଛନ୍ତି । ଅଂଶୁଲ କମ୍ବୋଜ ଓ ୟଶ ଠାକୁର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ସାଈ ସୁଦର୍ଶନ ଓ ଧ୍ରୁବ ଜୁରେଲଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ଏ ୪୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା ।
ସୁଦର୍ଶନ ୧୩୨ ରନ କରିଥିବା ବେଳେ ଧ୍ରୁବ ଜୁରେଲ ୧୪୧ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଖ ରଶୀଦ ୬୩ ଓ ହର୍ଷ ଦୁବେ ୩୦ ରନ କରିଥିଲା । ଶ୍ରୀଲଙ୍କା ଏ ପକ୍ଷରୁ ଚାମିକା ଗୁଣଶେଖରା ୩ଟି ୱିକେଟ ଅକ୍ତିଆର କରିଥିଲେ । ସାଈ ଓ ଆୟୂଷ ପାଣ୍ଡେ ପ୍ରଥମ ୱିକେଟରେ ୭୮ ରନ ଯୋଗ କରିଥିଲେ । ଏହା ପରେ ରିତୁରାଜ ଗାଏକ୍ୱାଡଙ୍କ ସହ ୯୦ ରନ ଯୋଗ କରିଥିଲେ । ଶେଖଙ୍କ ସହ ମିଶି ସେ ଦଳର ସ୍କୋର ୩୫୦ ପାର କରିଥିଲେ ।
