Latest Odisha News

BREAKING NEWS

ଡ୍ରାଗନ ଫଳ କୁ ପ୍ରଧାନ୍ଯ, ବଢିବ ଉତ୍ପାଦନ

ଭୁବନେଶ୍ୱର : ଡ୍ରାଗନ ଫଳକୁ ରାଜ୍ଯ ସରକାର ପ୍ରଧାନ୍ଯ ଦେଉଛନ୍ତି। ସର୍ବାଧିକ ପ୍ରୋତ୍ସାହନ ସହ ଉତ୍ପାଦନ ବୃଦ୍ଧି ହେଉଛି ପ୍ରାଥମିକ ଲକ୍ଷ୍ଯ। ଫଳ ଚାଷକୁ ପ୍ରୋତ୍ସାହିତ କରିବାପାଇଁ ରାଜ୍ୟ ସରକାର ଯେଉଁ ସହାୟତା ପ୍ରଦାନ କରୁଛନ୍ତି ସେଥିରେ ସବୁଠାରୁ ଆଗରେ ରହିଛି ଡ୍ରାଗନ ଫଳ । ଏହି ଫଳ ଚାଷ ପାଇଁ ହେକ୍ଟର ପିଛା ସରକାର ୫୦,୦୦୦ ଟଙ୍କା ସହାୟତା ଯୋଗାଉଥିବା ଖବର ସରବରାହ ସଂସ୍ଥା ‘ତଥ୍ଯ’ ଖବର ପ୍ରକାଶ କରିଛି।

ଉଦ୍ୟାନ କୃଷି ମିଶନ ଯୋଜନା ଓ ରାଜ୍ୟ ଯୋଜନାରେ ଫଳ ଚାଷପାଇଁ ସହାୟତା ଯୋଗାଇ ଦିଆଯାଉଛି । ଏହି ସହାୟତା ମଧ୍ୟରେ ଡ୍ରାଗନ ଫଳ ପାଇଁ ହେକ୍ଟର ପ୍ରତି ସର୍ବାଧିକ ୫୦,୦୦୦ ଟଙ୍କା ଦିଆଯାଉଥିବାବେଳେ ଏହା ପଛକୁ କଦଳୀ ଚାଷପାଇଁ ୪୦,୯୮୫ ଟଙ୍କା ଓ ଅମୃତଭଣ୍ଡା ଚାଷପାଇଁ ହେକ୍ଟର ପ୍ରତି ୩୦,୦୦୦ ଟଙ୍କା ଦିଆଯାଉଛି ।

ଅନ୍ୟାନ୍ୟ ଫଳ ମଧ୍ୟରେ ଡାଳିମ୍ବ ପାଇଁ ୨୪ହଜାର, ଲେମ୍ବୁ ପାଇଁ ୨୦,୦୦୪, କାଜୁ ପାଇଁ ୨୦ହଜାର, ପିଜୁଳି ପାଇଁ ୧୯,୧୭୦ ଟଙ୍କା ଦିଆଯାଉଛି । ସବୁଠାରୁ କମ୍‍ ସହାୟତା ୧୨,୭୫୦ ଟଙ୍କା ମିଳୁଛି ଆମ୍ବ ଚାଷ ପାଇଁ ।

ସେହିଭଳି ରାଜ୍ୟରେ ପନିପରିବା ଚାଷ ନିମନ୍ତେ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଶଙ୍କର କିସମ ପନିପରିବା ଚାଷ କରିବାପାଇଁ ହେକ୍ଟର ପ୍ରତି ୨୦ ହଜାର ଟଙ୍କା ସହାୟତା ମିଳୁଛି ।

ପନିପରିବା ଚାଷରେ ଜଳର ସୁପରିଚାଳନା ପାଇଁ ଅଣୁ ଜଳସେଚନ ବ୍ୟବସ୍ଥାରେ ୪୫-୫୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ଅତିରିକ୍ତ ୧୫,୨୫ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଅଛି । ପନିପରିବା ଉତ୍ପାଦନ ପାଇଁ ସବୁଜ ଗୃହ ଓ ଛାୟାଗୃହ ପ୍ରତିଷ୍ଠା ଓ ଚାଷ ପାଇଁ ଶତକଡା ୫୦ଭାଗ ସହାୟତା ମିଳୁଥିବାବେଳେ ରୋଗପୋକ ତଥା ଖାଦ୍ୟସାରର ସମନ୍ୱିତ ପରିଚାଳନା ପାଇଁ ହେକ୍ଟର ପ୍ରତି ୧୨୦୦ ଟଙ୍କା ସହାୟତାର ବି ବ୍ୟବସ୍ଥା ଅଛି ।

ତେବେ ଫଳ ଓ ପନିପରିବା ଚାଷ ଅପେକ୍ଷା ଆଳୁ ପିଆଜ ଚାଷ ପାଇଁ ସହାୟତା ପରିମାଣ ଅଧିକ ରହିଛି । ଉଭୟ ଚାଷ ପାଇଁ ହେକ୍ଟର ପ୍ରତି ୫୮ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ତେବେ ସର୍ବାଧିକ ସହାୟତା ପାଉଥିଲେ ମଧ୍ୟ ଏହି ଦୁଇଟି ଫସଲରେ ଓଡିଶା ଆଜି ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହୋଇପାରୁ ନାହିଁ । ରାଜ୍ୟରେ ବାର୍ଷିକ ୧୧ଲକ୍ଷ ଟନ୍‍ ଆଳୁ ଚାହିଦା ଥିବାବେଳେ ଉତ୍ପାଦନ ପରିମାଣ ୪ଲକ୍ଷ ଟନ୍‍କୁ ଟପିପାରୁ ନାହିଁ । ସେହିଭଳି ବାର୍ଷିକ ଆବଶ୍ୟକ ୪ଲକ୍ଷ ଟନ୍‍ ପିଆଜ ଓଡିଶା ଚାଷୀମାନେ ଫଳାଉଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ବର୍ଷର ଅଧିକାଂଶ ସମୟରେ ଓଡିଶା ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଛି ।

ପନିପରିବା ଚାଷ ଠାରୁ ଆରମ୍ଭ କରି ପ୍ୟାକିଂ ଗୃହ ପାଇଁ ୨ଲକ୍ଷ ଟଙ୍କା, ସଂରକ୍ଷଣ କେନ୍ଦ୍ର ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି । ହେଲେ ଚାହିଦା ତୁଳନାରେ ପନିପରିବା ଉତ୍ପାଦନ କମ୍‍ ଓ ସଂରକ୍ଷଣ ଅଭାବରୁ ଓଡିଶାର ଖାଉଟିମାନେ ବର୍ଷ ସାରା ବିଭିନ୍ନ ପନିପରିବା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ । ଏଥିଯୋଗୁଁ ଖାଉଟିମାନେ ଚଢା ଦରରେ ପନିପରିବା ଖରିଦ କରୁଥିବାବେଳେ ଏ ବାବଦରେ ଶହ ଶହ କୋଟି ଟଙ୍କା ରାଜ୍ୟରୁ ବାହାରକୁ ଚାଲିଯାଉଛି ।

Leave A Reply

Your email address will not be published.