Latest Odisha News

BREAKING NEWS

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ବିଜେପି

ଭୁବନେଶ୍ୱର: ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ । ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର ବିରୋଧରେ କେନ୍ଦ୍ରରେ ମୋଦି ସରକାର ଗତ ୮ ବର୍ଷ ଭିତରେ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିବା ସହିତ ଅନେକ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । କିନ୍ତୁ ଓଡିଶାବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ ଶାସନ ଦେଉଛନ୍ତି ବୋଲି ମିଛ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓଡିଶା ରାଜ୍ୟକୁ ଦୁର୍ନୀତିର ଗନ୍ତାଘରରେ ପରିଣତ କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ ବୋଲି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ  ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ନିର୍ବାଚନ ଆସିଲେ ମିଛ ପ୍ରତିଶୃତିର ଭଣ୍ଡାର ଖୋଲି ଦିଅନ୍ତି ରାଜ୍ୟ ସରକାର । ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ  ଆଭିମୁଖ୍ୟ ରହିଥିବାର ଗତ ୧୧/୦୬/୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗତ ୨୦୧୯ ମସିହା ଅକ୍ଟୋବର ୧୦ରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଶାସନ ସଚିବ / ବିଭାଗୀୟ ନିର୍ଦ୍ଦେଶକ / ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ କରାଇଲେ । ୩-ଟି / ୫-ଟିର ବ୍ୟାପକ ମାତ୍ରରେ ପ୍ରଚାର ଓ ପ୍ରସାର କରାଯାଇ ଓଡିଶାବାସିଙ୍କୁ ବିଭ୍ରାନ୍ତ କରାଗଲା । ମାତ୍ର ଏହାର ଠିକ୍ ବିପରୀତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା କାରଣରୁ ଦୁର୍ନୀତି ଆଜି ଓଡିଶା ବିକାଶର ମୁଖ୍ୟ ବାଧକ ସାଜିଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।

ଆଜି ରାଜ୍ୟର ଯେକୈାଣସି ଉନ୍ନୟନମୁଳକ କାର୍ଯ୍ୟ ପାଇଁ ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮ ପ୍ରତିଶତକୁ ପହଂଚିଲାଣି । ୧୪ର୍ଦ୍ଦଶ ଓ ୧୫ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ରାଜ୍ୟର ବିକାଶମୁଳକ କାର୍ଯ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରାଯାଉଛି । ଗ୍ରାମାଂଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଥିବା ପଲ୍ଲୀସଭାକୁ ରାଜ୍ୟ ସରକାର ଉଚ୍ଛେଦ କରି ବିଭାଗୀୟ ନିର୍ଦ୍ଦୋଶାନୁଯାୟୀ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଇଲେ ।କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ନାମରେ କରାଯାଇ ବିଜେଡି କର୍ମୀଙ୍କ ଜରିଆରେ କାର୍ଯ୍ୟ କରାଯାଉଛି । ପଂଚାୟତ ପିଛା ୫ ଲକ୍ଷ ଏବଂ ବ୍ଲକ ପିଛା ୧୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ଜେଇ, ସରକାରୀ ଅଧିକାରୀ ଏବଂ ଶାସକ ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା କରାଯାଇ ବ୍ୟାପକ ମାତ୍ରାରେ ଅର୍ଥ ହଡପ୍ କରାଗଲା । ୧୩ଟି ବ୍ଲକରେ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶରେ ୯ କୋଟି ଟଙ୍କାର ଅମାନତ୍ ଅର୍ଥକୁ ଶାସକ ବିଜେଡିର ପ୍ରୋତ୍ସାହନରେ ଜେଇ, ସହାୟକ ଯନ୍ତ୍ରୀମାନେ ବାଟମାରଣା କରିଛନ୍ତି । ଯଦି ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ହିସାବ କରାଗଲେ, ପାଖାପାଖି ୧୧ ହଜାର କୋଟି ଟଙ୍କା କାର୍ଯ୍ୟାଦେଶରେ ଏହି ଅମାନତ ପରିମାଣ ପାଖାପାଖି ୨୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ, ଯାହାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ତୋଷାରପାତ କରିଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।

ନିର୍ବାଚନ ଆସିଲେ ଯୋଜନା ଉପରେ ଯୋଜନା ଆରମ୍ଭ କରିଦିଅନ୍ତି ସତ, କିନ୍ତୁ ଏ ସମସ୍ତ ଯୋଜନାର ସୁଫଳ ଓଡିଶାବାସୀଙ୍କ ପାଇଁ ନୁହେଁ ବରଂ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପାଇଁ । ‘ଆମ ଗାଁ, ଆମ ବିକାଶ’; ବିଜୁ ଯୁବ ବାହିନୀ; ପିଠା ଭଳି ଅନେକ ଯୋଜନାର କୈାଣସି ଆଦି ଅନ୍ତ ନାହିଁ । ଏହି ଯୋଜନାରେ ବ୍ୟାପକ ଅର୍ଥକୁ ହଡପ୍ କରିଦିଆଗଲା । ଏପରିକି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାରେ ଚଂଚକତା କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ବଂଚିତ ରଖାଯିବା ସହିତ ଅର୍ଥକୁ ମଧ୍ୟ ବାଟମାରଣା କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ବାସହୀନଙ୍କ ଅର୍ଥକୁ ହଡପ୍ କରିବାକୁ ମଧ୍ୟ ପଛାଇଲେ ନାହିଁ । ଏ ସଂପର୍କରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ ଓଡିଶା ସରକାରଙ୍କ ସ୍ୱଚ୍ଛତା ଓ ସ୍ୱରୁପକୁ ପଦାରେ ପକାଇଛି । ମଣିଷ ବଦଳରେ ମେସିନରେ କାର୍ଯ୍ୟ କରାଇ ନରେଗା ଅର୍ଥକୁ ହଡପ୍ କରାଗଲା । ରାଜ୍ୟରେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜାନର ତଦାରଖ କମିଟିର ଅଧ୍ୟକ୍ଷ ହେଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ୨୦୧୨ ରୁ ୨୦୧୭ ମସିହା ଭିତରେ ୧୮ ଥର ପରିବର୍ତେ ମାତ୍ର ୪ ଥର ବୈଠକ ଅନୁଷ୍ଠିତ ହୋଇଥିବାର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଏବଂ ନରେଗା ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରୋତ୍ସାହିତ କରୁଥିବାର ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ବଳିୟାରସଂହ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.