Latest Odisha News

BREAKING NEWS

ପିକନିକ ପାଇଁ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ, କମିବ ସଡକ ଦୁର୍ଘଟଣା

ଭୁବନେଶ୍ବର: ସରିଛି ବର୍ଷ ୨୦୨୩ । ଆରମ୍ଭ ହୋଇଛି ନୂଆବର୍ଷ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପିକନିକ ମନାଇବାକୁ ଯାଉଛନ୍ତି । ଆଉ ଏହି ସମୟରେ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ପ୍ରକାଶ ପାଉଛି । ଯାହାକୁ ନଜରରେରଖି ଦୁର୍ଘଟଣା କମାଇବାକୁ ପରିବହନ ବିଭାଗ ପକ୍ଷରୁ କଡା ନିୟମ ଜାରି କରାଯାଇଛି ।

ଏନେଇ ବିଭାଗ ପକ୍ଷରୁ ଆଜି ଏସଓପି ଜାରି କରାଯାଇଛି । ପିକନିକ ଗାଡି ଚଲାଉଥିବା ଡ୍ରାଇଭର ମାନେ ଯଦି ମଦ୍ୟପାନ କରି ଗାଡି ଚଳାଉଥାନ୍ତି ତେବେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି ।

ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ । ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପିକନିକ ପାଇଁ ଅନୁମତି ମିଳିବ । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ ।

ପିକନିକ୍ ସ୍ପଟ୍ ଗୁଡିକରେ ପରିବହନ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ ଏବଂ ସଡକ ସୁରକ୍ଷା ବାର୍ତ୍ତା ଯେପରି ସମସ୍ତଙ୍କ ନିକଟରେ ପହଞ୍ଚେ ସେନେଇ ବନ୍ଦୋବସ୍ତ କରିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀ ପରିବହନ ରୋକିବା ପାଇଁ ପିକନିକ୍ ସ୍ପଟ୍ ଗୁଡିକ ନିକଟରେ ପୁଲିସ୍ କର୍ମଚାରୀମାନେ ଯାନଗୁଡିକର ଟିକନିକ ଯାଞ୍ଚ କରିବେ ।ଅନେକ ସମୟରେ ଓଭରଲୋଡିଂ ପାଇଁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଥିବା ଗାଡି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.