Latest Odisha News

BREAKING NEWS

ଦାଦନ ଖଟୁଛନ୍ତି ବିଦ୍ୟାର୍ଥୀ, ଦାୟି କିଏ ?

ରାୟଗଡା: ବେଶି ପୁରୁଣା ନୁହେଁ, ମାତ୍ର କିଛି ପୂର୍ବରୁ ସାମ୍ନାକୁ ଆସିଥିଲା ଆନ୍ଧ୍ରର ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ । ତଥାପି ନିଘୋଡ ନିଦରେ ଶୋଇଛି ଶ୍ରମ ବିଭାଗ । ଆର୍ଥିକ ଅନାଟନ ହେଉ ଅବା ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ବୟସ୍କ ଓ ବିଦ୍ୟାର୍ଥୀମାନେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଚାଲିଯାଉଛନ୍ତି ।

ପ୍ରତି ମାସ ରାୟଗଡା ଜିଲ୍ଲାରୁ ବେହିସାବ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । ହେଲେ ଜିଲ୍ଲା ବାହାରକୁ ଯାଉଥିବା ଓ ବାହାର ରାଜ୍ୟରୁ ଜିଲ୍ଲାକୁ ଆସୁଥିବା ଶ୍ରମିକଙ୍କ ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ । ଗତବର୍ଷ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌ରେ ୧୬ ହଜାର ଦାଦନ ଶ୍ରମିକ ଜିଲ୍ଲାକୁ ଫେରିଥିଲେ । ହେଲେ ପରବର୍ତ୍ତି ସମୟରେ ଜିଲ୍ଲାର ଦାଦନ ପରିସଂଖ୍ୟାନ କରିବାକୁ ବୋଧ ହୁଏ ଜିଲ୍ଲା ପ୍ରଶାସନ ଇଛା ପ୍ରକାଶ କରିନଥିଲା ।

ଗତ ଗୁରୁବାର ଜୁଲାଇ ୨୯’ ତାରିଖ ରାତିରେ ୬ଜଣ ଓଡିଆ ଶ୍ରମିକ ଆନ୍ଧ୍ରରେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଓଡିଶା ସରକାରଙ୍କ ମୋ ପରିବାର ଅଘଟଣ ଘଟିଥିବା ଅଚଳରୁ ୩୩ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ଓଡିଶା ଫେରାଇ ଆଣିଛି । ଜାଣି ଚକିତ ହେବେ ଫେରିଥିବା ୩୩ଜଣଙ୍କ ମଧ୍ୟରୁ ୧୫ଜଣ ନାବାଳକ ଥିବାବେଳେ ସେମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗୁଣୁପୁର ବ୍ଲକର ବିଭୁ ଗାଣ୍ଠା ନାମକ ଜଣେ ବ୍ୟକ୍ତି ବିଭିନ୍ନ ଘରୋଇ କମ୍ପାନୀକୁ ଶ୍ରମିକ ଚାଲାଣ କରୁଥିବା ଜଣାପଡିଛି । କରୋନା ମହାମାରୀ ପାଇଁ ସ୍କୁଲ କଲେଜ ବନ୍ଦ ଥିବାରୁ ଏହି ସୁଯୋଗର ଫାଇଦା ଉଠାଇ ବିଦ୍ୟାର୍ଥୀମାନଙ୍କୁ ଦଲଲାଲମାନେ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଆନ୍ଧ୍ର ଗୁଣ୍ଟୁରରେ ପ୍ରାଣ ହରାଇଥିବା ପାଣ୍ଡବ ଶବର ପୁଟାସିଂ ହାଇସ୍କୁଲରେ ୧୦ମ ଶ୍ରଣୀରେ ପାଠ ପଢୁଥିଲାବେଳେ ମୋହନ ଶବର କେନ୍ଦୁଗୁଡା ଗାଁରେ ୬ଷ୍ଠ ଶ୍ରଣୀର ଛାତ୍ର ଥିଲା । ସେହିଭଳି କରୁଣାକର ଶବର ଭୁବନେଶ୍ୱର ସ୍ଥିତ କିସ୍ ଅନୁଷ୍ଠାନରେ ୮ମ ଶ୍ରଣୀର ଛାତ୍ର ଓ ରାମାମୂର୍ତ୍ତୀ ଗମାଙ୍ଗ ଗୁଣୁପୁର ଶତାୟୁ ହାଇସ୍କୁଲର ୭ମ ଶ୍ରଣୀରେ ଅଧ୍ୟୟନ କରୁଥିଲେ । ମୃତ ୪ଜଣ ଛାତ୍ର ଅନଲାଇନ୍ ପାଠପଢାରେ ଅସୁବିଧା ଯୋଗୁଁ ମୋବାଇଲ କିଣିବା ପାଇଁ ଅର୍ଥ ଯୋଗଡ କରିବା ଲାଗି ଦାଦନ ଖଟିବାକୁ ଯାଇଥିଲେ ।

ତେବେ ଭାଗ୍ୟର ବିଡମ୍ବନା ୪ଜଣ ବିଦ୍ୟାର୍ଥୀ ମୃତ୍ୟୁବରଣ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଶିଶୁ ସୁରକ୍ଷା ଓ ଶ୍ରମ ବିଭାଗର ଦର୍ଶନ ନାହିଁ । ବିଭିନ୍ନ ଯୋଜନା ଅନୁଯାୟୀ ସରକାରୀ ରାଜକୋଷରୁ ଅର୍ଥ ବ୍ୟୟବରାଦ ହେଉଛି । ହେଲେ ଯୋଜନା ବୋଧ ହୁଏ କେବଳ କାଗଜ କଲମରେ କାର୍ଯ୍ୟକାରୀ ହେଉଛି । ଅନ୍ୟପଟେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅନୁଯାୟୀ ଜିଲ୍ଲାରେ କାମର ଅଭାବ ନାହିଁ । ନୃତନ ବୃତ୍ତି ପାଇଁ ପ୍ରତ୍ୟେକ ବ୍ଲକରେ ବ୍ୟବସ୍ଥା ରହିଛି । ସଚେତନତାର ଅଭାବ ଯୋଗୁଁ ଲୋକେ ଅର୍ଥ ଆୟ କରିବା ପାଇଁ ଲୁଚିଛପି ବାହାର ରାଜ୍ୟକୁ ଯାଉଛନ୍ତି । ତେଣୁ ଏ ଦିଗରେ ସଜାଗ ରହିବା ପାଇଁ ଶ୍ରମ ବିଭାଗକୁ ନିର୍ଦ୍ଦେଷ ଦିଆଯାଇଛି ।

Leave A Reply

Your email address will not be published.