Latest Odisha News

BREAKING NEWS

ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପ୍ରସଙ୍ଗ, ଜନଶୁଣାଣିରେ ଟାଟା ଷ୍ଟିଲକୁ ମିଳିଲା ସମର୍ଥନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଟାଟା ଷ୍ଟିଲ୍ ଲିମିଟେଡର ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିରୁ ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପାଇଁ ଶେଷ ହୋଇଛି ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି । ପୂର୍ବରୁ ଗତ ଏପ୍ରିଲ ୨୬ ତାରିଖରେ ଏହି ଜନ ଶୁଣାଣି ହେବାର ଥିଲା । ମାତ୍ର କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିଲା । ଖଣିରୁ ବାର୍ଷିକ ଖଣିଜ ଉତ୍ପାଦନ ୧୨ ନିୟୁତ ଟନରୁ ୧୯.୫ ନିୟୁତ ଟନକୁ ସଂପ୍ରସାରଣ ସହ ମୋଟ ୨୨.୯୪ ନିୟୁତ ଟନ୍ କରାଯିବ । ଏହାସହ ବେନିଫିସେସନ ପ୍ଲାଣ୍ଟର କ୍ଷମତା ୧୨ ନିୟୁତ ଟନରୁ ୧୭.୬ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହୋଇଛି ।

ଖଣିଜ ଉତ୍ପାଦନର ସଂପ୍ରସାରଣ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ ଏହି ଜନଶୁଣାଣିରେ କମ୍ପାନୀକୁ ସମର୍ଥନ ଜଣାଇବା ସହ ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ଦାବି ଉପସ୍ଥାପନ କରିଛନ୍ତି । ଲୋକଙ୍କ ଏହି ଦାବିକୁ ଖୁବଶୀଘ୍ର ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଏହି ଜନଶୁଣାଣିକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.