Latest Odisha News

ନରେନ୍ଦ୍ରରୁ ବିବେକାନନ୍ଦ: ତେଜସ୍ୱୀ ସାଧକଙ୍କ ଅଜଣା କାହାଣୀ…

ଭୁବନେଶ୍ୱର: ସାରା ବିଶ୍ୱରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ୟାସୀଙ୍କ କଥା ସଦା ସର୍ବଦା ଆଲୋଚିତ ହୋଇଥାଏ ସେହି ମନୀଷୀମାନଙ୍କ ମଧ୍ୟରେ ଭାରତୀୟ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଅନ୍ୟତମ । ସ୍ୱାମୀ ବିବେକାନନ୍ଦ ସନ୍ୟାସୀ ହେବା ପୂର୍ବରୁ ତାଙ୍କ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଅତି ପିଲାଟି ବେଳରୁ ନରେନ୍ଦ୍ର ପୂଜା-ଜପ-ତପ ଓ ଧ୍ୟାନରେ ନିମଗ୍ନ ରହୁଥିଲେ । ପିଲାଟି ଦିନରୁ ନରେନ୍ଦ୍ର ଅନେକ କଷ୍ଟ ଓ ଯନ୍ତ୍ରଣା ଭୋଗ କରିବା ସତ୍ୱେ ଆଧ୍ୟାତ୍ମିକ ମାର୍ଗରୁ ନିଜକୁ କେବେବି ବିଚ୍ୟୁତ କରିନାହାନ୍ତି । ଏକ ସ୍ୱଚ୍ଛଳ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାମ ଥିଲା ଭୁବନେଶ୍ୱରୀ ଦେବୀ ଏବଂ ବାପାଙ୍କ ନାମ ଥିଲା ବିଶ୍ୱନାଥ ଦତ୍ତ । ସ୍ୱାମୀ ବିବେକାନନ୍ଦ କଲିକତାଠାରେ ଜାନୁଆରୀ ୧୨ ତାରିଖ ୧୮୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେହିପରି କଲିକତାରେ ହିଁ ୧୯୦୨ ମସିହା ଜୁଲାଇ ୪ ତାରିଖରେ ଏହି ପ୍ରସିଦ୍ଧ ମହାପୁରୁଷଙ୍କ ମହାପ୍ରୟାଣ ହୋଇଥିଲା ।

ନରେନ୍ଦ୍ର ଗ୍ରାଜୁଏଟ ହେବା ପରେ ଚାକିରିଟିଏ ଲାଗି ଅନେକ ଅଫିସ ଓ ଦୁଆର ବୁଲିଥିଲେ । ମାତ୍ର ତାଙ୍କୁ ସବୁଆଡ଼େ ନିରାଶ ହେବାକୁ ପଡ଼ିଥିଲା । ସେ ଭଗବାନଙ୍କୁ ଦାୟୀ କରି ଭଗବାନଙ୍କ ଅସ୍ତିତ୍ୱ ମିଥ୍ୟା ବୋଲି ଭାବିବାକୁ ଲାଗିଲେ । ବିବେକାନନ୍ଦଙ୍କ ଗୁରୁଦେବ ରାମକୃଷ୍ଣ ପରମହଂସ ହିଁ ନରେନ୍ଦ୍ରଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥିଲେ ।

ସ୍ୱାମୀ ବିବେକାନନ୍ଦ କଲେଜରେ ଅଧ୍ୟୟନ କରୁଥିବା ସମୟରେ ପ୍ରଚୁର ମାତ୍ରାରେ ପୁସ୍ତକ ଅଧ୍ୟୟନ କରୁଥିଲେ । ତାଙ୍କର ସ୍ମୃତିଶକ୍ତି ଅତ୍ୟନ୍ତ ପ୍ରଖର ଥିଲା । ସେ ଗୋଟିଏ ଗୋଟିଏ ମୋଟା ବହିକୁ ଗୋଟିଏ ଦିନରେ ହିଁ ପଢି ଶେଷ କରିଦେଉଥିଲେ । ତାଙ୍କର ଧୀଶକ୍ତି ଏତେ ତୀକ୍ଷଣ ଥିଲା ଯେ, ସେ ବହିରେ ଥିବା ପ୍ରତ୍ୟେକ ପୃଷ୍ଠାର ପ୍ରତିଟି ଲାଇନକୁ ମଧ୍ୟ ମନେ ରଖି ପାରୁଥିଲେ ।

ବିବେକାନନ୍ଦ ସବୁଦିନ ଲାଇବ୍ରେରୀକୁ ଯାଇ ପୁସ୍ତକ ଆଣନ୍ତୁ । ବହିକୁ ସମ୍ପୂର୍ଣ୍ଣ ପଢି ତା’ପରଦିନ ପୁଣି ଲାଇବ୍ରେରୀରେ ଫେରାଇ ଦିଅନ୍ତି । କିଛିଦିନ ଏପରି କରିବା ପରେ ଲାଇବ୍ରେରିଆନଙ୍କ ସନ୍ଦେହ ହେଲା । ପ୍ରକୃତରେ ପିଲାଟି ବହି ନେଇ ପଢୁଛି କି ନାହିଁ । କାରଣ ସେ ଦେଖନ୍ତି ଯେ, ପିଲାଟି ମୋଟା ମୋଟା ବହି ନେଇ ଗୋଟିଏ ଦିନରେ କିପରି ସାରିଦେଉଛି । ଦିନେ ବିବେକାନନ୍ଦଙ୍କୁ ପରୀକ୍ଷା କରିବାକୁ ଯାଇ ଲାଇବ୍ରେରୀଆନ ଜଣକ ଗୋଟିଏ ମୋଟା ବହି ନେଇ ଭିତରୁ ଏକ ପୃଷ୍ଠା ଖେଳାଇ ଏକ ପ୍ରଶ୍ନ ପଚାରିଲେ । ବିବେକାନନ୍ଦ ସେହି ପ୍ରଶ୍ନର ଉତ୍ତର କହିବାକୁ ଯାଇ ସେହି ପୃଷ୍ଠାଟିକୁ ଅବିକଳ କହିଦେଲେ । କେବଳ ସେତିକି ନୁହେଁ ଲାଇବ୍ରେରିଆନ୍ ବହି ପରେ ବହି ପୃଷ୍ଠା ପରେ ପୃଷ୍ଠା ପଚାରନ୍ତେ ବିବେକାନନ୍ଦ ଅନର୍ଗଳ ପୃଷ୍ଠାରେ ଥିବା ସମସ୍ତ ବିଷୟବସ୍ତୁ ଗୁଡ଼ିକୁ କହି ଚାଲିଲେ । ଲାଇବ୍ରେରିଆନ୍ ଏହା ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ ।

ସେହିପରି ବିବେକାନନ୍ଦ ବିଦେଶରେ ଥିବା ସମୟରେ ଏହିପରି ଅନେକ ରୋଚକ ଘଟଣା ଘଟିଥିଲା ଯାହାକି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ବିବେକାନନ୍ଦ ଦିନେ ଏକ ହ୍ରଦ ନିକଟରେ ବସିଥିଲେ । ବିଦେଶୀ ଯୁବକମାନେ ବନ୍ଧୁକ ଦ୍ୱାରା ପୋଖରୀ ମଧ୍ୟରେ ଥିବା ଏକ ଗୋଲାକୃତି ବସ୍ତୁ ଉପରେ ଲକ୍ଷ୍ୟ ଭେଦ କରି ଅସଫଳ ହେଉଥିଲେ । ନିକଟରେ ବସିଥିବା ବିବେକାନନ୍ଦ ଏହା ସବୁ ନୀରିକ୍ଷଣ କରୁଥାଆନ୍ତି । ଯୁବକମାନେ ଗୋଟିଏ ଥର ବି ସେହି ଗୋଲାକୃତି ବସ୍ତୁକୁ ଗୁଳି ବଜାଇ ପାରୁନଥିଲେ । ଏହା ଦେଖି ବିବେକାନନ୍ଦ ହସିବାକୁ ଲାଗିଲେ । ଯୁବକମାନେ ବିବେକାନନ୍ଦଙ୍କୁ ଆସି କହିଲେ ତମେ ଏହା ଦେଖି ହସୁଛ ତ ନିଜେ ଲକ୍ଷ୍ୟଭେଦ କରିପାରିବ କି? ବିବେକାନନ୍ଦ ନିଜେ ବନ୍ଧୁକ ଚାଳନା କରି ୧୨ ଥର ସେହି ଲକ୍ଷ୍ୟ ଭେଦ କରିଥିଲେ । ଏହା ଦେଖି ବିଦେଶୀ ଯୁବକମାନେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।

ଏହିପରି ବିବେକାନନ୍ଦଙ୍କର ନିଜସ୍ୱ ସାଧନା ଓ ବ୍ରତ ଯୋଗୁଁ ସେ ଅନେକ ଆଶ୍ଚର୍ଯ୍ୟଜନକ ଶକ୍ତିର ଅଧିକାରୀ ହୋଇପାରିଥିଲେ । ଭାରତୀୟ ସଂସ୍କୃତିର ମହାନତାକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବାରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ପ୍ରମୁଖ ଭୂମିକା ରହିଛି ।

Leave A Reply

Your email address will not be published.