Latest Odisha News

BREAKING NEWS

କିଏ ଏହି ଅବଦୁଲ କରିମ ଟୁଣ୍ଡା, ଯିଏ ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷରେ ହେଲେ ଖଲାସ

ନୂଆଦିଲ୍ଲୀ: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ଟୁଣ୍ଡାଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଜମେରର ଟାଡା କୋର୍ଟ । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଟୁଣ୍ଡାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ୧୯୯୩ରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୦ ବର୍ଷିୟ ଟୁଣ୍ଡା ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଟୁଣ୍ଡା ଅନେକ ବୋମା ବିସ୍ଫୋରଣ ମାମଲାର ମଧ୍ୟ ମୁଖ୍ୟ ଅଭିଯୁକ୍ତ। ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ନିକଟତମ ବିବେଚିତ ହୋଇଥିବା ଟୁଣ୍ଡା, ବୋମା ତିଆରି କରିବାର କୌଶଳ ପାଇଁ “Dr Bomb” ଭାବରେ ଜଣାଶୁଣା |

ବାବ୍ରି ମସଜିଦ ଭାଙ୍ଗିବାର ପ୍ରଥମ ବାର୍ଷିକୀ ଅର୍ଥାତ୍ ୧୯୯୩ ମସିହା ଡିସେମ୍ବର ୬ ତାରିଖରେ, ଦେଶର ଅନେକ ଟ୍ରେନରେ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା | ଏହି ମାମଲାରେ ଅବଦୁଲ କରିମ ତୁଣ୍ଡା ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ ହୋଇଥିଲା। ଏହି ବିସ୍ଫୋରଣ ଦେଶର କୋଟା, ସୁରଟ, କାନପୁର, ସିକନ୍ଦରାବାଦ, ମୁମ୍ବାଇ ଏବଂ ଲକ୍ଷ୍ନୌର ଟ୍ରେନରେ ଘଟିଥିଲା ।

ଆଡଭୋକେଟ ଶାଫକତ ସୁଲତାନିଙ୍କ କହିବା ଅନୁସାରେ, “କୋର୍ଟ କହିଛନ୍ତି ଯେ ଅବଦୁଲ କରିମ ଟୁଣ୍ଡା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାନ୍ୟବର କୋର୍ଟ ଅବଦୁଲ କରିମ ଟୁଣ୍ଡାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଆମେ କୋର୍ଟରେ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରିପାରିଲୁ ନାହିଁ । ଆମେ ଆରମ୍ଭରୁ କହିଥିଲୁ ଯେ ଅବଦୁଲ୍ କରିମ୍ ଟୁଣ୍ଡା ନିର୍ଦ୍ଦୋଷ। ଇରଫାନ୍ ଏବଂ ହେମିଦୁଦ୍ଦିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ସେମାନେ ଶୀଘ୍ର ଦଣ୍ଡିତ ହେବେ। ”

ସୟଦ ଅବଦୁଲ କରିମ ଟୁଣ୍ଡା ୧୯୪୧ରେ ଗାଜିଆବାଦର ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ୧୧ ବର୍ଷ ବୟସରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେ ଜଣେ ବଢେଇ, ମିଟର କର୍ମଚାରୀ ଏବଂ ଚୁଡି ତିଆରି କାମ କରୁଥିଲେ । ଦେଶର ବିଭିନ୍ନ ସ୍ଥାନରେ ରହି ସେ ଏହି କାମ କରୁଥିଲେ । ଏହି ସମୟ ମଧ୍ୟରେ ସେ ଜରିନା ୟୁସୁଫ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ଇମ୍ରାନ, ରସିଦା ଏବଂ ଇରଫାନ ନାମକ ତିନି ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ଧିରେ ଧିରେ ଅବଦୁଲ କରିମ ଟୁଣ୍ଡାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା । ସେ ପା୍ରୟ ସମୟ ଘରେ ରହୁନଥିଲେ । ୧୯୮୧ ମସିହାରେ, ସେ ତାଙ୍କର ପ୍ରଥମ ପତ୍ନୀ ଜରିନାଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ । କିଛି ଦିନ ପରେ ସେ ଦ୍ଵିତୀୟ ବିବାହ କରି ଫେରିଥିଲେ । ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ ମମତାଜ ଥିଲା। ମମତାଜ ଗୁଜୁରାଟର ଅହମ୍ମଦାବାଦର ବାସିନ୍ଦା ଥିଲେ।

୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ଟୁଣ୍ଡା ପ୍ରଥମ ଥର ପାଇଁ ସନ୍ଦେହ ଘେରକୁ ଆସିଥିଲେ । ବୋମା ତିଆରି କରୁଥିବା ସମୟରେ ସେ ବିସ୍ଫୋରଣରେ ତାଙ୍କର ବାମ ହାତ ହରାଇଥିଲେ । ସେ ଲଶ୍କର-ଏ-ତାଇବା, ଇଣ୍ଡିଆନ ମୁଜାହିଦ୍ଦିନ, ଜୈଶ-ଏ-ମହମ୍ମଦ ଏବଂ ବାବର ଖାଲସାଙ୍କ ସହ ଅନେକ ଆତଙ୍କବାଦୀ ସଂଗଠନ ସହ କାମ କରିଥିଲେ । ୨୦୧୩ରେ, ତାଙ୍କୁ ଭାରତ-ନେପାଳ ସୀମା ନିକଟ ଉତ୍ତରାଖଣ୍ଡର ବନବସାରୁ ଗିରଫ କରାଯାଇଥିଲା । ଚାରି ବର୍ଷ ପରେ, ହରିୟାଣା କୋର୍ଟ ତାଙ୍କୁ ୧୯୯୩ ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

 

Leave A Reply

Your email address will not be published.