Latest Odisha News

BREAKING NEWS

୨୦୨୪ ନିର୍ବାଚନରେ ବିଜେଡି, ବିଜେପିକୁ ଭାରି ପଡ଼ିବେ କି ଏସବୁ ନେତା ?

ଭୁବନେଶ୍ୱର: ସମ୍ବଲପୁରରେ ବିରୋଧୀ ଦଳ ନେତା ଓ ପୋଲିସ ହାତାହାତିକୁ ନେଇ ରାଜନୀତି ତେଜୁଛି । ଶାସକ ବିଜେଡି, ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି କହିଛି, ସରକାର ନିଜ ମନ୍ତ୍ରୀ ଓ ବିଧାୟକଙ୍କୁ ପରଖନ୍ତୁ । ତେବେ ବିଜେପି ହେଉ ଅବା ବିଜେଡି ନେତା । ଅନେକଙ୍କ ନାଁରେ ରହିଛି ଅନେକ ଅଭିଯୋଗ ।… ଆଉ ସବୁଠୁ ବଡ଼ କଥା ହେଲା କ୍ଷମତା ବଢ଼ିବା ସହ ନେତାଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି…

ପ୍ରଥମେ ନଜର ପକାଇବା ବିଜେପି ଉପରେ ।… ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ୍ ଓରାମ ଗତ ବର୍ଷ ବିବାଦ ଘେରକୁ ଆସିଥିଲେ । ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରୀ ଅଭିଯୋଗ କରିଥିଲେ ଜୁଏଲ୍ ତାଙ୍କୁ ଖରାପ ବ୍ୟବହାର କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୁଏଲ୍ ଗୌରୀ ମୁଣ୍ଡାରୀଙ୍କୁ ବର୍ଷେରୁ ଅଧିକ ସମୟ ଧରି ତାଙ୍କ ପ୍ରତିନିଧି ନିଯୁକ୍ତ କରିଥିଲେ ।

ସେହିଭଳି ଏବେ କେନ୍ଦ୍ରମନ୍ତ୍ରୀ ଥିବା ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଗତବର୍ଷ ବିବାଦ ଘେରକୁ ଆସିଥିଲେ । ୨୦୨୨ ଜାନୁଆରୀ ୧୧ ତାରିଖରେ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା ଡିଆରଡିଏର ଦୁଇ ଅଧିକାରୀଙ୍କୁ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରକାରୀ ଅଧିକାରୀ ଏତଲା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ହାଜର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ସେହିଭଳି ଗତବର୍ଷ ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲା ।

ସେହିଭଳି ବିଜେଡି ବିଧାୟକ ପ୍ରତାପ ଜେନା ଆଇନ୍ ମନ୍ତ୍ରୀ ଥିବାବେଳେ ମାହାଙ୍ଗା ଡବଲ୍ ମର୍ଡରକୁ ନେଇ ବିବାଦୀୟ ହୋଇ ପଡ଼ିଥିଲେ । ପ୍ରତାପ ଜେନା ଆଇନ୍ ମନ୍ତ୍ରୀ ଥିବାରୁ ପୋଲିସ ଏତଲାରୁ ତାଙ୍କ ନାଁ ହଟେଇ ଦେଇଥିବା ଅଭିଯୋଗ ବି ହୋଇଥିଲା । ଯାହାକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ପ୍ରତାପ ହରାଇଥିଲେ ମନ୍ତ୍ରୀ ପଦ ।

ସେହିଭଳି ପରୀ ହତ୍ୟା ମାମଲାକୁ ନେଇ ବିବାଦୀୟ ହୋଇ ପଡ଼ିଥିଲେ ତତ୍କାଳୀନ କୃଷି ମନ୍ତ୍ରୀ ଅରୁଣ ସାହୁ । ପରୀ ମାମଲାରେ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ ବିରୋଧୀ ବିଜେପି ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପରେ ପରୀ ପାଇଁ ସମ୍ଭବତଃ ନବୀନଙ୍କ କ୍ୟାବିନେଟରୁ ବାଦ୍ ପଡ଼ିଥିଲେ ଅରୁଣ ସାହୁ ।

ସେହିଭଳି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ଦିବ୍ୟ ଶଙ୍କର ମିଶ୍ର, ମମିତା ମେହେର ହତ୍ୟା ମାମଲାକୁ ନେଇ ଫସିଥିଲେ । ସେତେବେଳେ ବିରୋଧୀ ଦିବ୍ୟ ଶଙ୍କରଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଲାଗି ଦାବି କରିଥିଲେ । ପରେ ମାମଲା ଶିଥିଳ ହେବାରୁ ଦିବ୍ୟଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ ନବୀନ ।

୨୦୨୧ରେ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ ଅଧିକାରୀଙ୍କୁ ଫୋନରେ ଧମକ ଦେବା ନେଇ ଅଡିଓ ଭାଇରାଲ୍ ହୋଇଥିଲା । ଏବେ ତିର୍ତ୍ତୋଲ ବିଜେଡି ବିଧାୟକ ଥିବା ବିଜୟ ଶଙ୍କର ଦାସଙ୍କ ବିରୋଧରେ ବି ରହିଛି ସଙ୍ଗୀନ ଅଭିଯୋଗ । ବିଜୟଙ୍କ ପୂର୍ବତନ ପ୍ରେମିକା ସୋମାଲିକାଙ୍କ ବିଜୟଙ୍କ ବିରୋଧରେ ଦୁଷ୍କର୍ମ, ସେକ୍ସ ରାକେଟ୍ ଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ବିଜୟ ଶଙ୍କରଙ୍କ ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ଭିନ୍ନତା, ଲମ୍ବି ଚାଲିଥିବା ଅଭିଯୋଗର ଫର୍ଦ୍ଦ ଯେତିକି ବଢ଼ୁଛି ସେଇ ନିଆଁରେ ରାଜନୀତିକ ରୋଟି ସେତିକି ସେକା ଚାଲିଛି ।

Leave A Reply

Your email address will not be published.