Latest Odisha News

BREAKING NEWS

ଦିଲ୍ଲୀରେ ନୋ ପାୱାରକଟ, ୨୪ ଘଣ୍ଟା ମାଗଣା ବିଜୁଳି ଆଉ ଓଡ଼ିଶାରେ?

ଭୁବନେଶ୍ୱର: ଗୋଟିଏ ପଟେ ବିଜୁଳି ବଳକା ରାଜ୍ୟ କହୁଥିବା ଓଡିଶାରେ ବାରମ୍ବାର ବିଜୁଳି କାଟ ଓ ବିଜୁଳି ବିଭ୍ରାଟକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଦିଲ୍ଲୀର ଏକ ପ୍ରସଙ୍ଗ ରାଜ୍ୟର ବିଜୁଳି ପ୍ରସଙ୍ଗକୁ ନେଇ ହେଉଥିବା ରାଜନୀତିକୁ ଆହୁରି ତୀଵ୍ର କରିଛି।

ଦିଲ୍ଲୀରେ ପ୍ରଥମଥର ପାଇଁ ବିଜୁଳିର ଆବଶ୍ୟକତା ସାତ ହଜାର ମେଗାୱାଟକୁ ଟପିଯିବା ସହ ୭୦୯୮ ମେଗାୱାଟରେ ପହଞ୍ଚିଥିଲା। ଦିଲ୍ଲୀର ବିଆରପିଏଲ ଅଞ୍ଚଳରେ ୩୧୦୩ ମେଗାୱାଟ ଓ ବିୱାଇପିଏଲ ଅଞ୍ଚଳରେ ଏକ ହଜାର ୬୧୫ ମେଗାୱାଟ ବିଜୁଳି ଆବଶ୍ୟକ ପଡିଥିଲା। ଯାହାକି ସଫଳତାର ସହ ଯୋଗାଇ ଦିଆଯାଇପାରିଛି।

ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତୁରନ୍ତ ଟ୍ୱିଟ ମଧ୍ୟ କରିଛନ୍ତି। ଏତେ ଅଧିକ ଲୋଡ଼ ସତ୍ତ୍ୱେ ମଧ୍ୟ ବିନା କୌଣସି ପାୱାର କଟ କିମ୍ବା ବିଭ୍ରାଟରେ ବିଜୁଳି ଦିଆଯାଇଛି ବୋଲି ଭିନ୍ନ ଢଙ୍ଗରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ନିଜର ଟ୍ୱିଟର ହ୍ୟାଣ୍ଡେଲରେ ନୋ ପାୱାର କଟସ ଲେଖିବା ସହ ଦିଲ୍ଲୀ ମେ ବିଜଲୀ ଫ୍ରି ହେ ଅର ୨୪ ଘଣ୍ଟେ ହେ ବୋଲି ଲେଖିଛନ୍ତି କେଜରିୱାଲ। ଯାହାକୁ ନେଇ ଏବେ ରାଜନୈତିକ ଆଲୋଚନା ଜୋର ଧରିଛି।

ଏ ପ୍ରସଙ୍ଗକୁ ଓଡ଼ିଶାର ବିଜୁଳି ପ୍ରସଙ୍ଗ ସହ ତୁଳନା କରାଯାଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଓଡିଶା ଏକ ବିଜୁଳି ବଳକା ରାଜ୍ୟ କୁହାଯାଉଥିବା ବେଳେ ଅନ୍ୟ ରାଜ୍ୟକୁ ବିଜୁଳି ଯୋଗାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଅବଦାନ ଥିବା ଦେଖାଯାଏ।

କିନ୍ତୁ ଏବେ ଓଡ଼ିଶାର ଗାଁଠୁ ସହର ସବୁଠି ଘଣ୍ଟା ଘଣ୍ଟା ବିଜୁଳି କାଟ। ଯାହାକୁ ନେଇ ରାଜ୍ୟର ବିରୋଧୀ ଦଳଗୁଡିକ ସହ ବିଭିନ୍ନ ସଂଗଠନ ଓ ଲୋକେ ଆନ୍ଦୋଳନକୁ ଓଲ୍ହାଇଲେଣି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ଛଟପଟ କରୁଥିବା ବେଳେ ରାଜ୍ୟରେ ଘନ ଘନ ବିଜୁଳି କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି।

ଏପରିକି ଖୋଦ ମୁଖ୍ୟ ଶାସନ ସଚିବ ଓ ଶାସକ ଦଳର ନେତାମାନେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଝାଡ଼ିଲେଣି। କିନ୍ତୁ ସମସ୍ୟାରେ ସୁଧାର ଆସୁନି। କିନ୍ତୁ ଠିକ ସମାନ ସମୟରେ ଦିଲ୍ଲୀର ଅଧିକ ବିଜୁଳି ଆବଶ୍ୟକତାକୁ ପୂରଣ କରାଯିବା ସହ ପାୱାର କଟ ମଧ୍ୟ କରାଯାଉ ନାହିଁ।

ଏପରିକି ୨୪ ଘଣ୍ଟା ବିଜୁଳି ପୁଣି ମାଗଣା। ଏ କଥାକୁ ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିବା ପରେ ଓଡ଼ିଶାରେ ଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ଆମ ଆଦମୀ ପାର୍ଟି ମଧ୍ୟ ରାଜ୍ୟରେ ମାଗଣା ବିଜୁଳି ପାଇଁ ଦାବି ଉଠାଇଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ ମଧ୍ୟ କଂଗ୍ରେସ ସରକାର ମାଗଣା ବିଜୁଳି ଦେଉଛି।

ଏଭଳି ସ୍ଥିତିରେ ରାଜ୍ୟରେ ବିଜୁଳି ପାଇଁ ଉଚ୍ଚା ଦର ଦେଇ ମଧ୍ୟ ବାରମ୍ବାର ବିଜୁଳି କାଟର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଲୋକେ ଘୋର ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.