Latest Odisha News

BREAKING NEWS

ନବୀନ ବାରମ୍ବାର ଶାସନ କ୍ଷମତାରେ ରହିବାର ୧୦ଟି କାରଣ

ଭୁବନେଶ୍ୱର: ସାରା ଦେଶରେ ମୋଦୀଙ୍କ ମ୍ୟାଜିକ୍ ଯୋଗୁଁ ସେ ଦ୍ୱିତୀୟ ଥର ଲାଗି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଲେ, ମାତ୍ର ଏହି ମ୍ୟାଜିକ୍ ଓଡ଼ିଶାର ୩ କୋଟି ୨୪ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରିପାରିଲା ନାହିଁ । ଏହାର ଏକମାତ୍ର କାରଣ ଅନ୍ୟ କେହି ନୁହଁନ୍ତି, କେବଳ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଦ୍ୱିତୀୟଥର ଲାଗି ଏହି ଗୈରିକ ଉତଥାନକୁ ରୋକିବା ସହିତ ୫ମ ଥର ଶାସନ କ୍ଷମତାକୁ ଅକ୍ତିଆର କରିପାରିଛନ୍ତି । ବିଜୁ ଜନତା ଦଳର ସଭାପତି  ବାରମ୍ବାର ନିର୍ବାଚିତ ହୋଇପାରୁଥିବାରୁ ତାହା ସମସ୍ତଙ୍କୁ ଚକିତ କରିଥାଏ ।

୧୯୯୭ରେ ବାପା ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ରାଜନୀତିରେ ପ୍ରବେଶ କରିଥିଲେ । ଏପର୍ଯ୍ୟନ୍ତ ନବୀନ କେବେବି ପରାଜୟ ବରଣ କରିନାହାନ୍ତି । ଅନ୍ୟ କିଛି ପ୍ରାକ୍ତନ ଜନତାଦଳର ବରିଷ୍ଠ ନେତାଙ୍କ ସହଯୋଗରେ ୧୯୯୭ ମସିହାରେ ବିଜୁ ଜନତା ଦଳର ଗଠନ କରିବା ପରେ ନବୀନନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଛନ୍ତି ।

ପୂର୍ବ ନିବାଚନୀ ବିଜୟ ଅପେକ୍ଷା ୨୦୧୯ ନିର୍ବାଚନ ସହଜ ନଥିଲା, କାରଣ ନବୀନଙ୍କ ଦୁଇ ଦଶନ୍ଧୀ ରାଜନୈତିକ କ୍ୟାରିୟର୍ ମଧ୍ୟରେ ପ୍ରଥମଥର ପାଇଁ ବିଜେପି ଏକ କଡ଼ା ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିଲା ।

ନିର୍ବାଚନ ପୂର୍ବରୁ ଅନେକ ଭାବିଥିଲେ ନବୀନ ସ୍ୱଳ୍ପ ସଂଖ୍ୟା ଗରିଷ୍ଠତା ସହିତ କ୍ଷମତାକୁ ଫେରିବେ । କିଛି ରାଜନୈତିକ ପର୍ଯ୍ୟବେକ୍ଷକ ଆକଳନ କରିଥିଲେ ଯେ, ଏଥର ଏକ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି । ଆଉ କିଛି ରାଜନୈତିକ ବିଶାରଦ ବିଜେପି କ୍ଷମତାକୁ ଆସିବ ବୋଲି ଯୁକ୍ତି ବାଢିଥିଲେ । ମାତ୍ର ସମସ୍ତ ଆଶା ଆଶଙ୍କା ତଥା କଳ୍ପନା ଜଳ୍ପନାକୁ ଧୂଳିସାତ୍ କରି ନବୀନ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ପଞ୍ଚମଥର ଲାଗି କ୍ରମାଗତ ଭାବେ ଶାସନର ଡ଼ୋରୀ ନିଜ ହାତରେ ରଖିଲେ ।

ଭୋଟରମାନେ କେଉଁ କାରଣ ଯୋଗୁଁ ନବୀନଙ୍କୁ ବାରମ୍ବାର ଶାସନ କରିବାକୁ ସୁଯୋଗ ଦେଉଛନ୍ତି? ନବୀନଙ୍କ ଏହି ସଫଳତା ପଛରେ ୧୦ଟି ପ୍ରମୁଖ କାରଣ ଗୁଡ଼ିକ ରହିଛି, ସେଗୁଡ଼ିକ ହେଲା:
ପ୍ରୋ-ଇନକମ୍ବାନସି: ଯଦି ନରେନ୍ଦ୍ର ମୋଦୀଙ୍କ କହିବା ଅନୁଯାୟୀ ତାଙ୍କ ପାଇଁ ପ୍ରୋ-ଇନକମ୍ବାନସି କାର୍ଯ୍ୟ କରିଥିଲା ତେବେ ନବୀନଙ୍କ ଲାଗି ମଧ୍ୟ ଏହା ସତ୍ୟ । ନବୀନ ରାଜ୍ୟରେ ଆରମ୍ଭ କରିଥିବା ଜନହିତକାରୀ ଯୋଜନା ବିକାଶ କାର୍ଯ୍ୟକ୍ରମ ଯଥା – ‘ଆମ ଗାଁ ଆମ ବିକାଶ’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏବଂ ‘କାଳିଆ’ ଲୋକପ୍ରିୟ ହୋଇପାରିଛି ଏବଂ ଏକ ଫିଲ୍ ଗୁଡ଼ ଫ୍ୟାକ୍ଟର୍ ଭାବେ କାର୍ଯ୍ୟ କରୁଛି । ଏଥିପାଇଁ ନବୀନଙ୍କ ଆପଣ ଖୁସି ତ ବକ୍ତବ୍ୟ ଭାଇରାଲ୍ ହୋଇଯାଇଛି । ଏହି ଯୋଜନା ଗୁଡ଼ିକ ସହିତ ମୁଖ୍ୟମନ୍ତ୍ରୀ ‘ଆପଣମାନେ ଖୁସି ତ ?’ ପରି ବକ୍ତବ୍ୟ ଏକପ୍ରକାର ଲୋକପ୍ରିୟ ସ୍ଲୋଗାନ ପରି ଚର୍ଚ୍ଚିତ ହୋଇ ପଡ଼ିଛି ।

ସ୍ଥାୟିତ୍ୱ: ଓଡ଼ିଶାର ଜନସାଧାରଣ ସାଧାରଣତଃ ପରିବର୍ତ୍ତନକୁ ଖୁବ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ୨୦୦୦ ଠାରୁ ବିଜେଡ଼ି କ୍ଷମତାସୀନ ହୋଇ ରହିଛି ଓ ଭୋଟର୍ ମାନେ ତାଙ୍କୁ ବାରମ୍ବାର ସମର୍ଥନ ଜଣାଉଛନ୍ତି । ଓଡ଼ିଶାବାସୀ ଏକ ସ୍ଥିର ସରକାରର ଫାଇଦା ପାଇଛନ୍ତି ଓ ହୁଏତ ପରିବର୍ତ୍ତନର ଆବଶ୍ୟକତାକୁ ଅନୁଭବ କରିପାରିନାହାନ୍ତି ।
ସ୍ୱଚ୍ଛ ଭାବମୂର୍ତ୍ତି: ଦୀର୍ଘଦିନର ଶାସନ କ୍ଷମତାରେ ରହିବା ପରେ ମଧ୍ୟ ନବୀନ ନିଜର ସ୍ୱଚ୍ଛ ଭାବମୂର୍ତ୍ତିକୁ ଏପର୍ଯ୍ୟନ୍ତ ବଜାୟ ରଖିପାରିଛନ୍ତି । ଧଳା ପାଇଜାମାକୁ ଭଲପାଉଥିବା ନବୀନ ନିଜର ନିର୍ମଳ ଭାବମୂର୍ତ୍ତି ବଳରେ ବିରୋଧୀଙ୍କୁ ଅଟକାଇ ପାରିଛନ୍ତି ।

ଜନପ୍ରିୟତା: ଗୋଟିଏ କଥାକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ ଯେ, ଓଡ଼ିଶାର ସବୁ ରାଜନେତାଙ୍କ ମଧ୍ୟରେ ନବୀନଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ଏହା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ସାବ୍ୟସ୍ତ ହୋଇଛି । ବିରୋଧୀ ଦଳରେ ଏପର୍ଯ୍ୟନ୍ତ ନବୀନଙ୍କୁ ଟକ୍କର ଦେବାଭଳି କୌଣସି ନେତା ସାମ୍ନାକୁ ଆସିପାରିନାହାନ୍ତି ।

ବଳିଷ୍ଠ ସଂଗଠନ: ସାଂଗଠନିକ କ୍ଷେତ୍ରରେ ନବୀନଙ୍କ ବିଜୁ ଜନତା ଦଳ ବିରୋଧୀ ବିଜେପି ଓ କଂଗ୍ରେସଠାରୁ ଅପେକ୍ଷାକୃତ ବଳିଷ୍ଠ । ୧୯ ବର୍ଷର ଶାସନ କ୍ଷମତାରେ ରହିବା ପରେ ଏହି ଆଞ୍ଚଳିକ ଦଳ ତୃଣମୂଳସ୍ତରରେ ଶକ୍ତିଶାଳୀ ହୋଇପଡ଼ିବା ସ୍ୱାଭାବିକ । ନିଜ ଦଳରେ ଧୂରୀଣ ନେତାଙ୍କ ସହିତ ଅନ୍ୟ ଦଳରୁ ଦକ୍ଷ ନେତାଙ୍କୁ ଆଣି ବିଜେଡ଼ିକୁ ମଜବୁତ କରିପାରିଛନ୍ତି ନବୀନ । ଏହି କାରଣ ଯୋଗୁଁ ଲଗାତର ୨ଥର ଲାଗି ମୋଦୀ ମ୍ୟାଜିକକୁ ଏଠାରେ ଅଟକାଇବାକୁ ସକ୍ଷମ ହୋଇପାରିଛନ୍ତି ନବୀନ ।
ବିସ୍ତୃତ ଯୋଜନା ଓ ପ୍ରଭାବୀ ଉପଯୋଗ: ବିଜୁ ଜନତା ଦଳ ଏକ ପ୍ରଭାବୀ ତଥା ପ୍ରତିଟି ପଦକ୍ଷେପକୁ ଦୃଷ୍ଟିପାତ କରିପାରୁଥିବା ଏକପ୍ରକାର ପଦ୍ଧତି ସୃଷ୍ଟି କରିପାରିଛି । ଯାହା ମାଧ୍ୟମରେ କି ନିଜ ଶକ୍ତି ତଥା ଦୂର୍ବଳତାକୁ ନିୟମିତ ଅନ୍ତରାଳରେ ପରଖିପାରୁଛି । ଏହି ଅବଧିକୁ ଦଳ ସର୍ବେକ୍ଷଣ କରିବା ସହିତ ଏହାର ଫିଡ଼ବ୍ୟାକର ଆଲୋଚନା କରିଥାଏ । ଏହା ଦଳକୁ ବୃହତ ଯୋଜନା କରିବା ଲାଗି ଏକପ୍ରକାର ଶକ୍ତି ଯୋଗାଇଥାଏ । ଉଦାହରଣ ସ୍ୱରୂପ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଅନେକ ସର୍ବେକ୍ଷଣ ପରେ ହିଁ ପ୍ରାର୍ଥୀମାନଙ୍କୁ ଟିକଟ ବଣ୍ଟନ କରାଯାଇଥାଏ ।
କ୍ଷେତ୍ରୀୟ ଭାବନା ଏବଂ କେନ୍ଦ୍ରୀୟ ଉପେକ୍ଷା: ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ନିଜର ପ୍ରମୁଖ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି ଆସିଛି ବିଜୁ ଜନତା ଦଳ । ରାଜ୍ୟବାସୀଙ୍କ ଉପରେ ଏହା ନିଶ୍ଚିତ ପ୍ରଭାବ ପକାଇ ଆସିଛି । ବିରୋଧୀ କଂଗ୍ରେସ ଓ ବିଜେପିକୁ ମଧ୍ୟ ବ୍ୟାକଫୁଟ୍ ରେ ପକାଇଦେଇଛି । ଓଡ଼ିଶାର ସ୍ୱାର୍ଥ ଓ ନିଜର ରାଜନୈତିକ ବାଧ୍ୟ ବାଧକତାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ବିଜୁ ଜନତା ଦଳ ୨୦୦୯ ପରଠାରୁ ଉଭୟ କଂଗ୍ରେସ ଓ ବିଜେପି ଠାରୁ ଅତି ଚତୁରତାର ସହିତ ସମଦୂରତା ରଖି ଆସିଛି ।

ବହୁଳ ପ୍ରଚାର: ବିଜୁ ଜନତା ଦଳ ୨୦୦୦, ୨୦୦୪ ଏବଂ ୨୦୦୯ ନିର୍ବାଚନରେ ଯେପରି ପ୍ରଚାର କୌଶଳକୁ ଆପଣେଇ ଥିଲା ତାହାର ବିପରୀତ ଭାବେ ୨୦୧୪ ନିର୍ବାଚନ ପରଠାରୁ ପ୍ରଚାର କୌଶଳକୁ ଅଧିକ ଗୁରୁତ୍ୱ ଦେଇଆସୁଛି । କ୍ଷମତାସୀନ ଦଳ ହୋଇ ମଧ୍ୟ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇ ପାରିନଥିଲା । ତାହା ପରଠାରୁ ଦଳ ସବୁ ରାଜ୍ୟ ଯୋଜନା ଗୁଡ଼ିକୁ ବ୍ରାଣ୍ଡିଂ କରିବା ଆରମ୍ଭ କରିଥିଲା ଏବଂ ହକି ୱାର୍ଲଡ଼ କପ ଭଳି ବଡ଼ ବଡ଼ ଇଭେଣ୍ଟ ଆୟୋଜନ କରିଆସୁଛି ।

ଦୂର୍ବଳ ବିପକ୍ଷ: ବିଜୁ ଜନତା ଦଳର ଶକ୍ତିକୁ ହରଣ କରିବା ଲାଗି ଯେତେ ପ୍ରକାର ଚେଷ୍ଟା ଓ ଉଦ୍ୟମ କରିଥିଲେ ମଧ୍ୟ ବିପକ୍ଷ ଦଳଗୁଡ଼ିକ ନିଜେ ପର୍ଯ୍ୟାପ୍ତ ଭାବେ ଶକ୍ତିଶାଳୀ ହେବାକୁ ଅସଫଳ ହୋଇଛନ୍ତି । କଂଗ୍ରେସ ଏକ ବିଭାଜିତ ଦଳ ହୋଇ ରହି ଆସିଛି ଏବଂ ୨୦୦୦ ପରଠାରୁ ବିଜେଡ଼ିର ଅଭିବୃଦ୍ଧିକୁ ରୋକିବାରେ ଅସମର୍ଥ ହୋଇଛି । ସେହିପରି ବିଜେପି ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ସହିତ ମେଣ୍ଟରେ ରହିଥିଲା । ଏହି ଦଳ ଏଯାଏଁ ଅନେକ ଜିଲ୍ଲାରେ ନିଜର ସଂଗଠନକୁ ମଜବୁତ କରିପାରିନାହିଁ । ପ୍ରଥମଥର ଲାଗି ଏହି ନିର୍ବାଚନରେ ବିଜେଡ଼ିକୁ କଡ଼ା ଚ୍ୟାଲେଞ୍ଜ୍ ଦେବାକୁ ଚେଷ୍ଟା କରିଥିଲେ ହେଁ ଆଶା ଠାରୁ ଅନେକ କମ୍ ଆସନ ହାସଲ କରିପାରିଛି ।
ଆଉ ଏକ ସୁଯୋଗ: ନବୀନଙ୍କ ବୟସ ବଢିବାରେ ଲାଗିଛି ଏବଂ ମିଡ଼ିଆ ଓ ରାଜନୈତିକ ମହଲରେ ରାଜନୈତିକ ମହଲରେ ତାଙ୍କର ଉତ୍ତାଧିକାରୀଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । ତାଙ୍କ ପୁତୁରା ଅରୁଣଙ୍କ ରାଜନୈତିକ ପ୍ରବେଶକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଛି । ହୋଇପାରେ ଏପରି ଏକ ଭାବନାକୁ ଲୋକମାନେ ହୃଦୟଙ୍ଗମ କରି ପୁନର୍ବାର କରିଥାଇପାରନ୍ତି!

Leave A Reply

Your email address will not be published.