Latest Odisha News

BREAKING NEWS

ଓଡିଶାରୁ ରାମଲଲାଙ୍କ ପାଇଁ ଅଯୋଧ୍ୟା ଗଲା ଅହିଂସା ସିଲ୍କ ଖଣ୍ଡୁଆ ପାଟ

ଭୁବନେଶ୍ୱର: ଉଠୁଛି ପଡୁଛି ଅଯୋଧ୍ୟା ନଗରୀ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଭବ୍ୟ ରାମମନ୍ଦିରରେ ବିରାଜିବେ ପ୍ରଭୁ ରାମଲାଲା । ସାରା ବିଶ୍ଵ ଦେଖିବା ପ୍ରଭୁ ଶ୍ରୀ ରାମଙ୍କ ଆଗମନର ଉତ୍ସବ । ସେଥିପାଇଁ ଦେଶର ସବୁ କୋଣ ଅନୁକୋଣରେ ଏବେ ଉତ୍ସବର ମାହୋଲ । ପ୍ରଭୁ ରାମଙ୍କ ଭକ୍ତିରେ ଦେଶବାସୀ । ଆଉ ସେହି ଭକ୍ତିରେ ପ୍ରଭୁ ରାମଲାଲାଙ୍କ ପାଇଁ ଅନେକ ଦିବ୍ୟ ଜିନିଷମାନ ଅଯୋଧ୍ୟା ନଗରକୁ ପ୍ରେରଣ କରୁଛନ୍ତି ଭକ୍ତ ମାନେ । ଜାନୁୟାରୀ ୨୨ରେ ହେବ ଏକ ଦିବ୍ୟଲିଳା । ଏକାକାର ହେବେ ଭକ୍ତ ଓ ଭଗବାନ ।

ତେବେ ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କ ପାଇଁ ନାନା ସାମଗ୍ରୀ ପହଞ୍ଚାଉଥିବା ବେଳେ ଓଡିଶାରୁ ରାମଲଲାଙ୍କ ପାଇଁ ଅହିଂସା ସିଲ୍କ ଖଣ୍ଡୁଆ ପାଟ ବସ୍ତ୍ର ପ୍ରସ୍ତୁତ କରାଯାଇଛି । ବ୍ରତ ଓ ବିଧି ପାଳନ ପୂର୍ବକ ନୂଆପାଟଣା,କଟକର ତନ୍ତ ଶିଳ୍ପୀ ଏହି ଅହିଂସା ସିଲ୍କ ଖଣ୍ଡୁଆ ପାଟ ବସ୍ତ୍ର ପ୍ରସ୍ତୁତ କରିଛନ୍ତି । ମୁଖ୍ୟ କାରିଗର ଅର୍ଜୁନ ପାଲଙ୍କ ନେତୃତ୍ୱରେ ୧୧ ଜଣ କାରିଗର ହେମନ୍ତ କୁମାର କୁଣ୍ଡୁ, ରମାକାନ୍ତ ତୋଷ, ଶରତ କୁମାର ବେହେରା, ମନୋରଞ୍ଜନ ତୋଷ, ପ୍ରସନ୍ନ କୁମାର ନନ୍ଦି, ନିରଞ୍ଜନ ପାତ୍ର, ଆକାଶ କୁଣ୍ଡୁ, ତ୍ରିନାଥ ନନ୍ଦି, ନରେଶ ତୋଷ, ସବ୍ୟଶଚୀ ପାତ୍ର, କେଶବ ଚନ୍ଦ୍ର ପାତ୍ର ପ୍ରମୁଖ ନିଷ୍ଠାର ସହିତ ୧୫ ଦିନ ଧରି ଦିନରାତି ପରିଶ୍ରମ କରି ଏହାକୁ ତିଆରି କରିଛନ୍ତି । ଖଣ୍ଡୁଆ ପାଟ ପାଇଁ ନୂଆପାଟଣା ଅଞ୍ଚଳ ଭାରତ ବିଖ୍ୟାତ । ଏହି ଖ୍ୟାତି ଏବେ ବହୁଗୁଣିତ ହେବାକୁ ଯାଉଛି ପ୍ରଭ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ।

ଓଡ଼ିଶାର ପ୍ରସିଦ୍ଧ ଏହି ଅହିଂସା ସିଲିକ୍ ଖଣ୍ଡୁଆ ପାଟ ଏକ ନିଆରା ବସ୍ତ୍ର । ଖଣ୍ଡୁଆ ପାଟ ବସ୍ତ୍ର ନୂଆପାଟଣାସ୍ଥିତ ଶ୍ରୀରାମ ମନ୍ଦିରରେ ପୂଜା ଅର୍ଚ୍ଚନା ଯଜ୍ଞ କରାଯାଇ ସଂକୀର୍ତନ ସହ ଗ୍ରାମ ପରିକ୍ରମା କରି ଆସି ଭୁବନେଶ୍ୱର ଖାରବେଳନଗର ସ୍ଥିତ ରାମ ମନ୍ଦିରରେ ପହଁଚିଥିଲେ । ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦ୍ୱାରା ଭଗବାନ ଶ୍ରୀରାମଙ୍କ ପାଖରେ ପୂଜା ସମ୍ପାଦିତ କରାଯାଇଥିଲା । ଏହାପରେ ଖଣ୍ଡୁଆ ପାଟକୁ ନେଇ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ ପୁରା ଟିମ୍ ।

Leave A Reply

Your email address will not be published.