Latest Odisha News

BREAKING NEWS

ରିଲ୍ ହିରୋରୁ ରିଅଲ୍ ଲିଡର୍ ! ଥଲାପତି ବିଜୟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର, ଯିଏ ପରଦାରେ ନିଜ ଆକ୍ସନରେ ଦର୍ଶକଙ୍କୁ ମତୁଆଲା କରୁଥିଲେ, ହେଲେ ଏବେ ରାଜନୀତି ମଇଦାନରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ହେଉଛନ୍ତି ସୁପରଷ୍ଟାର୍ ‘ଥଲାପତି’ ବିଜୟ। ମାତ୍ର ଦୁଇ ବର୍ଷ ତଳେ ଗଠନ ହୋଇଥିବା ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଝଗମ୍’ ବା TVK, ୨୦୨୬ ବିଧାନସଭା ନିର୍ବାଚନରେ ତାମିଲନାଡୁର ସବୁଠାରୁ ଶକ୍ତିଶାଳୀ ଦଳ DMK ର ୭୭ ବର୍ଷର ପୁରୁଣା ଦୁର୍ଗକୁ ଦୋହଲାଇ ଦେଇଛି।

ଅଭିନେତାରୁ ନେତା ସାଜିଥିବା ବିଜୟ, ତାମିଲ ପଲିଟିକ୍ସରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି। ମାତ୍ର ୬୯ଟି ଫିଲ୍ମ କରି ସୁପରଷ୍ଟାର୍ ବନିଥିବା ଏହି ଅଭିନେତା, ଏବେ ରାଜନୀତିର ‘ଜନ ନାୟକନ୍’ ପାଲଟିଛନ୍ତି। ଆସନ୍ତୁ ଜାଣିବା ଯୋସେଫ ବିଜୟ ଚନ୍ଦ୍ରଶେଖରଙ୍କ ଠାରୁ ‘ଥଲାପତି’ ବିଜୟ ଏବଂ ପରେ ଏକ ସଫଳ ଜନନେତା ହେବାର ସଂଘର୍ଷମୟ କାହାଣୀ।

ଥଲାପତି ବିଜୟଙ୍କ ଜନ୍ମ ୨୨ ଜୁନ୍, ୧୯୭୪ । ବାପା ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍.ଏ. ଚନ୍ଦ୍ରଶେଖର। ମାଆ ପ୍ରଛଦପଟ ଗାୟିକା ଶୋଭା ଚନ୍ଦ୍ରଶେଖର। ଫିଲ୍ମି ପରିବାରରୁ ଆସିଥିବା ବିଜୟ ମାତ୍ର ୧୮ ବର୍ଷ ବୟସରେ ‘ନାଲାୟା ଥିରପୁ’ ଫିଲ୍ମ ଜରିଆରେ ନାୟକ ଭାବେ ପାଦ ରଖିଥିଲେ। ‘ଥେରି’, ‘ବିଷ୍ଟ’, ‘ଲିଓ’ ଏବଂ ‘ଗୋଟ୍’ ଭଳି ସୁପରହିଟ୍ ଫିଲ୍ମ ଦେଇ ସେ ପାଲଟିଥିଲେ ତାମିଲ ସିନେମାର ଦ୍ୱିତୀୟ ସବୁଠାରୁ ବଡ଼ ତାରକା।

କିନ୍ତୁ ରାଜନୀତିକୁ ଆସିବା ପୂର୍ବରୁ ତାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କର ଶେଷ ଫିଲ୍ମ ବୋଲାଯାଉଥିବା ‘ଜନ ନାୟକନ୍’ ସେନସର ବୋର୍ଡଠାରୁ ଆରମ୍ଭ କରି କୋର୍ଟ କଚେରୀ ଯାଏଁ ସବୁଠି ଫସିଥିଲା। ଏପରିକି ଏହା ଅନଲାଇନରେ ଲିକ୍ ମଧ୍ୟ ହୋଇଥିଲା। ଏହା ପୂର୍ବରୁ ‘ଥଲାଇଭା’ ଏବଂ ‘ସରକାର’ ଫିଲ୍ମ ବେଳେ ମଧ୍ୟ ତତ୍କାଳୀନ ସରକାରଙ୍କ ସହ ତାଙ୍କର ବିବାଦ ଚର୍ଚ୍ଚାର ବିଷୟ ପାଲଟିଥିଲା।

ବିଜୟ ୨୦୦୯ରେ ‘ଭିଜୟ ମକ୍କଲ ଆୟକ୍କମ’ ଫ୍ୟାନ୍ କ୍ଲବ୍ ଗଠନ କରିଥିଲେ । ୨୦୨୪ରେ ସେ ‘ତାମିଲଗା ଭେଟ୍ରି କାଝଗମ୍’ TVK ଦଳ ଘୋଷଣା କରିିଲେ । ଆଉ ୨୦୨୬ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ଟିଭିକେ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଉଦୟନିଧି ଷ୍ଟାଲିନ୍ ବିଜୟଙ୍କ ଘନିଷ୍ଠ ବନ୍ଧୁ ଥିଲେ, ରାଜନୀତି ମଇଦାନରେ ସେ ହିଁ ବିଜୟଙ୍କର ବଡ଼ ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲେ। ଷ୍ଟାଲିନ୍‌ଙ୍କ ପରିବାରର ୭୭ ବର୍ଷର ରାଜନୈତିକ ପ୍ରଭାବକୁ କମ କରିବାରେ ବିଜୟ ସଫଳ ହୋଇଛନ୍ତି ।

ସଫଳତା ଭିତରେ ବିଜୟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଛି। ୧୯୯୯ରେ ସଙ୍ଗୀତା ସୋରନାଲିଙ୍ଗମଙ୍କୁ ବିବାହ କରିଥିବା ବିଜୟଙ୍କ ସଂସାରରେ ୨୦୨୫ରେ ଝଡ଼ ଆସିଥିଲା। ସଙ୍ଗୀତା ଛାଡ଼ପତ୍ର ଆବେଦନ କରିବା ସହ ବିଜୟଙ୍କ ଉପରେ କିଛି ଗମ୍ଭୀର ଆରୋପ ମଧ୍ୟ ଲଗାଇଛନ୍ତି, ଯାହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି।

ବ୍ୟକ୍ତିଗତ ଜୀବନର ବିବାଦ ହେଉ କିମ୍ବା ରାଜନୈତିକ ଆହ୍ୱାନ, ବିଜୟ ସବୁଥିରେ ଜଣେ ଲଢୁଆ ନାୟକ ଭାବେ ଉଭା ହୋଇଛନ୍ତି। ତାମିଲନାଡୁ ଜନସାଧାରଣ ତାଙ୍କ ଉପରେ ଭରସା କରିଛନ୍ତି। ଏବେ ଅପେକ୍ଷା ପରଦାର ଏହି ‘ଥଲାପତି’ ଶାସନ ଗାଦିରେ ବସି ଜନତାଙ୍କ ଜୀବନରେ କି ପରିବର୍ତ୍ତନ ଆଣୁଛନ୍ତି।

 

Leave A Reply

Your email address will not be published.