Latest Odisha News

ବିଜେଡି ଛାଡିବା ନିଷ୍ପତ୍ତି ଭୁଲ୍ ଥିଲା: ଜର୍ଜ ତିର୍କି

ରାଉରକେଲା: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଜ୍ୟର ବରିଷ୍ଠ ନେତା ତଥା ସୁନ୍ଦରଗଡ ବୀରମିତ୍ରପୁରର ୪ଥର ବିଧାୟକ ଜର୍ଜ ତିର୍କି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ସେ କିନ୍ତୁ ସ୍ୱୀକାର କରିଛନ୍ତି ଯେ ୨୦୦୬ରେ ସେ ବିଜେଡି ଛାଡ଼ି ଭୁଲ୍ କରିଛନ୍ତି। ଏବେ ସେ କହିଛନ୍ତି ଯେ ଶାସକ ଦଳ ଯଦି ତାଙ୍କ ଫେରିବା କଥା ଚିନ୍ତା କରେ ତେବେ ସେ ଦଳରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି ୬୫ ବର୍ଷୀୟ ନେତା କହିଛନ୍ତି, ବିଜେଡିରେ ଯୋଗଦେବା ସମୟରେ ବିଜେପି ସହ ମେଣ୍ଟ ଥିଲା। ସୁନ୍ଦରଗଡ଼ ଜିଲ୍ଲାର ସାତଟି ବିଧାନସଭା ଆସନ ମଧ୍ୟରୁ ବିଜେଡିର ଦୁଇଟି ଏବଂ ବିଜେପିର ଅନ୍ୟ ପାଞ୍ଚଟି ଆସନ ଥିଲା, ଯେଉଁଥିରେ ତାଙ୍କର ପାରମ୍ପରିକ ଗଡ଼ ବୀରମିତ୍ରପୁର ବିଧାନସଭା ଆସନ ମଧ୍ୟ ରହିଥିଲା।

ମେଣ୍ଟରେ ବାଧ୍ୟବାଧକତା ଯୋଗୁଁ ବିଜେଡି ବିଜେପି ଠାରୁ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇ ପାରିଲା ନାହିଁ। ତେଣୁ ୨୦୦୬ ଜାନୁଆରୀରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳେ ଏପରି ନିଷ୍ପତ୍ତି ନେଇ କିନ୍ତୁ ଭୁଲ କରିଛନ୍ତି ବୋଲି ଏବେ କହିଛନ୍ତି। କିଛି ଦିନ ହେବ ଅସୁସ୍ଥ ରହୁଥିବା ଏହି ନେତା କହିଛନ୍ତି ଯେ, କଂଗ୍ରେସ ଛାଡିବା ପରେ ବିଭିନ୍ନ ଦଳରୁ ତାଙ୍କୁ ଅଫର ଆସିଛି। କିନ୍ତୁ ଅସୁସ୍ଥତା କାରଣରୁ ସେ ଏ ଯାଏ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି।

କଂଗ୍ରେସକୁ ଆଗକୁ ବଢିବା ପାଇଁ ସେ ବହୁ ପ୍ରୟାସ କରିଛନ୍ତି । ଏମିତିକି ନିଜ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ମଜବୁତ କରିବାକୁ ଯାଇ ନିଜ ଜମି ବାଡି ମଧ୍ୟ ବିକ୍ରି କରିଛନ୍ତି ବୋଲି କହିଛନ୍ତି। କିନ୍ତୁ କଂଗ୍ରେସରେ ରହିଥିବା ବିଶୃଙ୍ଖଳା ଓ କନ୍ଦଳ ଯୋଗୁ ଦଳର ଭବିଷ୍ୟତ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୫ ଓ ୨୦୦୦ରେ ଜେଏମ୍ଏମ୍ ଟିକେଟରେ ବୀରମିତ୍ରପୁରରୁ ଦୁଇଥର ବିଜୟୀ ହୋଇଥିବା ଜର୍ଜ ୨୦୦୨ରେ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ୨୦୦୯ରେ ସ୍ୱାଧୀନ ଭାବେ ବୀରମିତ୍ରପୁର ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ନିଜ ରାଜନୈତିକ ଦଳ ସମତାକ୍ରାନ୍ତି ଦଳ ପ୍ରତିଷ୍ଠା କରିଥିଲେ । ଏଥିସହିତ ବୀରମିତ୍ରପୁରରୁ ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିଲେ। ୨୦୧୮ରେ କଂଗ୍ରେସରେ ଯୋଗଦେବା ପୂର୍ବରୁ ସେ ଜେଏମ୍ଏମକୁ କିଛି ସମୟ ପାଇଁ ଫେରିଥିଲେ।

୨୦୧୯ରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ବୀରମିତ୍ରପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ଉଭୟ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ।

Leave A Reply

Your email address will not be published.