Latest Odisha News

ପାରଦର୍ଶୀ ପୋର୍ଟାଲରେ ୨୫% ମାଗଣା ସିଟରେ ଆଡ଼ମିସନ ଅବ୍ୟବସ୍ଥା ନେଇ ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କର ବଡ଼ ବଡ଼ ସ୍କୁଲ ମାଲିକଙ୍କ ସହ ମୁନାଫାଖୋରୀ ମଧୁଚନ୍ଦ୍ରିକା ଓ ବିଭାଗୀୟ ଅଯୋଗ୍ୟତା ପାଇଁ ରାଜ୍ୟରେ ୩୦ ହଜାରରୁ ଉର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଏବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ମାଗଣା ସିଟରେ ନାମ ଲେଖାରୁ ବଞ୍ଚିତ ହେବେ। ଆଜି ନତାଲା ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଧାରଣା ଦେଇଥିଲେ।

ମହାସଂଘ ଆଗରୁ ଏଭଳି ଏକ ଘୋଟାଲା ହେବାର ଅଛି ବୋଲି ଗଣଶିକ୍ଷା ସଚିବଙ୍କୁ ସଚେତନ କରିଥିଲା। ତା ସହିତ ସତର୍କ ମଧ୍ୟ୍ୟ କରିଥିଲା। ଏହି ନିଷ୍କ୍ରିୟତା ପାଇଁ ଶିକ୍ଷା ଅଧିକାର ଆଇନ୍ ଯାହାକି ଗରିବ, ଦଳିତ ଓ ଆଦିବାସୀ ଶ୍ରେଣୀର ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ତାହା ଏ ବର୍ଷ ସମ୍ପୂର୍ଣ୍ଣ ଫେଲ୍ ମାରିବାକୁ ଯାଉଛି। ଗତ ବର୍ଷ ଓଡିଶା ଅଭିଭାବକ ମହାସଂଘର ଜୋରଦାର ପ୍ରୟାସରେ ୪୨୬୪ ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଥିଲେ। ଏହାର ସିଟ୍ ସଂଖ୍ୟା ପ୍ରାୟ ୬୦୦୦୦ରୁ ଉର୍ଦ୍ଧ୍ୱ ଥିଲା । ଯାହା ଫଳରେ ୧୮୦୦୦ରୁ ଉର୍ଦ୍ଧ୍ୱ ପାଖାପାଖି ପିଲା ପଞ୍ଜିକରଣ କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨୫୦ଟି ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଛନ୍ତି । ଯାହାର ସିଟ୍ ସଂଖ୍ୟା ମାତ୍ର ୪୦୦୦୦ ମଧ୍ୟରେ ଅଛି । ଗତ ବର୍ଷ ୬୦୦୦୦ରୁ ଉର୍ଦ୍ଧ୍ୱ ଥିଲା ବେଳେ ଏହି ବର୍ଷ ଅଧାରୁ ଅଧିକ ସିଟ୍ କମିଯାଇଛି।

ପ୍ରାୟ ୨୦୦୦୦ରୁ ଉର୍ଦ୍ଧ୍ୱ ସିଟ୍ କମିବା ଫଳରେ ଏ ବର୍ଷ ମାଗଣା ସିଟରେ ଗରିବ ଅନାଗ୍ରସର ଶ୍ରେଣୀର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅବହେଳା ହେଉଥିବା ନେଇ ଓଡିଶା ଅଭିଭାବକ ମହାସଂଘ କହିଛି। ଆସନ୍ତା ସୋମବାର ପରେ ଓସେପା କାର୍ଯ୍ୟାଳୟଠାରେ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପୂର୍ବରୁ ଅଭାସି ମାଧ୍ୟମରେ ଉପସ୍ଥିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ମିଶ୍ରଙ୍କ ସହିତ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଆବାହିକା କଳ୍ପନା ସାହୁ, ସାଧାରଣ ସମ୍ପାଦକ ଡଃ ସତ୍ୟଜିତ ଦାଶ ପ୍ରମୁଖ ଆଲୋଚନା ସମୟରେ କାହିଁକି ସ୍କୁଲ ଗୁଡିକ ଏ ବର୍ଷ ରେଜିଷ୍ଟ୍ରେସନ କରିନାହାଁନ୍ତି, ଯଦ୍ୱାରା ସ୍କୁଲ ଗୁଡିକର ନାଁ ପୋର୍ଟାଲରେ ଦେଖାଯାଉନି ଫଳରେ ଅଭିଭାବକ ମାନେ ନିଜର ପାଖ ସ୍କୁଲରେ ପକାଇ ପାରୁନାହାନ୍ତି ।

କିଛି ଅଭିଭାବକଙ୍କ ଅଭିଯୋଗ ହେଉଛି କି ପୋର୍ଟାଲ ତାଙ୍କ ନିକଟରେ ଗୋଟିଏ ବି ସ୍କୁଲ ଦେଖାଯାଉନି । ପ୍ରାଥମିକ ଶିକ୍ଷା ନିର୍ଦେଶକ କିଛି ସ୍କୁଲ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କୁ ତାଗିଦ କରାଯାଉଛି, କିଛି ସ୍କୁଲ ଏହି ଭିତରେ ପଞ୍ଜିକରଣ କରୁଛନ୍ତି । ତେଣୁ ସାତ ଦିନ ଭିତରେ ଏ ସମସ୍ୟା ସମାଧାନ ହେବ ଏବଂ ଆବେଦନ ପାଇଁ ମଧ୍ୟ ସମୟ ଅବଧି ବଢ଼ାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଦୀର୍ଘ ମାସେରୁ ଅଧିକ ସମୟ ପରେ ମଧ୍ୟ ସମସ୍ୟା ସମାଧାନ ନହେବାରୁ ଆଜି ବାଧ୍ୟ ହୋଇ ନତାଲା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୂର୍ବରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା ହେଲେ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ମିଶ୍ର ଜାଣିଶୁଣି ଅନୁପସ୍ଥିତ ରହିଥିଲେ। ସେ ଏଥିପାଇଁ ବିଶେଷ ଭାବେ ଦାୟୀ ଅଟନ୍ତି। ଯେହେତୁ ଗତ ବର୍ଷ ବହୁ ସ୍କୁଲ ଶିକ୍ଷା ଅଧିକାର ଆଇନ ଅନୁସାରେ ପିଲାଙ୍କୁ ନାମ ଲେଖେଇଥିଲେ, ସେମାନେ ପଞ୍ଜିକରଣ ନକଲେ ଭବିଷ୍ୟତରେ ଆମ ପିଲାଙ୍କୁ ବାହାର କରିଦେବେ। ଏହାକୁ ଆଶଙ୍କା କରି ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି।

ବହୁ ସ୍କୁଲ ସିଟ ସଂଖ୍ୟା କମେଇ ଥିବାରୁ ଏହାକୁ ବିରୋଧ କରାଯାଉଛି। ଅଷ୍ଟମ ପରେ ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବ୍ୟବସ୍ଥା ସହ ବହି ଓ ପୋଷାକ ଯୋଗେଇ ଦେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ସେମାନେ କରୁନାହାଁନ୍ତି। ସବୁ ଜାଣି ପ୍ରାଥମିକ ନିର୍ଦ୍ଦେଶକ ନିଜେ ଏହାକୁ କରିଥିବାରୁ ସେ ଆଜି ଏହି ଆଲୋଚନାକୁ ଆସିଲେନାହିଁ। ଏଥିରେ ଉତକ୍ଷିପ ହୋଇ ଅଭିଭାବକ ମାନେ ନଅ ତାଲା ଭିତରେ ପଶି ପ୍ରାଥମିକ ନିର୍ଦ୍ଦେଶକ ଅଫିସକୁ ଘେରିଥିଲେ। ଧସ୍ତା ଧସ୍ତିରେ କିଛି ଅଭିଭାବକ ଆହତ ହୋଇଥିବା ପ୍ରକାଶ କରିଛନ୍ତି ଆବାହକ କଳ୍ପନା ସାହୁ । ପୋଲିସର ମଧ୍ୟସ୍ତତାରେ ପ୍ରାଥମିକ ନିର୍ଦ୍ଦେଶକଙ୍କ ଅନୁପସ୍ଥିତରେ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକଙ୍କ ସହିତ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ଅବାହିକା କଳ୍ପନା ସାହୁ, ମୀନାରାଣୀ ଦାସ ଆଦି ଆଲୋଚନା କରିଥିଲେ।

ସେ ଅଳ୍ପ ଦିନ ହେଲା ଏଠାରେ ଯୋଗ ଦେଇଥିବା ବେଳେ ଦିନେ ଦୁଇଦିନ ସମୟ ଦେବାକୁ କହିବାରୁ ଉପସ୍ଥିତ ଧାରଣାରତ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଯେହେତୁ ଆଜି ଶନିବାର, ରବିବାର ଛୁଟି ତେଣୁ ଆଜିର ଅନଶନ ସ୍ଥଗିତ ରଖାଯାଇଛି। ଆସନ୍ତା ସୋମବାର ପରେ ଓସେପା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହିଛି। ତେଣୁ ସୋମବାର ଦିନ ଆହୁରି ଅଧିକ ଅଭିଭାବକ ହଜାର ହଜାର ସଂଖ୍ୟାରେ ଆସି ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ ରଖାଯିବ ଆଜି ବୋଲି ମହାସଂଘର ସଭାପତି ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.