Latest Odisha News

BREAKING NEWS

ନୀଳମାଧବଙ୍କ ରୂପରେ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ ପ୍ରକୃତରେ ରହସ୍ୟମୟ । ଭଗବାନଙ୍କ ନିଜର ଜନ୍ମକୁ ନିଜେ ହିଁ ଅପୂର୍ବ ଲୀଳା ମାଧ୍ୟମରେ ଜନମାନସରେ ପ୍ରକଟ କରିଛନ୍ତି । ଶ୍ରୀକୃଷ୍ଣଙ୍କ ଶରୀରରେ ଜାରା ଶବର ଦ୍ୱାରା କ୍ଷତ ସୃଷ୍ଟି ହେବା ଫଳରେ ଭଗବାନଙ୍କ ମାନବୀୟ ଅବତାରର ସମାପ୍ତ ଘଟିଥିଲା । ଶ୍ରୀକୃଷ୍ଣ ଭଗବାନଙ୍କ କଥାନୁସାରେ ତାଙ୍କର ଦିବ୍ୟବ୍ରହ୍ମ ମହୋଦଧିରେ ଭାସମାନ ଅବସ୍ଥାରେ ଯାଇ ବାଙ୍କି ମୁହାଣରେ ଲାଗିଥିଲା । ବିଭିନ୍ନ ଆଧ୍ୟାତ୍ମିକ କିମ୍ବଦନ୍ତୀ ତଥା ପୁରାଣ ଗ୍ରନ୍ଥାନୁଯାୟୀ ସେହି ଦିବ୍ୟବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରୂପରେ ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ହେବା ପୂର୍ବରୁ ନୀଳଗିରିରେ ତାଙ୍କର ଆବିର୍ଭାବ ଏବଂ ଅଦୃଶ୍ୟ ହେବା ତଥା ପୂନର୍ବାର ପ୍ରତିଷ୍ଠା ଲାଭ କରିବା ସମ୍ପର୍କରେ ରହିଥିବା ଅଲୌକିକ କିମ୍ବଦନ୍ତୀମାନ ଭକ୍ତ ଜନମାନସକୁ ଭକ୍ତି ଓ ବିଶ୍ୱାସର ରଜ୍ଜୁରେ ବାନ୍ଧି ପକାଇଥାଏ । ସତ୍ୟଯୁଗରେ ଅବନ୍ତୀ ରାଜ୍ୟର ରାଜା ଇନ୍ଦ୍ରଦ୍ୟୁମ୍ନ ଜାଣିବାକୁ ପାଇଲେ ଯେ, ଭଗବାନଙ୍କ ସ୍ୱରୁପ ନୀଳମାଧବଙ୍କ ରୂପରେ ଉକ୍ରଳର ନିଳଗିରି ପର୍ବତର ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିଭୃତ ହୋଇଛନ୍ତି । ସେହି ପରମକାରୁଣିକ ମହାପ୍ରଭୁଙ୍କ ଅନ୍ୱେଷଣରେ ତାଙ୍କର ପୁରୋହିତ ବିଦ୍ୟାପତିଙ୍କୁ ପଠାଇଲେ । ବିଦ୍ୟାପତି ଖୋଜି ଖୋଜି ନୀଳଗିରିର ନିଘଞ୍ଚ ଜଙ୍ଗଲ ମଧ୍ୟରେ ନୀଳମାଧବଙ୍କୁ ଖୋଜି ଖୋଜି ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କୁ ପାଇଲେ । ବିଦ୍ୟାପତି ଓ ଲଳିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହେଲା । ଇତିମଧ୍ୟରେ ବିଦ୍ୟାପତି ଜାଣିବାକୁ ପାଇଲେ ଯେ, ଶବର ରାଜା ବିଶ୍ୱାବସୁ ହିଁ ନୀଳମାଧବଙ୍କୁ ପ୍ରତ୍ୟେକ ଦିନ ଭୋଗ ଅର୍ପଣ ଏବଂ ପୂଜାର୍ଚ୍ଚନା କରିବାକୁ ଏକ ନିକାଞ୍ଚ ଘଞ୍ଚଜଙ୍ଗଲ ପରିବେଷ୍ଟିତ ଗୁମ୍ପା ମଧ୍ୟକୁ ଯାଉଛନ୍ତି । ବିଶ୍ୱାବସୁ ନିଜର କନ୍ୟା ଲଳିତା ଓ ବିଦ୍ୟାପତିଙ୍କ ମଧ୍ୟରେ ବିବାହକାର୍ଯ୍ୟ ସମ୍ପନ୍ନ କରିଲେ । କିଛିଦିନ ପରେ ବିଦ୍ୟାପତି ଲଳିତାଙ୍କ ସହିତ ଗିରିକନ୍ଦରରେ ରହିଥିବା ନୀଳମାଧବଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିବାରୁ ଏହା ଅତ୍ୟନ୍ତ ଗୋପନୀୟ ତଥା ଶବର ରାଜା ବିଶ୍ୱାବସୁଙ୍କ ବିନା ଅନୁମତିରେ ଦର୍ଶନ କରିବା ଅସମ୍ଭବ ବୋଲି ଜଣାଇଲେ । ବିଶ୍ୱାବସୁଙ୍କ ଅନୁମତି ନେଇ ସର୍ତ୍ତ ମୁତାବକ ଆଖିରେ ପଟିବାନ୍ଧି ନୀଳମାଧବଙ୍କୁ ଦର୍ଶନ କଲେ । ସେହି ଗୁପ୍ତ ସ୍ଥାନଟିକୁ ପରବର୍ତ୍ତୀ ସମୟରେ ଉନ୍ମୋଚନ କରିବାକୁ ବିଦ୍ୟାପତି ଅତ୍ୟନ୍ତ ଚତୁରତାର ସହିତ ବାଟସାରା ସୋରିଷ ବୁଣି ଆସିଥିଲେ ।

ଏମିତି କିଛିମାସ ଅତିକ୍ରାନ୍ତ ହେବାପରେ ସେହି ସୋରିଷ ଗଛ ଉଠିଥିବା ପଥଦେଇ ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ନୀଳମାଧବଙ୍କୁ ଠାବ କରିବାକୁ ଚେଷ୍ଟା କଲେ, କିନ୍ତୁ ନୀଳମାଧବ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତିର ପରାକାଷ୍ଠାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ଭଗବାନ ତାଙ୍କୁ ଆଶ୍ୱାସନା ଦେଲେ ବାଙ୍କି ମୁହାଣରେ ମୋର ବ୍ରହ୍ମ ଦାରୁ ଭାସମାନ ଅବସ୍ଥାରେ ଲାଗିବ । ସେଠାରୁ ତୁମେ ନେଇ ପ୍ରତିମା ନିର୍ମାଣ କରିବ । ବାଙ୍କି ମୁହାଣରେ ବ୍ରହ୍ମ ଦାରୁ ର ସନ୍ଧାନ ପାଇଲେ ମଧ୍ୟ ଯେତେ ଚେଷ୍ଟା କଲେ ବି ଦାରୁକୁ କେହି ଉଠାଇ ପାରିଲେ ନାହିଁ । ପୁନର୍ବାର ଭଗବାନ ଆଦେଶ ଦେଲେ ମୋର ପରମ ଭକ୍ତ ବିଶ୍ୱାବସୁ୍ଙ୍କ ହାତର ସ୍ପର୍ଶ ନ ପାଇଲେ ମୁଁ ଉଠିପାରିବି ନାହିଁ । ତେଣୁ ସେହି ବ୍ରହ୍ମ ଦାରୁର ଗୋଟିଏ ପଟକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ଅନ୍ୟପଟକୁ ଭକ୍ତ ଶ୍ରେଷ୍ଠ ଶବରରାଜା ବିଶ୍ୱାବସୁ ଛୁଇଁବା ମାତ୍ରେ ଦାରୁ ଉଠିପାରିଲା । ତେଣୁ ଏହିକଥାରୁ ସହଜରେ ଅନୁମେୟ ଯେ, ଶବର ରାଜା ବିଶ୍ୱାବସୁଙ୍କ ସରଳ ହୃଦୟରେ ରହିଥିବା ଭଗବତ୍ ପ୍ରେମ ଏବଂ ଈଶ୍ୱର ବିଶ୍ୱାସର ପଟ୍ଟାନ୍ତର ନାହିଁ । ତେଣୁ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ହେବା ପଛରେ ବିଶ୍ୱାବସୁଙ୍କ ସ୍ୱଚ୍ଛ ହୃଦୟର ଅଚଳ ଭକ୍ତି ତଥା ସରଳ ମନର ଶ୍ରଦ୍ଧା ଆଜି ମଧ୍ୟ ଭକ୍ତମଣ୍ଡଳୀରେ ଅପୂର୍ବ ସ୍ପନ୍ଦନ ସୃଷ୍ଟି କରିଥାଏ ।

 

ଅଚଳାଚଳ ଭକ୍ତିର ଉତ୍ସ ପରି ଥିଲେ ଶବର ରାଜା ବିଶ୍ୱାବସୁ

ମହାପ୍ରଭୁଙ୍କର ଏହି ଧରାଧାମରେ ପଦାର୍ପଣ କରିବା ଦିନରୁ ଏବଂ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା ଦିନରୁ ହିଁ ଶବର ରାଜା ବିଶ୍ୱାବସୁଙ୍କର ଅବଦାନ ଅତୁଳନୀୟ । ଶବର ରାଜା ବିଶ୍ୱାବସୁ ଥିଲେ ଅଚଳାଚଳ ଭକ୍ତିର ଉତ୍ସ ପରି । ଭକ୍ତ ବିଶ୍ୱାବସୁଙ୍କର ଭକ୍ତିଭାବନା ହିଁ ମହାପ୍ରଭୁଙ୍କୁ ପୁରୀରେ ବିଦ୍ୟମାନ କରାଇପାରିଥିଲା । ଶବର ରାଜା ବିଶ୍ୱାବସୁଙ୍କ ଯଥେଷ୍ଟ ଭୂମିକା ଥିଲା ନୀଳବାଧବଙ୍କ ଠାରୁ ଦାରୂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପରେ ମହାପ୍ରଭୁ ଲୀଳାବିତାନ କରିବାରେ ।

ଶ୍ରୀମନ୍ଦିରରେ ବିଶ୍ୱାବସୁ ସେବକଙ୍କ ସେବା

 

ଶ୍ରୀମନ୍ଦିରରେ ଦଇତାପତିଙ୍କର ଯେପରି ଦୈନିକ ସେବାକାର୍ଯ୍ୟ ରହିଥାଏ ସେହିପରି ବିଶ୍ୱାବସୁ ସେବକଙ୍କର ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସେବା ଓ ଦାୟିତ୍ୱ ରହିଛି । ମହାପ୍ରଭୁଙ୍କ ନିକଟରେ ଯେଉଁ ନିତି ଆଳତୀରୁ ଅବକାଶ ସରିଗଲା ପରେ ରତ୍ନସିଂହାସନରେ ଯେତେବେଳେ ବସନ୍ତି, ତାପରେ ମଣିଷ ପରି ପ୍ରଥମେ ଜଳଖିଆ ଭୋଗ ଖାଆନ୍ତି । ମହାପ୍ରଭୁ ତାଙ୍କ ଜଳଖିଆରେ ଖଇ, ଦହି, ବଲ୍ଲଭ, କୋରା, କଦଳୀ, ଖୁଆମଣ୍ଡା ଏବଂ ବିଭିନ୍ନ ଫଳ ଜାତୀୟ ଖାଦ୍ୟ ଖାଇଥାଆନ୍ତି । ତାହାକୁ ବଲ୍ଲଭ ଭୋଗ କୁହାଯାଇଥାଏ । ମହାପ୍ରଭୁଙ୍କ ଏହି ବଲ୍ଲଭ ଭୋଗକୁ ପ୍ରତ୍ୟେକ ଦିନ ବିଶ୍ୱାବସୁ ପରିବାର ତରଫରୁ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ଠାରେ ଲାଗି କରାଯାଇଥାଏ । ବିଶ୍ୱାବସୁ ସେବକ ରତ୍ନସିଂହାସନରେ ଭୋଗ ବାଢି ସାରିଲା ପରେ ପୂଜାପଣ୍ଡା ଭୋଗ ଲଗାଇଥାଆନ୍ତି । ଭୋଗ ଲାଗିହେଲା ପରେ ତାହା ମହାପ୍ରସାଦ ରୂପେ ସମସ୍ତେ ପାଇଥାଆନ୍ତି । ଏହା ହେଉଛି ମହାପ୍ରଭୁଙ୍କଠାରେ ଦୈନିକ ନୀତି ସେବା । ସେହିପରି ମହାପ୍ରଭୁଙ୍କର ବାରମାସରେ ଯେଉଁ ତେର ଯାତ୍ରା ପଡ଼େ ସେହି ସମସ୍ତ ଯାତ୍ରାରେ ବିଶ୍ୱାବସୁଙ୍କର ସେବା ଓ ପଂକ୍ତି ବାଢିବା ପରି ଦାୟିତ୍ୱ ମଧ୍ୟ ରହିଛି । ଯଦି କେବେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ ତେବେ ପୂଜାପଣ୍ଡାଙ୍କ ସହିତ ବିଶ୍ୱାବସୁ ସେବକ ହିଁ ସେହି ମହାସ୍ନାନରେ ସାହାଯ୍ୟ କରିଥାନ୍ତି । ସବୁ ଗୁରୁବାର ଦିନ ମହାଲକ୍ଷ୍ମୀ ଯେପରି ଆସି ମାଜଣା ହୁଅନ୍ତି ସେଠାରେ ବିଶ୍ୱାବସୁ ତାଙ୍କ ସେବାକାର୍ଯ୍ୟ କରିଥାଆନ୍ତି । ସେହିପରି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଶ୍ରୀକୃଷ୍ଣଙ୍କ ଜନ୍ମ, ଶ୍ରୀବଳରାମଙ୍କ ଜନ୍ମ ଏବଂ ଶ୍ରୀନୃସିଂହଙ୍କ ଜନ୍ମରେ ମଧ୍ୟ ବିଶ୍ୱାବସୁଙ୍କର ସେବା ରହିଛି । ମହାପଭୁଙ୍କର ଅତ୍ୟନ୍ତ ଗୁପ୍ତସେବା ହେଲା ନବକଳେବର ସମୟରେ । ସେହି ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମସଂସ୍ଥାପନ ସମୟରେ ସେହି ଗୁପ୍ତ ସେବା କାର୍ଯ୍ୟରେ ମଧ୍ୟ ବିଶ୍ୱାବସୁ ସେବକଙ୍କର ବିଶେଷ ସେବା ରହିଛି । ସ୍ନାନବେଦୀରେ ଦଇତାପତିମାନଙ୍କ ସହିତ ବିଶ୍ୱାବସୁଙ୍କର ମଧ୍ୟ କିଛି ପାରମ୍ପରିକ ସେବା ରହିଛି । ସ୍ନାନକାର୍ଯ୍ୟ ସରିବାପରେ ବିଶ୍ୱାବସୁଙ୍କର ସେବା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ତେଣୁ ରଥଯାତ୍ରା ଉତ୍ସବର ସ୍ନାନମଣ୍ଡପ ଠାରୁ ଆରମ୍ଭ କରି ବାହୁଡ଼ାଯାତ୍ରା ଏବଂ ନିଳାଦୀବିଜେ କରିବା ପର୍ଯ୍ୟନ୍ତ ବିଶ୍ୱାବସୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥାଏ ।

Leave A Reply

Your email address will not be published.