Latest Odisha News

BREAKING NEWS

ଆରମ୍ଭ ହେଲା ‘ସୁଦକ୍ଷ’ କାର୍ଯ୍ୟକ୍ରମ, ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ଦକ୍ଷତା ବଢ଼ାଇବାକୁ ଅଭିନବ ପଦକ୍ଷେପ

ସୁନ୍ଦରଗଡ଼: ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ଦକ୍ଷତା ବଢ଼ାଇବାକୁ ପ୍ରୟାସ । ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । ମଙ୍ଗଳବାର ଦିନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଶୁଭାରମ୍ଭ କରିଛନ୍ତି। 

ସୁନ୍ଦରଗଡ଼ ସହରର ପତ୍ରାପାଲିଠାରେ ଉଦଘାଟିତ ହୋଇଥିବା ‘ସୁଦକ୍ଷ’ କେନ୍ଦ୍ରରେ ପ୍ରାର୍ଥୀଙ୍କର କୋଚିଂ ଆରମ୍ଭ ହୋଇଛି । ଏହି ସପ୍ତାହରେ ରାଉରକେଲା ଏବଂ ବଣାଇଁଠାରେ ଆଉ ଦୁଇଟି କେନ୍ଦ୍ର ଉଦଘାଟିତ ହେବାକୁ ଯାଉଛି ।

ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ବିଭିନ୍ନ  ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅନେକ ସମୟରେ ସଫଳତା ପାଇପାରୁ ନାହାନ୍ତି । ତେଣୁ ସେମାନଙ୍କୁ ମାଗଣାରେ ଆବଶ୍ୟକ କୋଚିଂ ଓ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ପାଇଁ ଏକ ଅଭିନବ ପଦକ୍ଷେପ ହେଉଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । 

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି ।

‘‘ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ +୨ ଓ +୩ ପାସ୍ କରିଥିବା ତଥା ନିଯୁକ୍ତି ଆଶାୟୀ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କୋଚିଂ ଦିଆଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । 

ବିଶେଷକରି ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ, ଅନୁସୂଚିତ ଜାତି ଓ ଜନଜାତି, ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । 

ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ ତିନି ମାସିଆ କୋଚିଂ ପ୍ରଦାନ କରାଯାଉଛି । ଏଥିପାଇଁ ସୁଦକ୍ଷ କେନ୍ଦ୍ରରେ ପ୍ରାର୍ଥୀଙ୍କୁ ମାଗଣାରେ କୋଚିଂ ସହ ହଷ୍ଟେଲରେ ରହିବା, ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି । 

ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି । ଏହାସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। 

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯିବ।

Leave A Reply

Your email address will not be published.