ଗଞ୍ଜାମ: ମନ୍ଦିରକୁ ବି ଛାଡ଼ିଲେନି ଲୁଟେରା । ରାଜ୍ୟର ବିଭିନ୍ନ ମଠ ମନ୍ଦିର ଉପରେ ଏବେ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରା ସିଂ ଥାନା ଅଧୀନ ଜିଲ୍ଲାର ପ୍ରସିଦ୍ଧ ଗାଲେରୀ ମା’ କାଳୀ ମନ୍ଦିରରେ କଳା କନା ବୁଲାଇଛନ୍ତି ଲୁଟେରା । ଠାକୁରାଣୀଙ୍କ ସୁନା,ରୂପା ଅଳଙ୍କାର ଲୁଟିନେଇଛନ୍ତି । ପାଖାପାଖି ଅଧକେଜି ସୁନା ଏବଂ ୧୨ କେଜି ରୂପା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମନ୍ଦିର କମିଟିର ପ୍ରାଥମିକ ଆକଳନ ଅନୁଯାୟୀ, ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହୋଇପାରେ।
କେବଳ ଏତିକି ନୁହେଁ ମନ୍ଦିରର ସିସିଟିଭି କ୍ୟାମେରା ଏବଂ ହାର୍ଡଡିସ୍କ ମଧ୍ୟ ଲୁଟି ନେଇଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଥାଉକି ଏହା ପୂର୍ବରୁ ଭଞ୍ଜନଗର ସତ୍ୟ ସାଇ ମନ୍ଦିରରୁ ବହୁ ମୂଲ୍ୟବାନ ଅଳଙ୍କାର ଏବଂ ନାରାୟଣପାଟଣା ମନ୍ଦିରରୁ ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହି ଦୁଇଟି ବଡ଼ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଗାଲେରୀ କାଳୀ ମନ୍ଦିର ଚୋରି ଘଟଣା ପୋଲିସ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସେହିପରି ବାରଙ୍ଗରେ ମନ୍ଦିରରୁ ସିରିଜ ଚୋରି । କଣ୍ଟାପାଟଣା ଗାଁର ହନୁମାନ ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଦାଢ଼ାପାଟଣା ସ୍ଥିତ ମା କନକଦୂର୍ଗା ମନ୍ଦିରରୁ ବିଳମ୍ୱିତ ରାତିରେ ହୋଇଛି ଚୋରି । ମା ମଙ୍ଗଳାଙ୍କ ଚାନ୍ଦି ମୁକୁଟ, ଚାନ୍ଦିଆଖି, ହନୁମାନଙ୍କର ଚାନ୍ଦି କଠଉ, ଚାନ୍ଦି ମୁକୁଟ ନେଇଯାଇଛନ୍ତି ଦୁର୍ବୃତ୍ତ । ମହାଲକ୍ଷ୍ମୀଙ୍କର ଚାନ୍ଦି ହାର, ମା କନକ ଦୁର୍ଗାଙ୍କ ଚାନ୍ଦି ମୁକୁଟ ଏବଂ ଶଙ୍ଖା ନେଇ ଯାଇଛନ୍ତି ଲୁଟେରା । ଖବର ପାଇ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ହେବ ବୋଲି ଜଣାପଡିଛି ।
ଏପରି ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଲୁଟ୍ ହୋଉଥିବା ଖବର ପାଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।