ମୁମ୍ବାଇ: ବଲିଉଡର ଏମିତି ଜଣେ ଅଭିନେତ୍ରୀ, ଯିଏ ନିଜ ଅଭିନୟ ଜାଦୁରେ ଦର୍ଶକଙ୍କୁ ପାଗଳ କରନ୍ତି, କିନ୍ତୁ ସଫଳତାର ଶୀର୍ଷରେ ଥାଇ ହଠାତ୍ ସିନେମା ଜଗତକୁ ଅଲବିଦା କହିବା ସମସ୍ତଙ୍କୁ ଚକିତ କରିଦିଏ। ଆଜି ଆମେ କହିବୁ ସେହି ସୁପରଷ୍ଟାର୍ ଅଭିନେତ୍ରୀଙ୍କ କଥା, ଯିଏ ଥିଲେ ବଲିଉଡର ପ୍ରଥମ ‘୧୦୦ କୋଟି’ର ହିରୋଇନ୍।
ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଏବଂ ବଲିଉଡର ଜଣାଶୁଣା ଚେହେରା ଅସିନ୍ ଥୋଟ୍ଟୁମକଲ୍ । ମାତ୍ର ୧୫ ବର୍ଷ ବୟସରେ ମାଲାୟାଲମ୍ ସିନେମାରୁ କ୍ୟାରିୟର ଆରମ୍ଭ କରିଥିବା ଅସିନ୍, ୨୦୦୮ରେ ଅମିର ଖାନଙ୍କ ସହ ‘ଗଜନୀ’ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପାଦ ରଖିଥିଲେ। ଏହି ଫିଲ୍ମଟି ବଲିଉଡ ଇତିହାସରେ ପ୍ରଥମ କରି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା ଏବଂ ଅସିନ୍ ରାତାରାତି ବନିଯାଇଥିଲେ ସୁପରଷ୍ଟାର୍।
ସଲମାନ ଖାନଙ୍କ ସହ ‘ରେଡି’, ଅଜୟ ଦେବଗନଙ୍କ ସହ ‘ବୋଲ୍ ବଚ୍ଚନ’ ଏବଂ ଅକ୍ଷୟ କୁମାରଙ୍କ ସହ ‘ଖିଲାଡି ୭୮୬’ ଭଳି ବ୍ଲକବଷ୍ଟର ଫିଲ୍ମ ଦେବା ପରେ, ଯେତେବେଳେ ଲାଗୁଥିଲା ଅସିନଙ୍କୁ କେହି ଅଟକାଇ ପାରିବେ ନାହିଁ, ଠିକ୍ ସେତିକି ବେଳେ ସେ ସମସ୍ତଙ୍କୁ ଚକିତ କରି ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ। ୨୦୧୬ରେ ଅସିନ୍ ମାଇକ୍ରୋମ୍ୟାକ୍ସର ସହ-ପ୍ରତିଷ୍ଠାତା ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଆପଣ ଜାଣିଛନ୍ତି କି, ଏହି ଦୁଇଜଣଙ୍କୁ କିଏ ଭେଟ କରାଇଥିଲେ ? ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଭିନେତା ଅକ୍ଷୟ କୁମାର।
ଏକ ସାକ୍ଷାତକାରରେ ରାହୁଲ ଶର୍ମା କହିଛନ୍ତି ଯେ, ୨୦୧୨ରେ ଏକ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଢାକା ଯିବା ସମୟରେ ଅକ୍ଷୟ ହିଁ ଅସିନଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ଅକ୍ଷୟ ଜାଣିଥିଲେ ଯେ ରାହୁଲ ଏବଂ ଅସିନ୍ଙ୍କ ପାରିବାରିକ ମୂଲ୍ୟବୋଧ ଏବଂ ଚିନ୍ତାଧାରା ପ୍ରାୟ ସମାନ।
ଅସିନ୍ ନିଜର ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି। ତାଙ୍କ ସ୍ୱାମୀ ରାହୁଲ ଶର୍ମା ପ୍ରାୟ ୧୩୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ। ୨୦୧୭ରେ ସେମାନଙ୍କର ଏକ କନ୍ୟା ସନ୍ତାନ ‘ଆରିନ୍’ ଜନ୍ମ ହୋଇଥିଲା। ଗ୍ଲାମର ଦୁନିଆକୁ ଛାଡି ଅସିନ୍ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି।
ସତରେ, ଜଣେ ସଫଳ ଅଭିନେତ୍ରୀ ହୋଇ ମଧ୍ୟ ପରିବାର ପାଇଁ କ୍ୟାରିୟରକୁ ତ୍ୟାଗ କରିବା ବିରଳ।